www.samajalive.in
Tuesday, December 9, 2025
16.1 C
Bhubaneswar

ଅଷ୍ଟ୍ରେଲିଆକୁ ଯୁଦ୍ଧଜାହାଜ ଯୋଗାଇବେ ଆମେରିକା, ବ୍ରିଟେନ

ୱାଶିଂଟନ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ବିସ୍ତାରବାଦ ନୀତିକୁ ଦମନ କରିବା ଲାଗି ଆମେରିକା ଓ ବ୍ରିଟେନ ବଡ ଧରଣର ଯୋଜନା କରିଛନ୍ତି। ଯୋଜନା ଅନୁଯାୟୀ ଆମେରିକା ଓ ବ୍ରିଟେନ ମିଳିତ ଭାବେ ଅଷ୍ଟ୍ରେଲିଆକୁ ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜ ଯୋଗାଇଦେବେ। ଅଷ୍ଟ୍ରେଲିଆ-ବ୍ରିଟେନ-ଆମେରିକା (ଏୟୁକେୟୁଏସ୍‌) ସହଯୋଗିତା ବା ମେଣ୍ଟ କ୍ରମେ ଏହି ଯୁଦ୍ଧଜାହାଜ ଯୋଗାଇ ଦିଆଯିବ। ଅଷ୍ଟ୍ରେଲିଆକୁ ଯୋଗାଇ ଦିଆଯିବାକୁ ଥିବା ବୁଡାଜାହାଜଗୁଡିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁତୟନ କରାଯିବ। ସେପ୍ଟେମ୍ବର ୨୪ରେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଦ ରାଷ୍ଟ୍ରଗୋଷ୍ଠୀର ବୈଠକ ହେବାକୁ ଯାଉଥିବାବେଳେ ଏହି ନୂଆ ମେଣ୍ଟ ସମ୍ପର୍କରେ ଘୋଷଣା ହୋଇଛି।
ବାଇଡେନଙ୍କ ଅଧ୍ୟକ୍ଷତାରେ ଆମେରିକାରେ କ୍ବାଦର ପ୍ରଥମ ପ୍ରତ୍ୟକ୍ଷ ବୈଠକ ଅନୁଷ୍ଠିତ ହେବ। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ୱାଶିଂଟନ ଏହାର ସହଯୋଗୀ ଓ ଅଂଶୀଦାରଙ୍କୁ ନୂଆ ରାସ୍ତାରେ ଯୋଡିବାକୁ ଯାଉଛି। ଆଜିର ଓ ଆସନ୍ତାକାଲିର ବିପଦକୁ ମୁକାବିଲା ନିମନ୍ତେ ଆମେରିକା ତାର ସହଯୋଗୀଙ୍କୁ ଶକ୍ତିଶାଳୀ କରିବାକୁ ଚାହେଁ। ସହଯୋଗୀଙ୍କୁ ବଳଶାଳୀ କରିବା ପୂର୍ବକ ଆମେରିକା ନିଜର ଶକ୍ତି ବଢାଇବାକୁ ଚାହେଁ ବୋଲି ବାଇଡେନ କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ସମୟରେ ତାଙ୍କ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଉପସ୍ଥିତ ରହିଥିଲେ। ଅଷ୍ଟ୍ରେଲିଆ ଅଣୁଅସ୍ତ୍ର ଅପ୍ରସାର ରାଜିନାମା (ଏନପିଟି)ରେ ସ୍ବାକ୍ଷର କରିଥିବାରୁ ଏହାକୁ ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧଜାହାଜ ଯୋଗାଇ ଦିଆଯିବ। ତେବେ ଅଷ୍ଟ୍ରେଲିଆକୁ ଆଣବିକ ଅସ୍ତ୍ର ଯୋଗାଇଦିଆଯିବ ନାହିଁ। ଏନପିଟି ସ୍ବାକ୍ଷରକାରୀ ରାଷ୍ଟ୍ର ହେତୁ ଅଷ୍ଟ୍ରେଲିଆ ଆଣିବକ ଅସ୍ତ୍ର ଅଧିଗ୍ରହଣ କିମ୍ବା ମୁତୟନ କରିପାରିବ ନାହିଁ। ଆମେରିକାର ଏହି ଘୋଷଣା କାନାଡା, ନ୍ୟୁଜିଲାଣ୍ଡ ଓ ଜାପାନ ଲାଗି ଅସ୍ବସ୍ତିକର ପରିବେଶ ସୃଷ୍ଟି କରିଛି। କାରଣ ଏହିସବୁ ରାଷ୍ଟ୍ର ମଧ୍ୟ ଆମେରିକାର ଅଂଶୀଦାର। