ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା
ନୂଆଦିଲ୍ଲୀ: ତିନି ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ, ଲସ୍କର ଇ ତୋଇବା ଓ ହିଜ୍ବୁଲ୍ ମୁଜାହିଦ୍ଦିନ ଭାରତରେ ଏକ ବଡ଼ ଧରଣର ଓ ଜୋରଦାର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ପାକିସ୍ତାନର ଏକ ଗୁପ୍ତ ତାଲିମ୍ ଶିବିରରେ ସେମାନଙ୍କୁ ତାଲିମ ଦିଆଯାଉଛି। ପାକିସ୍ତାନ ସେନା ବାହିନୀ ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ୍ ଶିବିର ପରିଚାଳିତ ହେଉଛି। ଭାରତୀୟ ସୁରକ୍ଷା ବାହିନୀ ହାତରେ ଗିରଫ ଜୈସ୍-ଇ-ମହମ୍ମଦର ସଦସ୍ୟ ଆଶିକ୍ ବାବାକୁ ଜେରା ବେଳେ ଏହି ସୂଚନା ମିଳିଛି। ବାବାର କହିବା ଅନୁଯାୟୀ ୨୦୧୭, ଅଗଷ୍ଟ ୨୬ ତାରିଖରେ ପୁଲ୍ୱାମାରେ ହୋଇଥିôବା ଆକ୍ରମଣରେ ଜେଇଏମ୍ ହାତ ଥିଲା। ମୁଫ୍ତି ୱାକାସ୍ ନେତୃତ୍ୱରେ ହୋଇଥିବା ଏହି ଆକ୍ରମଣରେ ୮ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ସେନା ପୋଷାକରେ ଆସି ଆତଙ୍କବାଦୀମାନେ ଆସି ଏହି କାଣ୍ଡ ଭିଆଇଥିଲେ।
ଜେଇଏମ୍ ମୁଖ୍ୟ ମୌଲାନା ମାସୁଦ୍ ଆଝାର ସହିତ ଘନିଷ୍ଠ ସମ୍ପର୍କ ଥିବାରୁ ବାବା ପାଖରେ ଆହୁରି ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଥାଇପାରେ ବୋଲି ଅନୁମାନ କରାଯାଉଛି। କଶ୍ମୀରକୁ ଆତଙ୍କବାଦୀଙ୍କୁ ପଠାଇବାରେ ବାବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି।