www.samajalive.in
Saturday, December 6, 2025
23.1 C
Bhubaneswar

ଫେରିଲା ତାତି, କମିବ କାଳବୈଶାଖୀ

ଭୁବନେଶ୍ବର : ପ୍ରାୟ ଦୁଇ ସପ୍ତାହ ପରେ ରାଜ୍ୟକୁ ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା କାରଣରୁ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପାରଦ କିଛିଟା ହ୍ରାସ ପାଇଥିଲା। ପଶ୍ଚିମ ଓଡ଼ିଶାର କେତେକ ସହରରେ ତାପମାତ୍ରା କମିଥିଲେ ବି ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା। ରବିବାର ରାଜ୍ୟର ତାପମାତ୍ରା ବଢିଛି। ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିଭଳି ବଲାଙ୍ଗିର ୪୨.୫ ଓ ଟିଟିଲାଗଡ଼ରେ ପାରା ୪୨ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା, ବଲାଙ୍ଗିର ଏବଂ ଟିଟିଲାଗଡ଼ ଡହଡହ ତାତିରେ ଆଉଟୁ ପାଉଟୁ ହୋଇଛି। ୧୧ଟି ସ୍ଥାନରେ ପାରଦ ୪୦ଡିଗ୍ରୀ ଟପିଛି। ଭୁବନେଶ୍ବରରେ ୩୭.୫ଡିଗ୍ରୀ ରେକର୍ଡ ହୋଇଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆଗକୁ ୪ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଆସନ୍ତା ୨୪ ଓ ୨୫ତାରିଖ ବେଳକୁ ତାପମାତ୍ରା ୪୫ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି।
ଅନ୍ୟପକ୍ଷରେ ରବିବାର ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, କୋରାପୁଟ, ବରଗଡ଼, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ବଲାଙ୍ଗିର, ଭଦ୍ରକରେ କାଳବୈଶାଖୀ ତାଣ୍ଡବ ରଚିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ପବନ ୪୦ରୁ ୫୦କି.ମି. ବେଗରେ ପବନ ବହିଛି। ବଜ୍ରପାତରେ ବଲାଙ୍ଗିର ଜିଲାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲିରେ ରବିବାର ଅପରାହ୍ନରେ ବଜ୍ରପାତ ଯୋଗୁଁଁ ଏହି ଗାଁର ସ୍ନେହଲତା ବୁଡ଼େକ (୫୦)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଗୌରାଙ୍ଗ ଦଳପତି  ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ପାଟଣାଗଡ଼ ଉପଖଣ୍ଡ ସରମୁହାଣ ଗାଁର ଗଙ୍ଗାଧର ଧରୁଆ ଟ୍ରାକ୍ଟର ଚଳାଉଥିବାବେଳେ ତାଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା କୁହାଯାଉଛି।
ଆଗକୁ କାଳବୈଶାଖୀ ପ୍ରଭାବ ହ୍ରାସ ପାଇବ। ରବିବାର ଦିନ ତାପମାତ୍ରା ସମ୍ବଲପୁରରେ ୪୧.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ୪୧.୮, ହୀରାକୁଦ ୪୧.୩, ଭବାନୀପାଟଣା ୪୦.୮, ସୁବର୍ଣ୍ଣପୁର ୪୧.୩, ବୌଦ୍ଧ ୪୧.୫, ନୂଆପଡ଼ା ୪୧, ରାଉରକେଲା ୪୦.୧ ଏବଂ କଟକରେ ୩୭ଡିଗ୍ରୀ ରହିଛି। ଭୁବନେଶ୍ବରରେ ଗତକାଲି ତୁଳନାରେ ତାପମାତ୍ରା ବଢିଥିବା ବେଳେ ଦିନ ତମାମ ଆର୍ଦ୍ରତା ୬୦%ରୁ ଅଧିକ ରହିବା ଯୋଗୁଁ ଗରମ ଏବଂ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହୋଇଥିଲା। ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀ ତାପମାତ୍ରା ୩୧ଡିଗ୍ରୀ ଥିବାବେଳେ ଆର୍ଦ୍ରତା ୮୧% ରହିଥିଲା। ପୂର୍ବାହ୍ଣ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୫.୨ଡିଗ୍ରୀ ପହଞ୍ଚିଥିଲା। ଏହି ସମୟରେ ଆର୍ଦ୍ରତା ୬୭% ରହିଥିଲା। ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆର୍ଦ୍ରତା ୬୧% ରହିଥିବାରୁ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଥିଲା।
କାଳବୈଶାଖୀ ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷ ପ୍ରାକ୍ ମୌସୁମୀ ଋତୁରେ ମାର୍ଚ୍ଚ ୧ରୁ ଏପ୍ରିଲ ୧୯ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ୩୮.୯ ମି.ମି. ତୁଳନାରେ ୬୦.୫ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହାକି ୫୫% ଅଧିକ। ବିଦ୍ୟାଳୟ ସମୟ ସକାଳ ୬ଟାରୁ ପୂର୍ବାହ୍ଣ ସାଢ଼େ ୧୦ଟା ରହିଛି। ସାଢ଼େ ୧୦ଟା ବେଳକୁ ଟାଣଖରା ମାଡ଼ି ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ ଖରାରେ ଘରକୁ ଫେରିବାକୁ ପଡୁଛି। ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଉ ନଥିବାରୁ ଆଗକୁ ଛାତ୍ରଛାତ୍ରୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବିଦ୍ୟାଳୟରୁ ଘରକୁ ଫେରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories