ପଡ଼ୋଶୀ କବ୍‌ଜାରେ ଓଡ଼ିଶା ବଜାର ; ଟମାଟୋ କିଲୋ ୮୦

କଟକ : ଆଗକୁ ସମ୍ଭାବ୍ୟ ବାତ୍ୟା। ଏହା ପୂର୍ବରୁ ହାଣ୍ଡିଶାଳରେ ନିଆଁ ଲଗାଇଛି ଟମାଟୋ ଦର। ଅଚାନକ ଟମାଟୋର ଅହେତୁକ ମୂଲ୍ୟବୃଦ୍ଧି ପରିବା ବଜାରକୁ ଘାଣ୍ଟି ପକାଇଛି। ଲଗାତର କୃଷିକର୍ମଣ ପୁରସ୍କାର ପାଉଥିବା କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ କେତେବେଳେ ଲେମ୍ବୁକୁ ନେଇ ଦର ରକେଟ୍‌ ଭଳି ଉପରକୁ ଉଠୁଛି ତ’ ଆଉ କେବେ ଆଳୁ ଓ ପିଆଜ ଆଦି ହାଟରେ ଅଗ୍ନି ସଂଯୋଗ କରୁଛି। ଟମାଟୋର ଦର ଏବେ ଅତର୍କିତ ଏମିତି ବଢିଛି ଯେ, ତାକୁ କିଣିବା ଦୂରେ ଥାଉ ଛୁଇଁ ହେଉନି। ଭୁବନେଶ୍ୱର ଓ କଟକରେ ଟମାଟୋ ଦର ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟର ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳରେ ଟମାଟୋ କିଲୋ ୬୫ରୁ ୭୫ ଟଙ୍କା ଭିତରେ ରହିଛି। ଟମାଟୋ ନିତିଦିନିଆ ଆବଶ୍ୟକ ପରିବା ହୋଇଥିବାରୁ ଦର ବୃଦ୍ଧି ଖାଉଟିଙ୍କୁ ବେଶ୍‌ ବାଧୁଛି। ଗୋଟିଏ ସପ୍ତାହ ଆଗରୁ ରାଜଧାନୀରେ ଟମାଟୋ ଦର କିଲୋପ୍ରତି ୩୦ରୁ ୪୦ ଟଙ୍କା ଭିତରେ ରହିଥିଲା। ହଠାତ୍ ଦର ଦୁଇ ଗୁଣରୁ ଅଧିକ ବଢ଼ିଯିବାରୁ ଗ୍ରାହକଙ୍କ ପରିବା ବ୍ୟାଗରୁ ଟମାଟୋ ଏକପ୍ରକାର ଉଭାନ ହୋଇଯାଇଛି।
ଓଡିଶାରେ ଚଳିତ ବର୍ଷ ଟମାଟୋ ଭଲ ଉତ୍ପାଦନ ହୋଇ ନ ଥିବାବେଳେ ଆବଶ୍ୟକତା ପୂରଣ କରୁଛି ଛତିଶଗଡ (ରାୟପୁର), କର୍ଣ୍ଣାଟକ (ବେଙ୍ଗାଲୁରୁ) ଓ ମହାରାଷ୍ଟ୍ର (ନାସିକ)ରୁ ଆମଦାନୀ କରାଯାଉଥିବା ଟମାଟୋ। ହେଲେ ସେଠାରେ ଏବେ ନିଅଣ୍ଟିଆ ସ୍ଥିତି ଥିବାରୁ ଯୋଗାଣ ଠିକ୍‌ରେ ହେଉନାହିଁ। ତେଣୁ ଦର ବଢିଯାଇଥିବା ରାଜଧାନୀର ପନିପରିବା ବ୍ୟବସାୟୀ ମହାସଂଘ ଯୁକ୍ତି ରଖିଛି। ପୁଣି ନୂଆ ଫସଲ ଆସିଲେ ଦର କମିବ ବୋଲି ସଂଘ ସୂଚନା ଦେଇଛି।

