ଆମ ଗଳିକନ୍ଦିରେ ଠେଲା ଦୋକାନର ଗରମାଗରମ ସିଙ୍ଗଡ଼ାର ସ୍ବାଦ ଭାରି ମଜାଦାର। କଟକିଆମାନେ ଛୋଟଛୋଟ ସିଙ୍ଗଡ଼ା ସହ ଆଳୁ-ମଟର ତରକାରି ଖାଇବାକୁ ଖୁବ୍ ଭଲପାନ୍ତି। ଅତିବେଶୀରେ ୨୫-୩୦ ଟଙ୍କାରେ ପେଟ ଭର୍ତ୍ତି ସିଙ୍ଗଡ଼ା-ତରକାରି ଜଣେ ଖାଇପାରିବ। ସୁଇଟ୍୍ଷ୍ଟଲ୍ ସିଙ୍ଗଡ଼ାର ଗ୍ରାହକ ମଧ୍ୟ କିଛି କମ୍ ନାହାନ୍ତି। ସେଠି ଅବଶ୍ୟ ସିଙ୍ଗଡ଼ା, ବରା ଆଦି ଛଣାଛଣି ଖାଦ୍ୟଦ୍ରବ୍ୟର ମୂଲ୍ୟ ସାମାନ୍ୟ ଅଧିକ। ତେବେ ଆପଣ କେବେ ଶୁଣିଛନ୍ତି କି ୩ଟି ସିଙ୍ଗଡ଼ାର ଦାମ୍ ୯୦୦ ଟଙ୍କା। ରାଜଧାନୀ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଥିବା ମିଷ୍ଟର ଚାଏ ରେସ୍ତୋରାଁରେ ଏଇ ଦାମୀ ସିଙ୍ଗଡ଼ା ମିଳେ। ପରିଚାରକ କାଠର ଥାଳିକୁ ଭାରି ସୁନ୍ଦରରେ ସଜାଇ ଗ୍ରାହକଙ୍କୁ ଏହି ସିଙ୍ଗଡ଼ା ପରଷନ୍ତି।
୩ଟି ସିଙ୍ଗଡ଼ାର ସ୍ବାଦ ଭିନ୍ନଭିନ୍ନ। ଗୋଟିଏ ଆଳୁ ସିଙ୍ଗଡ଼ା, ଅନ୍ୟ ଦୁଇଟି ଚିଜ୍ ଓ ବଟର୍ ଚିକେନ୍ ସିଙ୍ଗଡ଼ା। ଉଭୟ ଦେଶୀ-ବିଦେଶୀ ଗ୍ରାହକ ଏହି ସିଙ୍ଗଡ଼ା ବରାଦ୍ ଦେଉଥିବାର ଦେଖାଯାଏ। ଶୀତଦିନିଆ ସନ୍ଧ୍ୟାରେ ଏଠି ଗ୍ରାହକଙ୍କ ଭିଡ଼ ବଢ଼େ। ସିଙ୍ଗଡ଼ା ବରାଦ୍ ଦେଇ ଗ୍ରାହକଙ୍କୁ ୪୫-୫୦ ମିନିଟ୍ ଅପେକ୍ଷା କରିବାକୁ ପଡ଼େ। କାରଣ ଏହି ରେସ୍ତୋରାଁରେ କୌଣସି ପ୍ରକାରର ଫ୍ରୋଜେନ୍ ଖାଦ୍ୟ ବ୍ୟବହୃତ ହୁଏନି। ସିଙ୍ଗଡ଼ା ପାଇଁ ଆଳୁ ସଙ୍ଗେସଙ୍ଗେ ସିଝା ହୁଏ ଓ ବଟର୍ ଚିକେନ୍ ମଧ୍ୟ ତତକ୍ଷଣାତ୍ ପ୍ରସ୍ତୁତ କରାଯାଏ। ଗରମାଗରମ ସିଙ୍ଗଡ଼ା ୩ଟିକୁ କାଠର ଥାଳିରେ ଦେଶୀ ସସ୍ ସହିତ ପରଷାଯାଏ। ଅଧିକାଂଶ ଶିଳ୍ପପତି ଏହି ୯୦୦ ଟଙ୍କିଆ ସିଙ୍ଗଡ଼ାର ନିୟମିତ ଗ୍ରାହକ ବୋଲି ରେସ୍ତୋରାଁ କର୍ମଚାରୀ କହିଛନ୍ତି। nn



