ବିନୋଦ କାନୁନ୍‌ଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ୫ ଦିନିଆ ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ଜୀବନାଦର୍ଶ ଆଧାରିତ ନାଟକ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ ହୋଇଛି ।
ଓଡ଼ିଆ ଭାଷା ବିଜ୍ଞାନୀ ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ କାନୁନ୍‌ଗୋ ଗାନ୍ଧୀଜୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବହୁବାର କାରାବରଣ କରିଥିଲେ । ୧୯୪୫ ମସିହାରେ ବ୍ରହ୍ମପୁର ଜେଲରୁ ମୁକ୍ତି ପାଇବା ପରେ ଓଡ଼ିଆ ଭାଷାରେ ଜ୍ଞାନବିଜ୍ଞାନର ଜଟିଳ କଥାକୁ ସରଳରେ ଲେଖିବାର ପ୍ରକି୍ରୟା ଆରମ୍ଭ କରିଥିଲେ । ଯାହାଦ୍ୱାରା ଓଡ଼ିଆ ଭାଷାରେ ଏନ୍‌ସାଇକ୍ଲୋପେଡିଆ ତଥା ଜ୍ଞାନମଣ୍ଡଳର ରଚନା ସମ୍ଭବ ହୋଇଥିଲା । ୧୯୬୦ ମସିହାରେ ଜ୍ଞାନମଣ୍ଡଳର ପ୍ରଥମ ଭାଗ ପ୍ରକାଶିତ ହୋଇଥିଲା । ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବାରେ ତାଙ୍କର ଅନନ୍ୟ ଅବଦାନ ରହିବା ସହ ବିଶ୍ୱକୋଷ କେନ୍ଦ୍ର ପ୍ରତିଷ୍ଠା କରି ଜାତୀୟ ସ୍ତରରେ ଆନ୍ଦୋଳନ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେ ୧୯୯୦ ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ସାଧନା ଓ ସିଦ୍ଧି ନିମନ୍ତେ ଆମ ନିକଟରେ ଚିରକାଳ ସେ ଅମର ରହିବେ । ତାଙ୍କର ଏହି କୃତିତ୍ୱକୁ ନେଇ ପ୍ରଦର୍ଶିତ ହୋଇଛି ‘ଜ୍ଞାନ ତପସ୍ୱୀ’ ।

ନାଟ୍ୟକାର ଡ. ଅରବିନ୍ଦ ରାୟଙ୍କ ଲିଖିତ ଓ ଶ୍ରୀ ଦେବାନନ୍ଦ ନାୟକଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରର ଏକ୍ସପ୍ରେସନ ନାଟ୍ୟ ସଂସ୍ଥାର କଳାକାରମାନେ ଅଭିନୟ କରିଛନ୍ତି । ବିଭିନ୍ନ ଚରିତ୍ରରେ ଦେବାନନ୍ଦ, ଜେସେଫ, ରବିନ୍ଦ୍ର, ସୂର୍ଯ୍ୟ, ଅଭିଜିତ, ବିନୟ, ସୌମ୍ୟ, ବିଷ୍ଣୁ, ସୁମନ, ସିଦ୍ଧାନ୍ତ, ଫିନୋଜ, ଶୁଭଙ୍କର, ଜଗନ୍ନାଥ, ବାଙ୍ଗୁରୁ, ନିଶାନ୍ତ, ସୋନମ, ସରିତା, ଶୁଭଲକ୍ଷ୍ମୀ, କାଜଲ ପ୍ରମୁଖ ଅଭିନୟ କରିଥିବାବେଳେ ମଞ୍ଚ ପରିଚାଳନାରେ ଉପେନ୍ଦ୍ର ପତି ଓ ଶୁଭଙ୍କର, ହସ୍ତ ଉପକରଣ ଓ ପୋଷାକ ପରିଚାଳନାରେ ଡି. ଅନୁରାଧା, ସଙ୍ଗୀତରେ ଆଶିଷ ପୁପି, ରୂପସଜ୍ଜାରେ ରମେଶ, ପୋଷାକରେ ଜନତା, ମଞ୍ଚରେ ତି୍ରମୂର୍ତ୍ତି, ଆଲୋକରେ ରାକେଶ, ସହନିର୍ଦ୍ଦେଶନାରେ କାଜଲ ଏବଂ କଣ୍ଠଶିଳ୍ପୀ ଭାବେ ଦେବାନନ୍ଦ ନାୟକ ସହଯୋଗ କରିଥିଲେ ।

ଆଜି ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ମିହିର ମେହେର, ପ୍ରସିଦ୍ଧ ନାଟ୍ୟକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ  ପ୍ରସନ୍ନ ମିଶ୍ର, ସଚିବ  ପ୍ରବୋଧ ରଥ ଏବଂ ବିନୋଦ କାନୁନଗୋଙ୍କ ସୁପୁତ୍ର ଡ. ଆଲୋକ କାନୁନଗୋ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବାବେଳେ ବହୁ ନାଟ୍ୟକାର, କଳାକାର, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଉପରେ ‘ରମାଦେବୀ’ ମଞ୍ଚସ୍ଥ ହେବ । ଏହାକୁ ନାଟ୍ୟକାର ଡ. ନାରାୟଣ ସାହୁ ଲେଖିଥିବାବେଳେ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.