ଟିଡିପି-କଂଗ୍ରେସ ମେଣ୍ଟ ହେଲେ ଆତ୍ମହତ୍ୟା କରିବାକୁ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଧମକ

0

ଅମରାବତୀ : ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଶକ୍ତିବୃଦ୍ଧି ନିମନ୍ତେ କଂଗ୍ରେସ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଥିବାବେଳେ ସମସ୍ୟା ଏହାର ପିଛା ଛାଡୁନାହିଁ। ଏବେ ଆନ୍ଧ୍ରପ୍ରଦେଶ ଉପୁମୁଖ୍ୟମନ୍ତ୍ରୀ କେ. ଇ କୃଷ୍ଣମୂର୍ତ୍ତି ଦଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ତାଙ୍କ ଦଳ ତେଲଗୁ ଦେଶମ୍‍ ପାର୍ଟି (ଟିଡିପି) ଯଦି କଂଗ୍ରେସ ସହିତ ମେଣ୍ଟ କରେ ତା’ହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। କୁର୍ଣ୍ଣୁଲଠାରେ ସେ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଏବଂ ଟିଡିପି ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। ମାତ୍ର ରାଜନୈତିକ ପଶାପାଲିରେ ଯଦି ପରିସ୍ଥିତିରେ ପରିବର୍ତ୍ତନ ହୁଏ ଏବଂ ତାଙ୍କ ଦଳ କଂଗ୍ରେସ ସହିତ ହାତ ମିଶାଏ ତେବେ ଫାଶୀ ଦେଇ ଆତ୍ମହତ୍ୟା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। କେବଳ ବ୍ୟକ୍ତିଗତ ଭାବେ ନୁହେଁ; ବରଂ ନିଜ ଦଳ ତରଫରୁ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ମଧ୍ୟ କୃଷ୍ଣମୂର୍ତ୍ତି ସ୍ପଷ୍ଟ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ମେଣ୍ଟ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍. ଡି. କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯୋଗଦେଇ ବହୁ ଅଣ-ବିଜେପି ନେତାଙ୍କ ସହିତ ମଞ୍ଚରେ ଆସନ ଗ୍ରହଣ କରିଥିଲେ। ଫଳରେ ଲୋକସଭା ନିର୍ବାଚନ ନିମନ୍ତେ ଟିଡିପି କଂଗ୍ରେସ ସହିତ ମେଣ୍ଟ ଗଠନ କରିବାର ଉଦ୍ୟମ କରୁଛି ବୋଲି ବିରୋଧୀ ଦଳ ୱାଇଏସ୍‍ଆର୍‍ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଚର୍ଚ୍ଚା ହେବା ପରିପ୍ରେକ୍ଷୀରେ କ୍ରିଷ୍ଣମୂର୍ତ୍ତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ।

Leave A Reply