ମନମୋହୁଛି ତିଗିରିଆଗଡ଼ କାଳୀପୂଜା, ଝଲସୁଛି ପୂଜାମଣ୍ଡପ

ରାଜବାଟୀ ଓ ଗାନ୍ଧୀ ପଡ଼ିଆ ମୀନାବଜାର

ତିଗିରିଆ :  ତିଗିରିଆ ଗଡ଼ଜାତର ପୁରାତନ କାଳୀପୂଜା ଯାତ୍ରା ପବିତ୍ର ଜ୍ୟୋତିର ପର୍ବ ଦୀପାବଳି ଠାରୁ ଆରମ୍ଭ ହୋଇଛି । ଏହା ୯ ଦିନ ଧରି ଅନୁଷ୍ଠିତ ହେବା ପରେ ନଭେମ୍ବର ୨ତାରିଖରେ ସାମୁହିକ ଭସାଣି ପର୍ବ ପରେ ଉଦଯାପିତ ହେବ। କରୋନା କଟକଣା ନାହିଁ କି ବାତ୍ୟାର ଭୟ ଆଉ ନାହିଁ। ଅନୁକୂଳ ପାଣିପାଗରେ ଆରମ୍ଭରୁ ଯାତ୍ରାର ମାହୋଲ ବେଶ ଆକର୍ଷଣୀୟ ଢ଼ଙ୍ଗରେ ଜମିବାରେ ଲାଗିଛି । ଅଞ୍ଚଳର ରାଜନୈତିକ ଓ ପ୍ରଶାସନିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ନିଜିଗଡ଼ରେ ଏବେ ଆନନ୍ଦ ଉଲ୍ଲାସର ସହ ଗଡ଼ବାସୀଙ୍କ ନିବିଡ଼ ଭାଇଚାରା ଏବଂ ପୁରାତନ କାଳୀପୂଜା ଅଧ୍ୟାୟର ବିକଶିତ କଳେବର ଏବର୍ଷ ପ୍ରତିଫଳିତ ହୋଇଚାଲିଛି । ସଞ୍ଜ ନଇଁଲେ ହଜାର ହଜାର ଦେଖଣାହାରୀଙ୍କ ମନମୋହୁଛି ତିଗିରିଆଗଡ଼ କାଳୀପୂଜା ଯାତ୍ରା।

ରଙ୍ଗ ବେରଙ୍ଗର ଆଲୋକମାଳାରେ ଗଡ଼ର ସମସ୍ତ ସାହିଗଳି ଛାଇଯାଇଥିବା ବେଳେ ସୁଉଚ୍ଚ ଆଲୋକତୋରଣର ବର୍ଣ୍ଣାଳୀରେ ସନ୍ଧ୍ୟା ପରେ ନିଜିଗଡ଼ର ଚର୍ତୁଦିଗରେ ଝଲସି ଉଠୁଛି । ସାଜସଜ୍ଜା, ବାଜା, ବାଣ ଓ ଧୀର ସଙ୍ଗୀତର ମୂର୍ଚ୍ଛନା ଭିତରେ ପୂଜା ମଣ୍ଡପର ମୃଣ୍ମୟ ପ୍ରତିମା, ରାସ୍ତାର ଦୁଇ ପଟରେ ଶହଶହ ବିଭିନ୍ନ ପ୍ରକାରର ଷ୍ଟଲ ଏବଂ ମୀନାବଜାରକୁ ନେଇ ଏକ ରକମ ପ୍ରତିଯୋଗୀତା ଚାଲୁ ରହିଛି । ଦେଖଣାହାରୀ ଛୋଟ ଠୁ ବଡ଼ଯାଏଁ ସମସ୍ତଙ୍କ ମନମୁତାବକ ଉପଭୋଗର ରାଜୁତି ଚାଲିଛି । ଧୀରେ ଧୀରେ ଗଡ଼ ଭିତର ଗୋଟିଏ ପରେ ଗୋଟିଏ ରାତି ଅଧିକରୁ ଅଧିକ ଗହଳି ବଢ଼ିବାରେ ଲାଗିଛି । ତିଗିରିଆର ଗୋହିରୀଦ୍ୱାର ଛକ, ଗାନ୍ଧୀସାହି, ଥାନାଛକ, ନୂଆସାହି, ବଡ଼ଦାଣ୍ଡସାହି, ପାଖଲୋକସାହି, ଉପରଗଡ଼, ବ୍ରାହ୍ମଣସାହି, ନବୀସସାହି ପ୍ରଭୃତି ୧୭ଟି ପୂଜା ମଣ୍ଡପରେ ଚଳିତବର୍ଷ ମା କାଳୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମୃଣ୍ମୟ ପ୍ରତିମା ଶୋଭା ପାଉଛନ୍ତି। ଏସବୁ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି।
ରାଜବାଟୀ ଏବଂ ଗାନ୍ଧୀ ମଇଦାନରେ ମୀନାବଜାର ଓ ଅସ୍ଥାୟୀ ଖେଳ ଉପକରଣ କୁନିକୁନି ପିଲାଙ୍କୁ ଆକର୍ଷିତ କରୁଛି । ସେହିପରି ଗୋହିରୀମୁଣ୍ଡ ଠାରୁ ରାଜବାଟୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଖରେ ଶହ ଶହ ସଂଖ୍ୟାରେ ଅସ୍ଥାୟୀ ବିପଣୀ ପସରା ଓ ବିଭିନ୍ନ ବ୍ୟବସାୟିକ ଷ୍ଟଲ, ନାନା ଚଟପଟି ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ବିକ୍ରେତାଙ୍କ ଆସ୍ଥାନରେ ଖୁନ୍ଦି ହୋଇଯାଇଛି । ଏବର୍ଷ ରାଜ୍ୟ ବାହାରୁ ବହୁ ଅଣଓଡ଼ିଆ ବ୍ୟବସାୟୀ ବିଭିନ୍ନ ଘରସଜ୍ଜା ଉପକରଣ ସହିତ ପ୍ଲାଷ୍ଟିକ ଓ ଚିନାମାଟିର ଉପକରଣ ବେଉସା କରିବା ଲାଗି ବେଶ ଗହଳି ଲଗାଇଥିବା ଦେଖିବାକୁ ମିଳିଛି। ଉଭୟ ସ୍ଥାନରେ ସାଧାରଣରେ ଦିନରାତି ଭିଡ଼ ଜମୁଛି। ବିଶେଷ କରି ଛୋଟ ପିଲାଙ୍କ ବହୁଳ ଗହଳି ଦେଖିବାକୁ ମିଳୁଛି । ତିନି ତିନିଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦିନବେଳା ଏହି ସ୍ଥାନଗୁଡ଼ିକରେ ବେଶ ଗହଳି ଜମାଉଥିବା ଦେଖିବାକୁ ମିଳିଛି।

