ଟିଟୋ ସାମ୍ରାଜ୍ୟର ସିବିଆଇ ଖୋଳତାଡ଼
ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟୋ ତେଲ ଟାଙ୍କିର ଅନିୟମିତତାର ଖୋଳତାଡ଼ କରିବାକୁ ସୁପାରିସ କରିବା ପରେ ସିବିଆଇ ଘଣ୍ଟାଚକଟା ଆରମ୍ଭ କରିଛି। ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ତେଲ ଟାଙ୍କି ଆବଣ୍ଟନବେଳେ ଅନିୟମିତତା ହୋଇଥିବା ଦର୍ଶାଇ ସିବିଆଇକୁ ନିଗମ ତଦନ୍ତ ପାଇଁ ଚିଠି ଲେଖିଥିଲା। ଯାହାଫଳରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେବା ସହ ସିବିଆଇ କ’ଣ ତଦନ୍ତ କରିବ ତାକୁ ନେଇ ଭିନ୍ନ ଭିନ୍ନ ତର୍ଜମା ଆରମ୍ଭ ହୋଇଛି। ତେଲଟାଙ୍କି ଆବଣ୍ଟନ ଏବଂ ପରିଚାଳନାରେ ଅନିୟମିତତାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି। ଆଇଓସିଏଲରୁ ଟିଟୋ ପତ୍ନୀ ଲିଜ୍ରେ ଏକ ପେଟ୍ରୋଲ ପମ୍ପ ନେଇଥିବା କଥା ପଦାକୁ ଆସିଛି। ସେହିପରି ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ଟିଟୋର ପିଲାମାନେ ପଢୁଥିବା ଜଣାପଡିଛି।
ପ୍ରକାଶ ଯେ ତେଲଟାଙ୍କି ପାଇଁ ସରକାରୀ ଜମିକୁ ଜବରଦଖଲ କରାଯାଇଥିବା କୁହାଯାଉଛି। ତେଣୁ କାହା ଇଙ୍ଗିତରେ ଏହି ଜବରଦଖଲ କରାଯାଇଛି ତାକୁ ସିବିଆଇ ଖୋଳତାଡ଼ କରିବା ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ କାର୍ଯ୍ୟକଳାପ ନେଇ ସମସ୍ତେ ଅବଗତ ଥିବାବେଳେ କେମିତି ଓ କେଉଁ ଆଧାରରେ ତାକୁ ପେଟ୍ରୋଲ ପମ୍ପ ଆଲଟମେଣ୍ଟ ଦିଆଗଲା ସେନେଇ ସିବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରିବ। ସରକାରୀ ଜମିକୁ କାହା ସହଯୋଗରେ ଟିଟୋ ନେଇଥିଲା ? ପାରାଦ୍ୱୀପ ପୋର୍ଟ ଭିତରେ ଥିବା ଆଇଓସିଏଲ୍ର ତେଲ ଟାଙ୍କିକୁ ଟିଟୋ କେମିତି ଲିଜ୍ରେ
ପାଇଥିଲା, ସେସବୁର ତଦନ୍ତ କରାଯିବ ବୋଲି ଜଣାପଡିଛି। କେଉଁ ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ଚାପରେ ଟିଟୋର ପତ୍ନୀ ବେନଜିରକୁ ଏହା ଦିଆଯାଇଥିଲା ତଦନ୍ତ ଫଳରେ ସେମାନଙ୍କ ମୁଖା ଖୋଲିଯିବ ବୋଲି ସାଧାରଣରେ ଆଲୋଚନା ଚାଲିଛି।
ପ୍ରକାଶ ଯେ ଟିଟୋର କେନ୍ଦ୍ରାପଡା ବଡ଼ବଜାରସ୍ଥିତ ତେଲଟାଙ୍କି ମେସର୍ସ ସୟଦ ବ୍ରଦର୍ସ ନାମରେ ରହିଛି। ଯାହାର ମାଲିକ ଟିଟୋ ପତ୍ନୀ ବେନଜିର ବୋଲି ଜଣାପଡିଛି। ତେବେ ବେନଜିରଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା କଥା ତାଙ୍କ ଆଇନଜୀବୀ ସଫେଇରେ କହିଛନ୍ତି। ସେହିପରି ପାରାଦ୍ୱୀପ ତେଲଟାଙ୍କିର ମାଲିକ ଆଇଓସିଏଲ୍ । ଟିଟୋର ପତ୍ନୀ ଜଣେ ଅଭିଜ୍ଞ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ଉକ୍ତ ଟାଙ୍କି ଲିଜ୍ରେ ପରିଚାଳନା ପାଇଁ ଦିଆଯାଇଥିଲା। ପାରାଦ୍ୱୀପ ପୋର୍ଟ ଭିତରେ ଥିବା ତେଲଟାଙ୍କି ଲିଜ୍ରେ ନେବା ପାଇଁ ବେନଜିର ଏକମାତ୍ର ମହିଳା ଆବେଦନକାରୀ ଥିଲେ। ଟିଟୋର ପୂର୍ବରୁ ତେଲ ଟାଙ୍କି ଥିବାରୁ ସେହି ଅଭିଜ୍ଞତା ଭିତ୍ତିରେ ସେ ଏହି ବ୍ୟବସାୟ ପାଇଥିବା ଆଇନଜୀବୀ କହିଛନ୍ତି।
ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍ମାନ୍ ଅଲ୍ଲୀର ପୁଅଝିଅ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି। ତେବେ ପୁଅଝିଅ ଦୁହେଁ ନୀଳାଦ୍ରିବିହାର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ଦୁଇ ଦିନ ପୂର୍ବେ ଘର ମାଲିକ ଟିଟୋର ପିଲାଙ୍କୁ ଚିହ୍ନିିବା ପରେ ସେମାନଙ୍କୁ ରାତିରେ ବାହାରି ଯିବାକୁ ବାଧ୍ୟ କରିଥିଲା। ଟିଟୋର ମା’ ପୁଅଝିଅଙ୍କ ସହିତ ରହୁଥିଲେ। ମା’ଠାରୁ ଖବର ପାଇ ଟିଟୋର ଆଇନଜୀବୀ ସେଠାରେ ପହଞ୍ଚିଥିଲେ। ଘର ମାଲିକଙ୍କୁ ବୁଝାସୁଝା କରିବା ସହିତ ଚନ୍ଦ୍ରଶେଖରପୁର ଥାନାର ସହଯୋଗ ଲୋଡ଼ିଥିଲେ। ପୁଲିସର ହସ୍ତକ୍ଷେପ ପରେ ଟିଟୋର ପୁଅଝିଅଙ୍କୁ ଘର ମାଲିକ ସେଠାରେ ରହିବାକୁ ଅନୁମତି ଦେଇଛନ୍ତି।
ଟିଟୋ ସାମ୍ରାଜ୍ୟ ପଛରେ ବିଜେଡିର ହାତ ରହିଛି: ବିଜେପି
ଭୁବନେଶ୍ୱର, ୧୯ା୭ (ନି.ପ୍ର): ଗ୍ୟାଙ୍ଗ୍ଷ୍ଟର ଟିଟୋର ୧୦ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ବିଜେଡି ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଟିଟୋଙ୍କୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ମାମଲାରେ ସିବିଆଇ ତଦନ୍ତ ନିର୍ଦେଶକୁ ବିଜେଡି ତରଫରୁ କଡା ସମାଲୋଚନା କରାଯିବା ପରେ ସିବିଆଇ ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ କାହିଁକି ବିରୋଧ କରାଯାଉଛି ବୁଝା ପଡୁନାହିଁ। ସିବିଆଇ ତଦନ୍ତ ନିର୍ଦେଶ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତ୍ୟକୁ ସାମନାକୁ ଆଣିବାକୁ ଚେଷ୍ଟା କରିଥିବା ବେଳେ ବିଜେଡି ବ୍ୟତିବ୍ୟବସ୍ତ ହୋଇପଡିଛି। ସାଂସଦ ପ୍ରତାପ ଦେବ ତଥା କେନ୍ଦ୍ରାପଡାର ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କିଶୋର ତରାଇଙ୍କ ନାଁ ନେଇ ନଦୀଘାଟ, ବାଲି, ମୋରମ ଉପରେ ଏକଚାଟିଆ ଅଧିକାର ଅପରାଧିକ ପୃଷ୍ଠଭୂମିର ଟିଟୋକୁ ଦେବାରେ କିପରି ଭୂମିକା ନିଅନ୍ତି ତାହା ରାଜ୍ୟବାସୀଙ୍କୁ ଅଛପା ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେ କହିଛନ୍ତି ଯେ ଟିଟୋଙ୍କ ଅପରାଧିକ ସାମ୍ରାଜ୍ୟ ପଛରେ ଟେଣ୍ଟର ଫିକ୍ସିଂ ମୁଖ୍ୟ ସହାୟକ ଓ ଏହି ସହାୟତା ଶାସକ ଦଳର ଟାଣୁଆ ନେତା, ମନ୍ତ୍ରୀ ତଥା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସହାୟତା ଯୋଗାଇଛନ୍ତ। ତଦନ୍ତ ପ୍ରକ୍ରିୟାରୁ କ୍ରାଇମବ୍ରାଞ୍ଚକୁ ବାଦ୍ ଦେଇ ଭିଜିଲାନ୍ସକୁ ଦେବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରୁଛି। ଏହାର ମୁଖ୍ୟ କାରଣ ହେଉଛି ଟିଟୋର ଅପରାଧିକ ପୃଷ୍ଠଭୂମିକୁ ଘଣ୍ଟ ଘୋଡାଇ କେବଳ ତଳିଆ ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦିବା ବୋଲି ସେ କହିଛନ୍ତି।