ଆପଣ ଜିଲା ମୁଖିଆ, ଆପଣ ଆମ ଅଭିଯୋଗ ଶୁଣନ୍ତୁ, ବୁଡି ଯାଉଥିବା ଆମ ଚାଷୀକୁଳକୁ ସୁରକ୍ଷା ଦିଅନ୍ତୁ- ଶୀତଲଭଣ୍ଡାର, ଜଳସେଚନ ପାଇଁ ଜିଲାପାଳଙ୍କୁ ଘେରିଲେ ଚାଷୀ

ଟିଟିଲାଗଡ଼ – ଆପଣ ଜିଲା ମୁଖିଆ । ଆପଣ ଆମ ଅଭିଯୋଗ ଶୁଣନ୍ତୁ, ବୁଡି ଯାଉଥିବା ଆମ ଚାଷୀକୁଳକୁ ସୁରକ୍ଷା ଦିଅନ୍ତୁ । ସୋମବାର ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏଭଳି ବିନୀତ ହୋଇ ଦାବି ଜଣାଇଛନ୍ତି ଚାଷୀ । ୧୮ଟି ଗ୍ରାମର ଦୁଇ ହଜାର ଏକର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ୩୫ କୋଟି ଟଙ୍କାରେ ତିଆରି ହୋଇଛି ଗୁରୁଜି ଭଟା ଉଠା ଜଳସେଚନ ପ୍ରକଳ୍ପ ।

ହେଲେ ଗତ ପ୍ରାୟ ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପର ତ୍ରୁଟିପୁର୍ଣ୍ଣ ସର୍ଭେ, ନିର୍ମାଣ ଜନିତ ଭୁଲ୍‌ ଆଦି ନେଇ ଅନେକ ଚାଷୀ ଆଜି ଯାଏଁ ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି । ଶହଶହ ଏକର ଚାଷ ଜମି ଖରିଫରେ ପଡିଆ ପଡୁଛି । ଦୁଇ ବର୍ଷ କରୋନା କହି ଠିକା ସଂସ୍ଥା ସମୟ ଗଡାଇଥିଲା । ଏବେ ସବୁ ଠିକ ଅଛି ପ୍ରକଳ୍ପକୁ ସୁଧାରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଚାଷୀଙ୍କ ଜମିକୁ ପାଣି ଆସୁ ବୋଲି ବରିଷ୍ଠ ଚାଷୀ ନେତା ବାଳକୃଷ୍ଣ ଷାଣ୍ଢ, ବେଣୁଧର ଝାଙ୍କର, ସୁରେନ୍ଦ୍ର ସାହା, ପୁରୁଷୋତ୍ତମ ଜାନୀ, ଫିରୋଜ ସାହା, ଉଦ୍ଧବ ହରପାଲ, ତ୍ରିଲୋଚନ ସାହୁ, ବେଣୁଧର ଜାନୀ, ପରମାନନ୍ଦ ଭୋଇ, ରାଜିନ୍ଦ୍ର ଜାନୀ ଜିଲାପାଳଙ୍କ ଠାରେ ଗୁହାରି କରିଥିଲେ । କୋଡିଏ ହେକ୍ଟର ଜମିରେ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯାଇଥିବାରୁ ସମସ୍ୟା ହେଉଥିବା ଚାଷୀ ମାନେ ଜିଲାପାଳଙ୍କୁ ବୁଝାଇଥିଲେ ।

prayash

ରାଜକୋଶରୁ ମୋଟା ରାଶି ନେଇ ପ୍ରକଳ୍ପର ସର୍ଭେ କାର୍ଯ୍ୟ ମଧ୍ୟ କରିଥିବା ଏଲଏଣ୍ଡଟି ସଂସ୍ଥା ଚାଷୀଙ୍କ ଜମିକୁ ପାଣି ମାଡୁନଥିବା ନେଇ ନିରବ କାହିଁକି ବୋଲି ଚାଷୀ ନେତା ପ୍ରଶ୍ନ କରିଛନ୍ତି । ଏନେଇ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ଦାବି କରିଛନ୍ତି । ଅଞ୍ଚଳର ଚାଷୀ ରଞ୍ଜନ ଝାଙ୍କର, ଜଗନ୍ନାଥ ସାହୁ, ଗିରିଧାରୀ ସାହୁ ପୃଥକ ଭାବରେ ସମାନ ଅଭିଯୋଗ ଦାଖଲ କରିବା ସହ ଜଳସେଚନ ଅବ୍ୟବସ୍ଥା ନେଇ ସେମାନଙ୍କ ଚାଷ ଜମି ପଡିଆ ସହ ପରିବାର କିଭଳି ପରିସ୍ଥିତିରେ ରହିଛନ୍ତି ତାହା ତଦାରଖ କରିବାକୁ ଜିଲାପାଳଙ୍କୁ ନିବେଦନ କରିଥିବା କହିଛନ୍ତି ।

ଅନ୍ୟପକ୍ଷରେ ବ୍ଲକ ଅନ୍ତର୍ଗତ ଚାହାଁରଭଟା ଠାରେ ୮ କୋଟି ଟଙ୍କାରେ ନିର୍ମିତ ସରକାରି ଶୀତଲଭଣ୍ଡାର କାମକୁ ଆସୁନାହିଁ । ଏହା କଣ ଅନ୍ନଦାତାଙ୍କ ଚାଷୀଙ୍କ ପ୍ରତି ତାତ୍ସଳ୍ୟ ନୁହେଁ କି ବୋଲି ଚାଷୀନେତା ପ୍ରଶ୍ନ କରିଥିଲେ । ତେବେ ଉଭୟ ଅଭିଯୋଗ ନେଇ ଦୁଇ ବର୍ଷ ପରେ ଅଭିଯୋଗ ଶୁଣିବାକୁ ଆସିଥିବା ବଲାଙ୍ଗିର ଜିଲାପାଳ କୌଣସି ସ୍ପଷ୍ଟ ଉତ୍ତର ନଦେବା ଚାଷୀଙ୍କୁ ନିରାଶ କରିଛି । ବର୍ଷବର୍ଷ ଧରି ଚାଷୀ ସମସ୍ୟା ସମାଧାନ ନହେବା, ନେତା ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ନଦେବା ତଥା ପ୍ରଶାସନିକ ହାତ ଟେକି ଦେବା ନେଇ ଚାଷୀକୁଳ ରାହା ପାଇବେ କେମିତି ବୋଲି ଏନେଇ ବୁଦ୍ଧିଜୀବୀ ମହଳରେ ଚିନ୍ତା ପ୍ରକାଶ ପାଇଛି । ରାଜ୍ୟ ସରକାର ଚାଷୀ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Comments are closed.