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଟା ଆରଡେନ କହିଛନ୍ତି ଯେ ନୂଆ ସହଯୋଗିତା ଗୋଷ୍ଠୀ ଗଠନ ସମ୍ପର୍କରେ ତାଙ୍କୁ ବାଇଡେନ କିମ୍ବା ମୋରିସନ ଯୋଗାଯୋଗ କରିନାହାନ୍ତି ।
ସେ କହିଛନ୍ତି ଯେ ଅଷ୍ଟ୍ରେଲିଆର ବୁଡାଜାହାଜକୁ ନ୍ୟୁଜିଲାଣ୍ଡର ଜଳସୀମାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । କାରଣ ନ୍ୟୁଜିଲାଣ୍ଡ ଏହାର ଅଣୁଅସ୍ତ୍ର ମୁକ୍ତ ନୀତିକୁ ବଜାୟ ରଖିବାକୁ ଚାହେଁ। ୧୯୫୧ ଠାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସୁରକ୍ଷା ବୁଝାମଣା ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜିନାମା ଅନୁଯାୟୀ ଦୁଇଦେଶ ପରସ୍ପର ସହିତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରିଆସୁଛନ୍ତି। ଆମେରିକା ଓ ବ୍ରିଟେନ ସହିତ ନୂଆ ବୁଝାମଣାକୁ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ପଲ୍ କେଟିଙ୍ଗ ନାପସନ୍ଦ କରିଛନ୍ତି। ପଲ୍‌ କହିଛନ୍ତି ଯେ ଏହି ବୁଝାମଣା ଅଷ୍ଟ୍ରେଲିଆର ସାର୍ବଭୌମତ୍ବକୁ ବଡ କ୍ଷତି ପହଞ୍ଚାଇବ। ଆମେରିକାର ଯୋଜନାକୁ ପଲ୍ ସମାଲୋଚନା କରି କହିଛନ୍ତି ଯେ ଆମେରିକାର ବିଶାଳ ସେନା ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଦ୍ବାରା ସାମାନ୍ୟ ତାଲିବାନ ଗୋଷ୍ଠୀକୁ ଦମନ କରିପାରିଲା ନାହିଁ। କେତୋଟି ପିକ୍‌ଅପ୍‌ ଭ୍ୟାନରେ କେବଳ ଏକେ-୪୭ ରାଇଫଲ ଧରିଥିବା ତାଲିବାନକୁ ଆମେରିକା ଏହାର ଯୁଦ୍ଧବିମାନ, କ୍ଷେପଣାସ୍ତ୍ର ଦ୍ବାରା ମୁକାବିଲା କରି ନପାରି ଆଫଗାନିସ୍ତାନ ଛାଡି ଚାଲିଆସିବାକୁ ବାଧ୍ୟ ହେଲା। ଆଉ ଏବେ ଚୀନ ସହିତ ଯୁଦ୍ଧ କରିବାର ମସୁଧା କରୁଛି। ସେହିପରି ଚୀନ ମଧ୍ୟର ଆମେରିକା ଓ ବ୍ରିଟେନର ଏପରି ଯୋଜନାକୁ ନେଇ କ୍ଷୁବ୍ଧ ହୋଇଛି। ଚୀନ କହିଛି ଯେ ଆମେରିକା ଓ ବ୍ରିଟେନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ନଷ୍ଟ କରିବାର ଉଦ୍ୟମ କରୁଛନ୍ତି। ଆନ୍ତର୍ଜାତିକସ୍ତରରେ ଅଣୁଅସ୍ତ୍ର ଅପ୍ରସାର ଲାଗି ଚାଲିଥିବା ଉଦ୍ୟମକୁ ଏହା କ୍ଷତି ପହଞ୍ଚାଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories