ତିନି ତଲାକ ଉପରେ ସରକାର ଆଣିବେ ଅଧ୍ୟାଦେଶ
ନୂଆଦିଲ୍ଲୀ : ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ତ୍ୱରିତ ଛାଡପତ୍ର ବ୍ୟବସ୍ଥା ତିନି ତଲାକକୁ ଅପରାଧ ବିବେଚନା ପୂର୍ବକ ପ୍ରସ୍ତୁତ ବିଧେୟକକୁ ଆଇନର ରୂପ ଦେବା ଲାଗି ସରକାର ଅଧ୍ୟାଦେଶ ଆଣିବାକୁ ଯାଉଥିବା ଜଣାଯାଇଛି। ବିବାଦୀୟ ତିନି ତଲାକ ବିଧେୟକ ସଂସଦର ଅନୁମୋଦନ ଅପେକ୍ଷାରେ ରହିଥିବାବେଳେ ଏହାକୁ ଆଇନର ରୂପ ଦେବା ପୂର୍ବକ କାର୍ଯ୍ୟକାରୀ କରିବାକୁ ସରକାର ଅଧ୍ୟାଦେଶ ଆଣିବେ ବୋଲି ଜଣାଯାଇଛି। ଅଧ୍ୟାଦେଶ ଆଣିବା ଉପରେ ବିଚାର ଲାଗି ସରକାର ଖୁବଶୀଘ୍ର କ୍ୟାବିନେଟ ବୈଠକ ଡକାଇବାକୁ ଯାଉଛନ୍ତି। ତିନି ତଲାକ ବା ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ନାମରେ ଆଗତ ବିଧେୟକ ଲୋକସଭାର ଅନୁମୋଦନ ଲାଭ କରିଥିବାବେଳେ ରାଜ୍ୟସଭାର ଅନୁମୋଦନ ଅପେକ୍ଷାରେ ରହିଛି। ରାଜ୍ୟସଭାରେ ବିରୋଧୀ ଦଳଗୁଡିକ ବିଧେୟକକୁ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଯୁକ୍ତି ବାଢିଛନ୍ତି। ବିଧେୟକର ବ୍ୟବସ୍ଥା ଅନୁଯାୟୀ ତିନି ତଲାକ ଦ୍ୱାରା ଛାଡପତ୍ର ଦେଲେ ସମ୍ପୃକ୍ତି ବ୍ୟକ୍ତିଙ୍କୁ ସର୍ବନିମ୍ନ ତିନିବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ।