ଝୁଲି ପଡ଼ିଲେ କନଷ୍ଟେବଳ

ଟିକାବାଲି: ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ କନଷ୍ଟେବଳ। ଟିକାବାଲି ଥାନା ସ୍ଥିତ ସରକାରୀ ବାସଭବନରେ ଶ୍ରୀନିବାସ ଘଟାଲ(୪୫) ନାମକ ଜଣେ କନଷ୍ଟେବଳ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର ବୋଲି ଜଣାପଡିଛି।

କନଷ୍ଟେବଳ ଶ୍ରୀନିବାସ ଘଟାଲ ଟିକାବାଲି ଥାନାରେ ମୁତୟନ ଥିଲେ। ତାଙ୍କ ପରିବାର କହିବା ଅନୁସାରେ, ତାଙ୍କର ଗାଁରେ ଏକ ନୂଆ ବାସଗୃହ ନିର୍ମାଣ ଆରମ୍ଭ କରିବା ପରେ ଜମିବାଡ଼ିକୁ ନେଇ ସବୁବେଳେ ଉଦାସ ମନରେ ରହୁଥିଲେ ଶ୍ରୀନିବାସ। ଆଜି ସ୍ଥାନୀୟ ଟିକାବାଲି ଥାନାରେ ତାଙ୍କ ସହକର୍ମୀମାନେ ଡ୍ୟୁଟି ପାଇଁ ଡାକିବା ବେଳେ ଶ୍ରୀନିବାସ ରହୁଥିବା କ୍ୱାର୍ଟରର କବାଟ ଭିତର ପଟେ ବନ୍ଦ ଥିବା ଦେଖିଥିଲେ। ଏହାପରେ ଝରକାରେ ଥିବା ଏକ ଛୋଟିଆ କଣାରୁ ଦେଖିବା ବେଳକୁ ଶ୍ରୀନିବାସ ଗାମୁଛାରେ ଫ୍ୟାନରେ ଝୁଲିଥିବା ଦେଖିବାକୁ ମିଳିଥିଲା। କନେଷ୍ଟବଳଙ୍କ ମୃତ୍ୟୁ ଖବର ପାଇ ଜ.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ତିରୁପତିରାଓ ପଟ୍ଟନାୟକ, ବାଲିଗୁଡା ଉପଖଣ୍ଡ ପୁଲିସ ଅଧିକାରୀ ରହିତ ବର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଶ୍ରୀନିବାସଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଟିକାବାଲି ପୁଲିସ ସହ ମଧ୍ୟ ଆଲୋଚନା କରିଥିଲେ।ପରେ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଟିକାବାଲି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ୧/୨୦୨୩ ରେ ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ କଲ୍ୟାଣୀମୟୀ ସେଣ୍ଡ ସୂଚନା ଦେଇଛନ୍ତି।

Comments are closed.