prayash

ଗାନ୍ଧୀସାହି ଠାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଅସ୍ଥାୟୀ ଆଧ୍ୟାତ୍ମିକ ଶିବିରରେ କର୍ମୀମାନଙ୍କ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ ମଧ୍ୟ ଚାଲୁ ରହିଛି। ତିଗିରିଆ ନିଜିଗଡ଼ ନିକଟବର୍ତ୍ତୀ ଅଚଳକୋଟ, ଭିରୁଡ଼ା, ପାଞ୍ଚଗାଁ, ପୁରୁଣାତିଗିରିଆ, ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା, ଗଦାଧରପୁର, ବଡ଼ନାଉପୁଟ ସମେତ ବାଙ୍କି ଉତ୍ତର କୁଳାଟ ଏବଂ ମାଣିବନ୍ଧ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମରେ ତିଗିରିଆ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ଦୁଲୁକି ଉଠୁଛି। ପୂଜା କମିଟି ଗୁଡ଼ିକ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଓ ମନୋରଞନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ଯାତ୍ରାକୁ ସରସ ସୁନ୍ଦର କରିବା ଲାଗି ମୃର୍ତ୍ତି ଗଢ଼ଣ, ପରିମଳ, ସାଜସଜ୍ଜା ଓ ଶାନ୍ତି ଶୃଙ୍ଖଳାକୁ ଆଧାରକରି ବିଭିନ୍ନ ପୂଜା କମିଟି ଗୁଡ଼ିକୁ ଶାନ୍ତି କମିଟି ପକ୍ଷରୁ ଚୟନ କରାଯାଇ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ତାହାକୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ ଉତ୍ସୁକତା ଭରି ରହିଥିବା ଜଣାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିଗିରିଆ ଥାନା ପୁଲିସ ଏବଂ ଅତିରିକ୍ତ ଗୋଟିଏ ଫୋର୍ସ ନିୟୋଜିତ ଥିବା ଶ୍ରୀମତୀ ଜେନା କହିଛନ୍ତି । ଏଥିସହ ଶାନ୍ତି କମିଟି ପକ୍ଷରୁ ସ୍ୱତନ୍ତ୍ର ଭାବେ ସ୍ୱେଚ୍ଛାସେବୀ ବାହିନୀ ଶୃଙ୍ଖଳା ରକ୍ଷାରେ ନିୟୋଜିତ ଥିବା କମିଟି ପକ୍ଷରୁ ପ୍ରକାଶ।

kalyan agarbati

Comments are closed.