ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କଙ୍କ କଳି ଦିନକୁ ଦିନ ବଢ଼ିବାରେ ଲାଗିଛି। ମସ୍କ ଟ୍ରମ୍ପ ପ୍ରଶାସନରୁ ଓହରିଯିବା ପରେ ଏହି ବିବାଦ ଆରମ୍ଭ ହୋଇଛି। ମସ୍କ ପ୍ରଥମେ ଟ୍ରମ୍ପ ପ୍ରଶାସନର ଟିକସ ନୀତିକୁ ବିରୋଧ କରିଥିଲେ। ଏହା ପରେ ଟ୍ରମ୍ପ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏକଦା ଦୁଇ ଘନିଷ୍ଠ ବନ୍ଧୁ ପାଲଟିଯାଇଥିବା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ମସ୍କଙ୍କ ଇଭି କମ୍ପାନୀ ଟେସଲା ବହୁମାତ୍ରାରେ ପ୍ରଭାବିତ ହୋଇଛି। ନିବେଶକମାନେ ଟେସଲାରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି।
ବିଶେଷକରି ଗତ ଗୁରୁବାର ଟ୍ରମ୍ପ ମସ୍କଙ୍କ ସମାଲୋଚନାର ଉତ୍ତର ଦେବା ପରେ ଟେସଲା ଶେୟାରରେ ବିରାଟ ହ୍ରାସ ଦେଖିବାକୁ ମିଳିଛି। ଗୁରୁବାର ମାତ୍ର ୩ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୧୫୦ ବିଲିଅନ ଡଲାର ଅର୍ଥାତ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଦେଇଛନ୍ତି। ଟ୍ରମ୍ପଙ୍କ ସହିତ ବିବାଦ ଯୋଗୁ ନିବେଶକମାନେ ଭୟଭୀତ ହୋଇ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଟେସଲା ଶେୟାରରେ ପ୍ରାୟ ୧୪ ପ୍ରତିଶତ ହ୍ରାସ ଘଟିଛି।



