ଏହି ଉପାୟରେ ସଫା କରନ୍ତୁ ବେସିନ୍ : ନୂଆ ଭଳି ଚମକିବା ସହ ଦୂର ହେବ ଦୁର୍ଗନ୍ଧ

0

ଘରକୁ ସର୍ବଦା ପରିଷ୍କାର ରଖିବା ନିହାତି ଆବଶ୍ୟକ ହୋଇଥାଏ। କାରଣ ଯଦି ଘର ଅପରିଷ୍କାର ତଥା ଦୁର୍ଗନ୍ଧମୟ ରହିବ ତେବେ ଏହାର ପ୍ରଭାବ ସିଧାସଳଖ ଆମ ଉପରେ ପଡ଼ିଥାଏ। ଅନେକ ରୋଗ ଦେଖାଦେବା ସହ ମାନସିକ ସ୍ଥିତି ମଧ୍ୟ ବିଗିଡ଼ିଯାଏ। ଏହାସହିତ ଦେବାଦେବୀ ମଧ୍ୟ ଆମ ଉପରେ ଅସନ୍ତୁଷ୍ଟ ହୋଇଥାଆନ୍ତି। ବିଶେଷ କରି ଘରର ବେସିନ୍ ସବୁବେଳେ ସଫା ରଖିବା ଉଚିତ। କାରଣ ଯଦି ଘରେ ବେସିନ୍ ଅପରିଷ୍କାର ହୁଏ ତେବେ ସମ୍ପୂର୍ଣ୍ଣ ଘର ଦୁର୍ଗନ୍ଧମୟ ହୋଇଯାଏ। ଏହାସହିତ ସେଠାରୁ ଅନେକ ଜୀବାଣୁ ଘର ସାରା ବ୍ୟାପି ଯାଆନ୍ତି। ଏପରି କିଛି ଘରୋଇ ଜିନିଷ ରହିଛି ଯାହାଦ୍ବାରା ବେସିନ୍‌ ସଫା କଲେ ଦୁର୍ଗନ୍ଧ ସମ୍ପୂର୍ଣ୍ଣ ଦୂର ହେବା ସହ ବେସିନ୍ ସବୁଦିନ ଚିକ୍‌ଚିକ୍‌ କରୁଥିବ। ଆସନ୍ତୁ ଜାଣିବା ବେସିନ୍‌ ସଫା କରିବାର ଘରୋଇ ଉପାୟ ବିଷୟରେ –

ଲୁଣ: ବେସିନ୍‌ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ୍‌ ଜାମ୍‌ ହୋଇଯାଏ। ଏହାସହିତ ଅନେକ ଦାଗ ହେବା ସହ ତେଲିଆ ମଧ୍ୟ ହୋଇଯାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରେ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ୍‌ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା କମ୍‌ ହୋଇଥାଏ।
ଲେମ୍ବୁ: ବେସିନର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ୍‌ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ। ଏପରି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।
କଳା ଭିନେଗାର୍: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ୍ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ୍ ସଫା କଲା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ। ବାସନ ଧୋଇଲା ପରେ ଭିନେଗାର ପକାଇ ବେସିନ ଚାରିପାଖ ବ୍ରଶ୍ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍ ଚିକ୍ ଦେଖାଯାଏ।
ବେକିଂ ସୋଡା: ବେସିନ୍‌କୁ ନୂଆ ଭଳି ଚମକାଇବା ପାଇଁ ଆପଣ ବେକିଂ ସୋଡ଼ାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍‌ରେ ବେକିଂ ସୋଡ଼ା ପକାଇ ୫ ମିନିଟ୍ ଛାଡ଼ି ଦେବେ। ଏହାପରେ ରଗଡ଼ି ସଫା କରିଦେବେ। ଏହାଦ୍ବାରା ବେସିନ୍ ସମ୍ପୂର୍ଣ୍ଣ ସଫା ହେବା ସହ ଏଥିରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

Leave A Reply