www.samajalive.in
Monday, December 15, 2025
24.1 C
Bhubaneswar

ଏବେ ବି ଅଛି ସମାଧାନ ଆଶା : ପୁଟିନ

ମସ୍କୋ/କିଭ୍‍  : ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ଅବସାନ ଘଟାଇବାକୁ ତାଙ୍କର ଏବେ ମଧ୍ୟ ଆଶା ରହିଥିବା ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ଙ୍କ ସହିତ ଆଲୋଚନା କାଳରେ ପୁଟିନ କହିଛନ୍ତି, ରୁଷ୍‍ ପକ୍ଷରୁ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲେ ମଧ୍ୟ ଏଥିରେ ପରିସମାପ୍ତ ଘଟାଇବାକୁ ଏକ ରାଜିନାମାରେ ଉପନୀତ ହେବା ସେ ଆଶା କରୁଛନ୍ତି। କୂଟନୈତିକ ଉପାୟରେ ଏହାର ସମାଧାନ ସମ୍ଭବ ହୋଇପାରିବ। ସେମାନେ ଏବେ ମଧ୍ୟ ଆଲୋଚନା କରୁଛନ୍ତି। ଆଲୋଚନା ପ୍ରକ୍ରିୟାକୁ କେବେହେଲେ ଅଗ୍ରାହ୍ୟ କରିନାହାନ୍ତି। ସୂଚନାଯୋଗ୍ୟ ଯେ ଦୁଇ ମାସରୁ ଅଧିକ କାଳ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆଣ୍ଟୋନିଓ ଯୁଦ୍ଧ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ମସ୍କୋ ଗସ୍ତକରି ପୁଟିନ ଏବଂ ରୁଷ୍‍ର ଅନ୍ୟ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏହାପରେ ସେ କିଭ୍‍ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ସେଠାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‍ସ୍କିଙ୍କୁ ଭେଟିବେ। ଇତିମଧ୍ୟରେ ରୁଷ୍‍ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ୟୁଏନ୍‍ଡବ୍ଲ୍ୟୁଟିଓରୁ ଓହରି ଯାଇଛି। ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋକୁ ଏଥିରୁ ନିଲମ୍ବିତ କରିବାକୁ ଭୋଟ ନିଆଯିବା ପୂର୍ବରୁ ରୁଷ୍‍ ଏଭଳି ପଦକ୍ଷେପ ନେଇଛି। ଏହାପରେ ୟୁଏନ୍‍ଡବ୍ଳ୍ୟୁଟିଓ ରୁଷ୍‍କୁ ନିଲମ୍ବିତ କରିବାକୁ ତୁରନ୍ତ ନିଷ୍ପତ୍ତି ନେଇଛି। ଏହା କହିଛି ଯେ ୟୁକ୍ରେନ୍‍ ଯୁଦ୍ଧ କାରଣରୁ ମହାମାରୀ ପରବର୍ତ୍ତୀ ସମୟରେ ବିଶ୍ୱସ୍ତରରେ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ପ୍ରକ୍ରିୟା ବିଳମ୍ବିତ ହେବ।
ଅନ୍ୟପକ୍ଷରେ ରୁଷ୍‍ ଆକ୍ରମଣର ମୁକାବିଲା ନିମନ୍ତେ ୟୁକ୍ରେନ୍‍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସମ୍ପର୍କରେ ଆମେରିକା ଏବଂ ତାହାର ମିତ୍ରରାଷ୍ଟ୍ରଗୁଡିକ ଆଲୋଚନା କରିଛନ୍ତି। ଜର୍ମାନୀରେ ଥିବା ଆମେରିକାର ସାମରିକ ଘାଟିରେ ୪୦ଟି ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ଯୋଗଦେଇ ୟୁକ୍ରେନ୍‍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାହାସହିତ ସେମାନେ ପ୍ରତିମାସରେ ଥରେ ୟୁକ୍ରେନ୍‍ର ପ୍ରତିରକ୍ଷା ଆବଶ୍ୟକତା ସମ୍ପର୍କରେ ସମୀକ୍ଷା କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‍ କହିଛନ୍ତି। ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍‍ ଲାମ୍ବ୍ରେସ୍‍ଟ ପ୍ରତିରକ୍ଷାମନ୍ତ୍ରୀମାନଙ୍କର ବୈଠକରେ କହିଛନ୍ତି ଯେ ତାଙ୍କ ଦେଶ ୟୁକ୍ରେନକୁ ବିମାନ ବିଧ୍ୱଂସୀ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଦେବ। ୟୁକ୍ରେନ୍‍ର ଦୃଢ ସମର୍ଥକ ପୋଲାଣ୍ଡ ମଧ୍ୟ ୟୁକ୍ରେନକୁ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବାକୁ ଘୋଷଣା କରିଛି। ବୁଧବାର ଏହା ରୁଷ୍‍ର ପ୍ରାୟ ୫୦ଜଣ କୋଟିପତି ଏବଂ ଗାଜପ୍ରୋମ ସମେତ କିଛି କମ୍ପାନୀ ବିରୋଧରେ କଟକଣା ଜାରି କରିଛି।
ଗାଜପ୍ରୋମ୍‍ ପୋଲାଣ୍ଡ ଓ ବୁଲଗାରିଆକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‍ ଯୋଗାଣ ବନ୍ଦ କରିଦେଇଛି। ଉକ୍ତ ରାଷ୍ଟ୍ରଗୁଡିକ ଗ୍ୟାସ୍‍ ନିମନ୍ତେ ରୁବଲ୍‍ରେ ଦେୟ ପୈଠ କରିବାକୁ ମନା କରିଦେବା ପରେ ଗାଜପ୍ରୋମ ଏଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ପୁଟିନ ତାଙ୍କ ଦେଶ ବିରୋଧରେ ଲଗାଯାଇଥିବା କଟକଣା ଜବାବରେ ପ୍ରାକୃତିକ ଗ୍ୟାସ୍‍ ପାଇଁ ରୁବଲ୍‍ରେ ମୂଲ୍ୟ ପୈଠ କରିବାକୁ ଦାବି କରିଥିଲେ। ବୁଲଗାରିଆ କହିଛି, ଏହା ସମ୍ପ୍ରତି ପ୍ରାକୃତିକ ଗ୍ୟାସ୍‍ର ବିକଳ୍ପ ଉତ୍ସ ସନ୍ଧାନ କରିବାକୁ ରାଷ୍ଟ୍ରାୟତ୍ତ ଗ୍ୟାସ୍‍ କମ୍ପାନୀଗୁଡିକ ସହିତ ଆଲୋଚନା କରୁଛି। ବୁଲଗାରିଆର ମୋଟ ଗ୍ୟାସ୍‍ ଆବଶ୍ୟକତା ମଧ୍ୟରୁ ୯୦% ରୁଷ୍‍ ପୂରଣ କରିଥାଏ। ରୁଷ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଏବଂ ବ୍ରିଟେନର ସାଂସଦଙ୍କ ବିରୋଧରେ କଟକଣା ଜାରି କରିଛି। ବ୍ରିଟେନ ସରକାର ରୁଷ୍‍ ସଂସଦର ନିମ୍ନ ସଦନରେ ଥିବା ୩୬୮ ସଦସ୍ୟଙ୍କ ବିରୋଧରେ କଟକଣା ଜାରି କରିବା ପରେ ରୁଷ୍‍ ବ୍ରିଟେନ୍‍ର ୨୮୭ ଜଣ ସାଂସଦଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନେଇଛି। ଜାତିସଂଘ ପକ୍ଷରୁ କୁହାଯାଇଛି ଏପର୍ଯ୍ୟନ୍ତ ୟୁକ୍ରେନରୁ ପ୍ରାୟ ୫୩ ଲକ୍ଷ ଲୋକ ଅନ୍ୟତ୍ର ପଳାଇଯାଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ପ୍ରାୟ ୩୦ ଲକ୍ଷ ଲୋକ ୟୁକ୍ରେନ ଛାଡିବା ସମ୍ଭାବନା ରହିଛି। ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ୟୁରୋ ମୂଲ୍ୟ ପାଞ୍ଚବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୧.୦୬ ଡଲାରକୁ ହ୍ରାସପାଇଛି। ଅନ୍ୟପକ୍ଷରେ ରୁଷ୍‍ର ବେଲଗୋରୋଡ ଅଞ୍ଚଳରେ ଥିବା ଅସ୍ତ୍ରଶସ୍ତ୍ର ମହଜୁଦ ସ୍ଥଳ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି। ଆଞ୍ଚଳିକ ଗଭର୍ଣ୍ଣର ଭ୍ୟାସେସ୍ଲାଭ ଗ୍ଲାଡକୋଭ କହିଛନ୍ତି, ବିସ୍ଫୋରଣ ପରେ ଅସ୍ତ୍ରାଗାରରେ ନିଆଁ ଲାଗିଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ୟ୍ରୁକ୍ରେନର ଲୁହାନସ୍କ, ସୁମି ଏବଂ ଖାର୍କିଭ ଅଞ୍ଚଳକୁ ବେଲଗୋରୋଡ ସୀମା ଲାଗିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories