ଗ୍ରାମାଞ୍ଚଳ ସଶକ୍ତିକରଣ ଉପରେ ନିର୍ଭର କରେ ଦେଶର ବିକାଶ, ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଛନ୍ତି ୭୦ଲକ୍ଷ ମହିଳା
ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଉପରେ ତିନି ଦିନିଆ ଜାତୀୟ କର୍ମଶାଳା
ଭୁବନେଶ୍ୱର: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ସହଭାଗୀତାରେ ଆଜିଠାରୁ ଭୁବନେଶ୍ୱରସ୍ଥିତ କିଟ୍ ଅଡିଟୋରିୟମଠାରେ ଗ୍ରାମ ପଞ୍ଚାୟତ ଗୁଡିକରେ ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲଏସଡିଜି) ସମ୍ବନ୍ଧୀୟ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି।
କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡିଶା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଏବଂ ଏଠାରେ ନାରୀ ନେତୃତ୍ୱକୁ ସମ୍ମାନ ଦେବା ସହ ଗଣତନ୍ତ୍ରର ପ୍ରଚଳନ ପ୍ରାଚୀନ କାଳରୁ ହୋଇଆସୁଅଛି, ଏଥି ପାଇଁ ଆମେ ଓଡିଶାବାସୀ ଗର୍ବିତ। ପଂଚାୟତିରାଜ ପ୍ରତିନିଧିଙ୍କ ନେତୃତ୍ୱ, ବିଶେଷ କରି ମହିଳା ନେତୃତ୍ୱ ତୃଣମୂଳସ୍ତରରେ ସକ୍ରିୟ ନଥିଲେ, କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରିନଥାନ୍ତା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ।
ଏହି ଅବସରରେ ମାନ୍ୟବର କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ଵର ପାଟିଲ୍ ଉଦବୋଧନ ଦେଇ କହିଥିଲେ ଯେ, ତୃଣମୂଳ ସ୍ତରରେ ଏସଡିଜି ଲକ୍ଷ୍ୟ ହାସଲ କରିବା ପାଇଁ ପିଆରଆଇ ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି କାରଣ ସେମାନେ ସରକାରଙ୍କ ଯୋଜନା ଏବଂ କାର୍ୟ୍ୟକ୍ରମର ସଫଳ ରୂପାୟନ କରିଥାନ୍ତି ଓ ଦେଶର ବିକାଶ ମୁଖ୍ୟତଃ ଗ୍ରାମାଞ୍ଚଳ ସଶକ୍ତିକରଣ ଉପରେ ନିର୍ଭର କରେ, କାରଣ ଭାରତର ଆତ୍ମା ହେଉଛି ଗାଁ ବୋଲି ସେ ଅଭିହିତ କରିଥିଲେ ।
ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଥିଲେ ଯେ, ନବେ ଦଶକ ଆରମ୍ଭରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଓଡ଼ିଶାରେ ମହିଳାଙ୍କ ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତକୁ ବୃଦ୍ଧି କରି ରାଜ୍ୟରେ ମହିଳା ସଶକ୍ତିକରଣରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛନ୍ତି । ଆହୁରି ମଧ୍ୟ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ଵାବଲମ୍ବୀ ଓ ସଶକ୍ତ କରି ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ, ଓଡିଶା ସରକାର ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ପ୍ରକାଶ କରିଥିଲେ ଯେ, ପିଆରଆଇ ପ୍ରତିନିଧି, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ତୃଣମୂଳ ସ୍ତରରେ ଏଲଏସଡିଜିର ତିନି ପ୍ରମୁଖ ଅଂଶୀଦାର ଏବଂ ୨୦୩୦ ସୁଦ୍ଧା ଏଲଏସଡିଜିର ସଫଳ କାର୍ୟ୍ୟଓନ୍ଵୟନ ପାଇଁ ସେମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟ ଏକାନ୍ତ ଆବଶ୍ୟକ। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶାର ୭୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କରାଯାଇଛି ବୋଲି ସେ କହିଥିଲେ।
ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଲ୍ଲେଖ କରିଥିଲେ ଯେ, ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ। ‘ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ’ ବିକାଶ ପାଇଁ ପାଣ୍ଠି ବାଧକ ନୁହେଁ। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲାବେଳେ ମୋଟ ସରପଞ୍ଚଙ୍କ ମଧ୍ୟରୁ ୫୬ ପ୍ରତିଶତ ହେଉଛନ୍ତି ମହିଳା।
ପ୍ରାରମ୍ଭରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିବା ସହ ଗ୍ରାମ ପଞ୍ଚାୟତରେ ଏଲଏସଡିଜିର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଅତିଥିମାନେ ଓଡିଶାରେ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ପାଇଁ ରୋଡମ୍ୟାପ, ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଉପରେ ଭିଜନ ଡକ୍ୟୁମେଣ୍ଟ ଏବଂ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିବା ଉପରେ କଫି ଟେବୁଲ ବୁକ୍ ଆଦିର ଡିଜିଟାଲ ଉନ୍ମୋଚନ କରିବା ସହ ଆଇଇସି ପ୍ରଦର୍ଶନୀର ଉଦଘାଟନ କରିଥିଲେ।
ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ସି. ଏସ. କୁମାର ୨୦୩୦ ସୁଦ୍ଧା ଏସଡିଜି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ସମନ୍ଵୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ୟୁନିସେଫ୍, ଭାରତ ପ୍ରତିନିଧି ସୁଶ୍ରୀ ସିନ୍ଥିଆ ମ୍ୟାକ୍ କାଫ୍ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।
ଓରମାସର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଥମ ଦିନର ଉଦ୍ଘାଟନୀ ଅଧିବେଶନ ପରେ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମ ପ୍ୟାନେଲ୍ ଆଲୋଚନାଟି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ‘ଶିଶୁ ଅନୁକୂଳ ଗ୍ରାମ: ଶିଶୁମାନଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ପରିବେଶ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମାଜିକ ସେବାରେ ସମାନତା ଆଣିବା’ ଉପରେ ଅନୁଷ୍ଠିତ ହୋଇଥିଲା । ସେହିପରି ଦ୍ୱିତୀୟ ପ୍ୟାନେଲ ଆଲୋଚନାଟି ଓରମାସର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ‘ମହିଳା ଅନୁକୂଳ ଗ୍ରାମ’ ବିଷୟରେ ଅନୁଷ୍ଠିତ ହୋଇଥିଲା ଓ
ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରଣାଳୟର ବିଶେଷଜ୍ଞ, ସ୍ୱେଚ୍ଛାସେବୀ ସଙ୍ଗଠନ, ଅଧିକ୍ଷେତ୍ର ବିଶେଷଜ୍ଞ ଏବଂ ଗ୍ରାମ ପଞ୍ଚାୟତର ପ୍ରତିନିଧି ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଅଧିକ୍ଷେତ୍ରର ବିଶେଷଜ୍ଞମାନେ ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ସମ୍ପର୍କିତ ଅନେକ ପ୍ରେରଣାଦାୟୀ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲେ ।
Comments are closed.