ସନ୍ଧ୍ୟାରେ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ କୂଅରେ ଖସି ପଡ଼ିଲେ ବୃଦ୍ଧ, ତିନିଦିନ ପରେ ଉଦ୍ଧାର ହେଲା ମୃତଦେହ
ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ପଡାଙ୍ଗ ଗ୍ରାମରେ ମଙ୍ଗଳବାର ଏକ କୁଅରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଜାଣିବା ପରେ ସାରା ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ମଙ୍ଗଳବାର ସକାଳୁ ଗାଁ ମଝିରେ ଥିବା କୂଅକୁ ପାଣି ନେବା ପାଇଁ ଆସିଥିବା କିଛି ମହିଳା ଏକ ଶବ ଭାସୁଥିବା ଦେଖିଥିଲେ । ଏନେଇ ପୁଲିସ ଓ ଅଗ୍ନିଶ୍ରମ ବିଭାଗକୁ ଖବର ଦିଆଯାଇଥିଲା। କୂଅରୁ ଶବ ବାହାର କରାଯିବା ପରେ ମୃତକ ଜଣକ ସେହି ଗାଁର ଅରକ୍ଷିତ ନାୟକ(୬୫) ବୋଲି ଗ୍ରାମବାସୀ ଚିହ୍ନଟ କରିଥିଲେ।
ସୂଚନାନୁଯାୟୀ ଗ୍ରାମାଞ୍ଚଳରେ ଧାନ ଫସଲ ଅମଳ ପରେ ଧାନ କ୍ଷେତରେ ନଡ଼ା ପୂଜା କରାଯାଇଥାଏ। ଗତ ରବିବାର ନଡ଼ା ପୂଜା ଉତ୍ସବରେ ଭୋଜିଭାତର ଆୟୋଜନ କରାଯାଇଥିବା ବେଳେ ସମସ୍ତେ ଏକାଠି ଖାଇଥିଲେ। ଅରକ୍ଷିତ ଉକ୍ତ ଦିନ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଭୁଲ ବଶତଃ କୃଷକ ସାହିର ରାସ୍ତା କଡରେ ଥିବା ଏକ କୂଅରେ ଖସି ପଡ଼ିଥିବା ଲୋକେ ସନ୍ଦେହ କରୁଛନ୍ତି। ପରିବାର ଲୋକେ ସେହି ରାତିରୁ ତାଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ପାଇ ନଥିଲେ। ସଂଧ୍ୟାରେ ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ଜାଣି ନପାରି କୂଅରେ ପଡିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିବା ସହ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲେ ଏବଂ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି।
Comments are closed.