prayash

ଗତ ମାର୍ଚ୍ଚରେ ଓଡିଶାର ଚାଷୀ ଟମାଟୋ ଅମଳ ସମୟରେ ବଜାରରେ କିଲୋ ପିଛା ଦୁଇ ଟଙ୍କା ଦରରେ ବିକ୍ରି ହେଉଥିଲା। ଅଭାବୀ ବିକ୍ରିର ଶିକାର ହୋଇ ଚାଷୀ ଟମାଟୋ ଟ୍ରେ ପିଛା ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଦୁଇ ମାସ ହୋଇନି, ସ୍ଥିତି ଓଲଟି ଯାଇଛି। ଏବେ ଟମାଟୋ ମହଙ୍ଗା ମାଡ ପ୍ରତି ପରିବାରର ମାସିକ ବଜେଟ ଉପରେ ପ୍ରଭାବ ପକାଇଛି । ଅନ୍ୟ ପରିବା ଦର ମଧ୍ୟ ବଢ଼ି ବଢ଼ି ଚାଲିଛି।
ଆଳୁ ଦର ମଧ୍ୟ ଏବେ କିଛି କମ୍‌ ଭାଉ ଖାଉନି। କିଲୋପ୍ରତି ଆଳୁର ବଜାର ଦର ୨୫ ଟଙ୍କା ରହିଛି। କେବଳ ଭେଣ୍ଡିକୁ ବାଦ୍‌ ଦେଲେ ଅନ୍ୟାନ୍ୟ ସବୁଜ ପରିବା ଏବେ ୪୦ରୁ ୫୦ ଟଙ୍କା ଭିତରେ ରହିଛି। ରାଜ୍ୟର କୃଷି ଉତ୍ପାଦନକୁ ବଢାଇବା ଓ ଅତି ଜରୁରୀ ପରିବା ଦରକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର କରିଥିଲେ ଆଳୁ ଓ ପିଆଜ ଭଳି ମିଶନ। ଗତକାଲି ଅକ୍ଷୟ ତୃତୀୟାରେ କୃଷି ଓ କୃଷକଙ୍କ ଉତ୍ପାଦନ ବଢାଇବା ଏବଂ ସେମାନଙ୍କୁ ସମୃଦ୍ଧ କରିବା ଲାଗି ପଣସ ମିଶନ ଆରମ୍ଭ ହୋଇଛି। ଖାଲି ମିଶନ ପରେ ମିଶନ ଚାଲିଛି। ମାତ୍ର ବିଗତ ମିଶନ ଗୁଡିକର ସ୍ଥିତି ଏବେ କ’ଣ, ତାହା ନଥିରୁ ଜଳ ଜଳ ଦିଶୁଛି। ଅବଶ୍ୟ ପ୍ରଥମେ ମିଶନ ପ୍ରତି ଆକୃଷ୍ଠ ହୋଇ ଚାଷୀ ଆଳୁ ଓ ପିଆଜ ଉତ୍ପାଦନ ବଢାଇଲେ। ସରକାର ମଧ୍ୟ ଏନେଇ ବେଶ୍‌ ପ୍ରଶଂସା ସାଉଁଣ୍ଟିଲେ। ଟମାଟୋ ବି ବେଶ୍‌ ଭଲ ଫଳିଲା। ମାତ୍ର ଏହା ବେଶୀ ସମୟ ତିଷ୍ଠି ପାରିଲାନି। କାରଣ ପ୍ରଚୁର ଉତ୍ପାଦକୁ ସଂରକ୍ଷଣ କରିବା ଲାଗି ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ହିଁ ଚାଷୀଙ୍କୁ ଏଥିପ୍ରତି କଲା ବୀତସ୍ଫୃହ। ସ୍ଥିତି ଏମିତି ହେଲା ଚାଷୀଙ୍କ ଉତ୍ପାଦକୁ ସରକାର ସଂରକ୍ଷିତ ରଖିପାରିଲେନି। ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ହେବ ବୋଲି ଘନ ଘନ ପ୍ରଚାର ହୋଇଥିଲା। ମାତ୍ର କଥା କେବଳ ଘୋଷଣାରେ ରହିଗଲା। ଏବେ ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ଯାହା, ସେଥିରୁ ଅଧାରୁ ଅଧିକ ଅଚଳ। ଆଉ ଯେଉଁ କେତେକ ହାତଗଣତି ଶୀତଳ ଭଣ୍ଡାର ଘରୋଇ ପ୍ରୋତ୍ସାହନରେ ଚାଲୁଛି, ତାହା ଓଳିଏ ଚାଲିଲେ ଆର ଓଳି ବନ୍ଦ। ଶୀତଳ ଭଣ୍ଡାର ଚଳାଇବାକୁ ବିଜୁଳି ଦର ବି ବାଧୁଛି। ଏଭଳି ସ୍ଥିତିରେ ଚାଷୀ ବାପୁଡ଼ା ମିଶନରୁ ମୋହଭଙ୍ଗ କଲେ। କାରଣ ତାଙ୍କ କଷ୍ଟାର୍ଜିତ ଉପଜ ଶାଗମାଛ ଦରରେ ବିକ୍ରି ହେଲା। ଉତ୍ପାଦନ ସମୟରେ ଟମାଟୋର ବଜାର ଦର ଏତେ ଖସିଲା ଯେ, ଚାଷୀଙ୍କ ତୋଳା ଖର୍ଚ୍ଚ ବି ଉଠିଲାନି। ତା’ ଉପରେ ବଜାର ପରିବହନ ଭଡ଼ା ଅତିରିକ୍ତ ମାଡ଼। ଏଭଳି ସ୍ଥିତିରେ ଟମାଟୋର ଚାଲିଲା ଅଭାବୀ ବିକ୍ରି। ଅନେକ ଚାଷୀ ଟମାଟୋ ନ ତୋଳି ବିଲରେ ଗୋରୁଗାଈ ପୂରାଇ ଦେଲେ। ରାସ୍ତାରେ ଢଳାଗଲା କୁଢ କୁଢ ଟମାଟୋ। ଚାଷୀଙ୍କ ଏହି ପ୍ରତିବାଦର ସମାଧାନ ପରିବର୍ତ୍ତେ ଏହାକୁ ଅଣଦେଖା କରିବା ଏବେ ମହଙ୍ଗା ପଡିଛି। ପରିମାଣରେ ପଡୋଶୀ କରୁଛି ଓଡ଼ିଶା ପରିବା ବଜାରକୁ ନିୟନ୍ତ୍ରଣ।
ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ, ନାସିକରୁ ପିଆଜ, ଆନ୍ଧ୍ରପ୍ରଦେଶରୁ ଅଣ୍ଡା ଓ ମାଛ ଗାଡି ଓଡ଼ିଶାରେ ନ ପଶିଲେ ଆମ ହାଣ୍ଡିଶାଳରେ ହରତାଳ ପରିସ୍ଥିତି। ସବୁକ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରୀୟ ହେବାର ପ୍ରୟାସ ଜାରି ରଖିଥିବା କୁହାଯାଉଥିବାବେଳେ ପ୍ରକୃତ ସ୍ଥିତି ଯେ କ’ଣ ତାହା ଲେମ୍ବୁ ପରେ ଏବେ ଟମାଟୋ ଦରରୁ ସ୍ପଷ୍ଟ। ସରକାର, କାଗଜକଲମ ଚାଷ ଛାଡି ସିଧାସଳଖ ବାସ୍ତବତାକୁ ଫେରିଲେ ସ୍ଥିତି ସୁଧୁରିବ ବୋଲି ଦରବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ଖାଉଟି ମତବ୍ୟକ୍ତ କରିଛନ୍ତି।

kalyan agarbati

Comments are closed.