ଆଜିଠୁ ତିଗିରିଆର ପ୍ରସିଦ୍ଧ କାଳୀପୂଜା
୧୦ଦିନ ଯାଏ ଦୁଲୁକିବ,ଝଲସିବ ନିଜିଗଡ଼, ଚଳଚଞ୍ଚଳ ଗଡ଼ବାସୀ ଓ ବ୍ୟବସାୟୀ
ତିଗିରିଆ : ତିଗିରିଆ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ଚଳିତ ବର୍ଷ ୯ଦିନ ଧରି ପାଳନ କରାଯିବା । ଆଉ ଗୋଟିଏ ଦିନରେ ସାର୍ବଜନୀନ ସାମୁହିକ ଭସାଣ ପର୍ବ ଅନୁଷ୍ଠିତ ହେବ । କରୋନା କଟକଣାରେ ଗତ ଦୁଇ ବର୍ଷ ହେଲା ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ଏହି ଯାତ୍ରାକୁ ଚଳିତ ବର୍ଷ ୧୦ଦିନ ଯାଏଁ ଧୁମଧାମରେ ପାଳନ କରାଯିବା ଲାଗି ତିଗିରିଆ ଗଡ଼ ଏବେଠୁ ଚଳଚଞ୍ଚଳ ହୋଇପଡ଼ିଛି । ଗଡ଼ର ୧୭ ଗୋଟି ସ୍ଥାନରେ ବିଭିନ୍ନ ମୃଣ୍ମୟ ପ୍ରତିମା ନିର୍ମାଣ କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡପ ସହିତ ସାହିଗଳିକୁ ସାଜସଜ୍ଜା କରିବାରେ ଗଡ଼ବାସୀ ଲାଗିପଡ଼ିଛନ୍ତି । ସୋମବାର ୨୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖରେ ସାମୁହିକ ଭସାଣ ଉତ୍ସବ ହେବ ବୋଲି କାଳିପୂଜା ଯାତ୍ରା ଶାନ୍ତି କମିଟି ଓ ପ୍ରଶାସନର ମିଳିତ ସମନ୍ୱୟ ବୈଠକରେ ଏହି ନିଷ୍ପତି ହୋଇସାରିଛି ।
ନିଜିଗଡ଼ର ବିଭିନ୍ନ ପୂଜା କମିଟି ଯଥା ଉପରଗଡ଼, ବ୍ରାହ୍ମଣସାହି, ବଡ଼ଦାଣ୍ଡସାହି, ମହାରାଜା କ୍ଲବ, କାଳୀପୂଜା କମିଟି, ଗାନ୍ଧୀସାହି, ପନ୍ଥେଇ ସାହି, ନୂଆସାହି, ପାଖଲୋକ ସାହି, ମହାବୀର ବଜାର ପ୍ରମୁଖ ସ୍ଥାନରେ ମୃଣ୍ମୟ ମୂର୍ତ୍ତି ନିର୍ମାଣରେ କାରିଗରମାନେ ଏବେ ଶେଷ ସ୍ପର୍ଶ ଦେଉଛନ୍ତି। ଅପରପକ୍ଷେ ଗୋହିରୀମୁଣ୍ଡ ମହାବୀର ବଜାରଠାରୁ ରାଜବାଟୀ ପର୍ଯ୍ୟନ୍ତ ମୁଖ୍ୟ ସଡ଼କ ସମେତ ପ୍ରତି ସାହି ରାସ୍ତାର ଉଭୟ ପଟ ରଙ୍ଗୀନ ଆଲୋକମାଳାରେ ସହିତ ସୁଉଚ୍ଚ ଆଲୋକ ତୋରଣରେ ସଜେଇ ହେଲାଣି । ଗଡ଼ ମୁଖ୍ୟ ସଡ଼କର ଉଭୟ ପଟରେ ଶହଶହ ସଂଖ୍ୟାରେ ଅସ୍ଥାୟୀ ଦୋକାନ ବଜାର ସହିତ ଗାନ୍ଧୀ ମଇଦାନରେ ନାନା ରକମର ଦୋଳି ସହିତ ମୀନା ବଜାର ପ୍ରସ୍ତୁତି ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ହରିଜନ ସାହିରେ ଆଉ ଗୋଟିଏ ନୂଆ ମେଢ଼ କାଳୀପୂଜା ଯାତ୍ରା ସହିତ ଯୋଡ଼ି ହୋଇଛି । ସାମୁହିକ ଭସାଣ ପର୍ବରେ ସବୁ ସାହିଗୁଡ଼ିକର ମେଢ଼ ପରି ହରିଜନ ଏବଂ ଆଦିବାସୀ ଶବର ସାହିର ସମସ୍ତ ମେଢ଼ ସାର୍ବଜନୀନ ଭାବେ ଉତ୍ସବରେ ସାମିଲ ହୋଇଥାନ୍ତି ଏବଂ ନିଜର ଶୋଭାଯାତ୍ରା ପ୍ରଦର୍ଶନ କରିଥାନ୍ତି । ଏହା ଅଞ୍ଚଳର ଭାଇଚାରା ଓ ସଂହତିକୁ ସୁଦୃଢ଼ କରିଚାଲିଛି।
ଶାନ୍ତି କମିଟି ପକ୍ଷରୁ ଯାତ୍ରାକୁ ସରସ ସୁନ୍ଦର ସହିତ ସ୍ୱଚ୍ଛ ପରିମଳ ମଧ୍ୟରେ କିଭଳି ଶାନ୍ତି ଶୃଙ୍ଖଳାରେ ଏହି ଯାତ୍ରା ପରିଚାଳନ ହେବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥାରେ ଲାଗିପଡ଼ିଥିବା ଜଣାପଡ଼ିଛି । ରବିବାର ଠାରୁ ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ଯୋଗୁଁ ପ୍ରତିକୂଳ ପାଣିପାଗକୁ ନେଇ ଦେଖଣାହାରୀ ଏବଂ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜକଙ୍କ ମଧ୍ୟରେ ସାମାନ୍ୟ ଆଶଙ୍କା ଦେଖାଦେଇଛି । ତେବେ ଅନୁକୂଳ ପାଗ ଜାରି ରହିଲେ ଚଳିତ ବର୍ଷ ତିଗିରିଆ ଗଡ଼ ୧୦ଦିନ ଯାଏ ଦୁଲୁକିବ ଓ ଝଲସି ଉଠିବ, ଏହା ନିଶ୍ଚିତ ଜାତି ଧର୍ମ ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତେ କାଳୀପୂଜାକୁ ଆନନ୍ଦ ଓ ଉତ୍ସାହର ସହିତ ଉପଭୋଗ କରିବା ସହିତ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସୁପରିଚାଳନାରେ ସମ୍ମିଳିତ ସହଯୋଗ କରିବାକୁ ଶାନ୍ତି କମିଟି ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି।
Comments are closed.