ଜୁନ୍‍ ୧ରେ ଟି୨୦ ବିଶ୍ୱକପ୍‍ର ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ମାଟିରେ ଟେଷ୍ଟ ସିରିଜ୍‍ ଆୟୋଜନ ପାଇଁ ବିସିସିଆଇ ଯେଉଁ ଆଶାରଖିଛି; ତାହା ଧିରେଧିରେ ଧୂମିଳ ହେବାରେ ଲାଗିଛି। ଭାରତରେ ଏବେ ମହାମାରୀ କରୋନା ଯେପରି ମାରାତ୍ମକ ରୂପ ଧାରଣ କରିଛି; ତାହାକୁ ଦେଖି କ୍ରିକେଟ୍‍ ବିଶେଷଜ୍ଞ ଏବେଠାରୁ ଧରିନେଲେଣି ଯେ ୧୬ଟି ଦେଶଙ୍କୁ ନେଇ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଭାରତରେ ଆୟୋଜନ କଷ୍ଟକର। ଏପରି କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷର ଆଇପିଏଲ୍‍କୁ ବିସିସିଆଇ ସ୍ଥଗିତ ରଖିଛି। ଭାରତରେ ଅକ୍ଟୋବର-ନଭେମ୍ବରରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବ। ହେଲେ ଏହି ଟୁର୍ଣ୍ଣାମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ ପାଇଁ ଆଇସିସି ଜୁନ୍‍ ୧ରେ ଏକ ବୈଠକ ଡାକିଛି। ଏହାପରେ ଜଣାପଡ଼ିବ ଯେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଭାରତରେ ଆୟୋଜନ ହେବ ନା ଅନ୍ୟତ୍ର ସ୍ଥାନାନ୍ତର ହେବ। ଏହା ନିର୍ଦ୍ଧାରିତ ତାରିଖରେ ଖେଳାଯିବ ନା ଘୁଞ୍ଚାଯିବ।

ଆଇପିଏଲ୍‍ ସ୍ଥଗିତ ରହିବା ପରେ ମଧ୍ୟ ବିସିସିଆଇର ବଡ଼ପଣ୍ଡାମାନେ ଦୃଢ଼ୋକ୍ତି କରି ଆସିଛନ୍ତି ଯେ ଭାରତରେ ଅକ୍ଟୋବର-ନଭେମ୍ବରରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ। କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ବେଳକୁ କରୋନା ସଂକ୍ରମଣ ବହୁତ ହ୍ରାସ ପାଇଥିବ। ତେବେ ସେପ୍ଟେମ୍ବର ଆଡ଼କୁ ଭାରତରେ କରୋନାର ୩ୟ ଲହର ଚାଲିଥିବ। ଏହାକୁ ଦୃଷ୍ଟିରେ ରଖି ସରକାର, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ଡାକ୍ତରଖାନା ଆଦିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏପରି ପରିସ୍ଥିତିରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଭାରତରେ ଆୟୋଜନ କରିବା ଅତ୍ୟନ୍ତ ବିପଜ୍ଜନକ ହେବ। ବିସିସିଆଇର ବସ୍‍ମାନେ ମଧ୍ୟ ଏହା ଜାଣି ସାରିଲେଣି। ଆଇସିସି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ସମ୍ପର୍କରେ ବିସିସିଆଇ ମେ’ ୨୯ରେ ତା’ର ସ୍ୱତନ୍ତ୍ର ସାଧାରଣ ବୈଠକ (ଏସ୍‍ଜିଏମ୍‍) ଡାକିଛି। ଜାଣିବାକୁ ମିଳିଛି ଯେ ୧୬ଟି ପ୍ରତିଯୋଗୀ ଦେଶଙ୍କ ମଧ୍ୟରୁ ଅଧିକାଂଶ ଏପରି ବିସ୍ଫୋରକ ପରିସ୍ଥିତିରେ ଭାରତ ଆସି ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳିବାକୁ ଅରାଜି। ଯଦି ବା ଭାରତରେ ଏହି ବିଶ୍ୱକପ୍‍ ଖେଳାଯାଏ; ତେବେ କିଛି ପ୍ରତିଯୋଗୀ ଦେଶ ଏଥରୁ ଓହରି ମଧ୍ୟ ଯାଇପାରନ୍ତି। ଆଇସିସି ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିଛି ଏବଂ ଭାରତକୁ ନେଇ ତଥ୍ୟ ସଂଗ୍ରହ କରୁଛି। ଜୁନ୍‍ ୧ରେ ଆଇସିସି କ’ଣ ନିଷ୍ପତ୍ତି ନେଉଛି; ତାହା ମଧ୍ୟ ଦେଖିବାର କଥା।

Comments are closed.