ତିଗିରିଆରେ ପ୍ରସ୍ତାବିତ ଇକୋ ଟୁରିଜିମ ଓ ପ୍ରମୋଦ ଉଦ୍ୟାନ ଭିତ୍ତିଭୂମିର ଉଚ୍ଚସ୍ତରୀୟ ଅନୁଧ୍ୟାନ
ତିଗିରିଆ : କଟକ ଜିଲ୍ଲାର ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଠାରେ ପ୍ରସ୍ତାବିତ ଇକୋ ଟୁରିଜିମ ଓ ପ୍ରମୋଦ ଉଦ୍ୟାନ ଭିତ୍ତିଭୂମି ଉନ୍ନୟନ୍ନ ପାଇଁ ଗୁରୁବାର ଉଚ୍ଚ ସ୍ତରୀୟ ଅନୁଧ୍ୟାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବ ସମୀକ୍ଷା ବୈଠକ ଓ ନିଷ୍ପତି କ୍ରମେ ନିଜିଗଡ଼ ଠାରେ ରେଙ୍ଗାଲୀ ପ୍ରକଳ୍ପ ଉପରେ ଏହି ଇକୋ ଟୁରିିଜିମ ଓ ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ନିମନ୍ତେ ଗଠିତ ଏକ ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ଜାଗାର ସ୍ଥିତି ଅନୁଧ୍ୟାନ କରିବା ସହ ଭିତ୍ତିଭୂମି ଓ ଅନ୍ୟ ଆନୁସଙ୍ଗିକ ବିଷୟରେ ଆଲୋଚନା କରିଥିଲେ। ଏହି ଅନୁଧ୍ୟାନରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଏ ଏନ ଏସ ଲାଗୁରି, ରେଙ୍ଗାଲୀ ଦକ୍ଷିଣାଞ୍ଚଳ ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର ପଣ୍ଡା, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତିଗିରିଆ ତହସିଲଦାର ପ୍ରମୁଖ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତାପସ କୁମାର ପ୍ରଧାନ, ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ନିଜିଗଡ଼ ଠାରେ ଥିବା ରେଙ୍ଗାଲୀ ପ୍ରକଳ୍ପର ଭୂତଳ କେନାଲ ଉପରେ ପ୍ରାୟ ଦେଢ଼ କିଲୋମିଟର ଦୈର୍ଘ୍ୟ ଏବଂ ୩ମିଟର ପ୍ରସ୍ଥ ବିଶିଷ୍ଟ ସ୍ଥାନରେ ଏହି ଇକୋ ଟୁରିଜିମ ଓ ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି । ଭୂତଳ କେନାଲ ଉପରେ କେତେକ ସ୍ଥାନକୁ ସମତୁଲ କରାଯିବାର ଆବଶ୍ୟକତା ରହିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ତାହା କରାଯାଇ ପାରିନଥିବାରୁ ଖୁବ୍ ଶିଘ୍ର ଏହାକୁ ସମତୁଲ କରାଯିବା ସହିତ ଏହାର କାର୍ଯ୍ୟାରମ୍ଭ କରାଯିବ ବୋଲି ପରିଦର୍ଶନରେ ଆସିଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତିଗିରିଆରେ ଏହି ଇକୋ ଟୁରିଜିମ ପ୍ରତିଷ୍ଠା ପାଇଲେ ଆଖପାଖରେ କଟକ ଓ ଢ଼େଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ଓ ଦର୍ଶନୀୟ ସ୍ଥାନ ଯଥା ଅଂଶୁପା ହ୍ରଦ, କପିଳାସ, ଯୋରନ୍ଦା, ଭଟ୍ଟାରିକା, ସପ୍ତଶଯ୍ୟା, କଣ୍ଟିଲୋ, ସିଂହନାଥ ଆଦି ସ୍ଥାନର ନିକଟବର୍ତ୍ତୀ ହୋଇଥିବାରୁ ଏହା ମଧ୍ୟ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରିହେବା ଆଶା କରାଯାଇଛି । ସେହିଭଳି ତିଗିରିଆର ଏକମାତ୍ର ପର୍ଯ୍ୟଟନସ୍ଥଳୀ ଘୋଷିତ ନିଜିଗଡ଼ ରାଜବାଟୀସ୍ଥିତ ପ୍ରସନ୍ନମଣିଙ୍କ ପୀଠ ନିକଟରେ ଏହି ଇକୋ ଟୁରିଜିମ ପ୍ରତିଷ୍ଠା ପାଇବାକୁ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହେବ । ଏହି ପରିଦର୍ଶନ ପରେ ପ୍ରଶାସନିକ ଅଧିକାରୀମାନେ ସମ୍ଭାବ୍ୟ ଉନ୍ନୟନ୍ନ କାର୍ଯ୍ୟ ଏବଂ ବନୀକରଣ ସମ୍ପର୍କରେ ପର୍ଯ୍ୟଟନ ବିଭାଗକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
Comments are closed.