ଚୀନର ଚେତାବନୀ : ପାକ୍ ଆତଙ୍କବାଦୀ ଆଡ୍ଡା ଉପରେ ଆକାଶ ମାର୍ଗରୁ ଆକ୍ରମଣ ସମ୍ଭାବନା
ବେଜିଂ : କରାଚୀ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ତିନିଜଣ ଚୀନ ନାଗରିକ ପ୍ରାଣ ହରାଇବା ଘଟଣାରେ ଚୀନ ପାକିସ୍ତାନ ଉପରେ ଭୀଷଣ କ୍ଷୁବ୍ଧ ହୋଇଛି। ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚୀନ ନାଗରିକଙ୍କ ରକ୍ତବିନ୍ଦୁ ବୃଥା ଯିବନାହିଁ। ଏହି ଘଟଣାର ଟିକିନିଖି ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଚୀନ ଦାବି ଜଣାଇଛି।
ଅନ୍ୟପକ୍ଷରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଚୀନ ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ କରାଯିବା ସମ୍ଭାବନା ରହିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ଚୀନ ସହଜରେ ଗ୍ରହଣ କରିପାରୁନାହିଁ। ସେଥିପାଇଁ ଚୀନ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଏହା ପାକିସ୍ତାନକୁ କଡା ଭାଷାରେ କହିଛି। କରାଚୀରେ ଘଟିଥିବା ବିସ୍ଫୋରଣରେ ସେଠାକାର କନ୍ଫୁସିୟସ
ଇନଷ୍ଟିଚ୍ୟୁଟର ତିନିଜଣ ଚୀନ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ବୁର୍ଖା ପରିହିତା ଜଣେ ମହିଳା ଆତ୍ମଘାତୀର ବିସ୍ଫୋରଣରେ ଚୀନ ନାଗରିକଙ୍କୁ ନେଇ ଆସୁଥିବା ଗାଡିଟି ଧ୍ୱଂସ ପାଇଯାଇଛି। ବିସ୍ଫୋରଣ ଘଟାଇଥିବା ମହିଳା ଜଣକ ଜଣେ ବେଲୁଚ୍ ଆତ୍ମଘାତୀ ବୋମାଧାରୀ ଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ମହିଳାଙ୍କ ସ୍ୱାମୀ ଜଣେ ଡାକ୍ତର ଏବଂ ମହିଳା ଜଣକ ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଏମ୍ଫିଲ କରିବା ସହିତ ସାମୟିକ ଭାବରେ ଶିକ୍ଷକତା କରୁଥିଲେ। ସେ ପାକିସ୍ତାନ, ବ୍ରିଟେନ ଏବଂ ଆମେରିକାରେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ବେଲୁଚ୍ ଲିବରେସନ ଆର୍ମି (ବିଏଲ୍ଏ)ର ଜଣେ ସଦସ୍ୟା ଥିବା ଜାଣିବାକୁ ମିଳିଛି। ବିସ୍ଫୋରଣ ଘଟିବା ପରେ ଚୀନ ବୈଦେଶିକ ମନ୍ତ୍ରୀ ୱୁ ଜିଆଙ୍ଗହାଓ ଚୀନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କୁ ଜରୁରୀ ଫୋନ୍ କଲ୍ କରି ଗଭୀର ଚିନ୍ତା ପ୍ରକଟ କରିଥିଲେ। ଉକ୍ତ ଘଟଣାକୁ ସେ ଦୃଢ ଭାବରେ ନିନ୍ଦା କରିବା ସହିତ ତାହାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଦାବି ଜଣାଇଥିଲେ। ଇତିମଧ୍ୟରେ ବିଏଲ୍ଏ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯିବା ସହିତ କୁହାଯାଇଛି ଯେ ଏହା ଚୀନ ନାଗରିକ ଏବଂ ପାକିସ୍ତାନରେ ଥିବା ଚୀନର ବିଭିନ୍ନ ବ୍ୟବସାୟିକ ଓ ଅନ୍ୟାନ୍ୟ ସ୍ଥଳ ଉପରେ ଆକ୍ରମଣ କରିବାକୁ ସ୍ୱତନ୍ତ୍ର ୟୁନିଟ ଗଠନ କରିଛି। ଚୀନର ସିପେକ୍ ଯୋଜନା ଶୋଚନୀୟ ଭାବରେ ବିଫଳ ହେବ ବୋଲି ଏହା ଚେତାବନୀ ଦେଇଛି।
ଏହା ପୂର୍ବରୁ ଗତବର୍ଷ ଜୁଲାଇରେ ପାକିସ୍ତାନର ଖାଇବର ପାଖତୁନଖୱା ପ୍ରଦେଶରେ ଦାସୁ ବୃହତ ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଚୀନ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବାଫଳରେ ୧୦ ଜଣ ଚୀନ ନାଗରିକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଉକ୍ତ ଜଳବିଦ୍ୟୁତ ପ୍ରକଳ୍ପକୁ ଚାଇନା ଗେଝୋବା କମ୍ପାନୀ ନିର୍ମାଣ କରୁଛି ଏବଂ ବିଶ୍ୱ ବ୍ୟାଙ୍କ ସେଥିପାଇଁ ପାଣ୍ଠି ଯୋଗାଇଦେଉଛି। ତେବେ ଏହା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପେକ୍)ର ଅଂଶବିଶେଷ ନୁହେଁ। ଏହି ଘଟଣା ଘଟିବା ପରେ ତାହାର ତଦନ୍ତ କରିବାକୁ ଚୀନ ଏକ ତଦନ୍ତକାରୀ ଦଳ ପାକିସ୍ତାନକୁ ପଠାଇଥିଲା। ସେହିଭଳି ଉକ୍ତ ଘଟଣାର ଦୁଇ ସପ୍ତାହ ପରେ କରାଚୀରେ ଦୁଇଜଣ ମୋଟରସାଇକେଲ ଆରୋହୀ ଏକ ଗାଡିରେ ଯାଉଥିବା ଦୁଇ ଚୀନ ନାଗରିକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାରୁ ଦୁଇ ଚୀନ ନାଗରିକ ଗୁରୁତର ଆହତ ହୋଇଥିଲେ।
Comments are closed.