ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିପୁଳ ବିଜୟ

ରୁସୌଙ୍କ ଶତକ ; ନୋର୍ଖିୟାଙ୍କୁ ୪ ୱିକେଟ

ସିଡ୍‌ନୀ : ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପ୍ରଥମ ଶତକ ମାରିଛନ୍ତି ଦକ୍ଷିଣ ଆଫ୍ରିକାର ରାଇଲି ରୁସୌ। ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର ଆନ୍‌ରିଚ୍‌ ନୋର୍ଖିୟା ୪ଟି ୱିକେଟ୍‌ ନେଇଛନ୍ତି। ଫଳରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୧୦୪ ରନ୍‌ରେ ବିପୁଳ ବିଜୟ ହାସଲ କରିଛି। ବର୍ଷା ଯୋଗୁଁ ଅଳ୍ପକେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିବା ଦକ୍ଷିଣ ଆଫ୍ରିକା ଏହି ବଡ଼ ବିଜୟ ଯୋଗୁଁ ଆଶ୍ବସ୍ତ ହୋଇଛି। ରୁସୌଙ୍କ ଶତକ ଓ କ୍ବିଣ୍ଟନ୍‌ ଡି କକ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ରେ ୨୦୫ ରନ୍‌ କରିଥିଲା। ଏହି ବିଶାଳ ଲକ୍ଷ୍ୟର ପିଛାକରି ବାଂଲାଦେଶ ୧୬.୩ ଓଭରରେ ୧୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍‌-୨ ମ୍ୟାଚ୍‌ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‌ରୁ ୩ ପଏଣ୍ଟ ପାଇଛି।
ଜିମ୍ବାୱେ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ପଏଣ୍ଟ ହରାଇଥିବା ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନେଇଥିଲା। ଖରାପ ଫର୍ମରେ ଥିବା ଅଧିନାୟକ ତେମ୍ବା ବଭୁମା ୨ ରନ୍‌କରି ବିଦାୟ ନେଇଥିଲେ। ପରେ କ୍ବିଣ୍ଟନ୍‌ ଡି କକ୍ ଓ ରାଇଲି ରୁସୌଙ୍କ ମଧ୍ୟରେ ୨ୟ ୱିକେଟ୍‌ ପାଇଁ ମାରାଥନ୍ ଭାଗିଦାରୀ ହୋଇଥିଲା। ରୁସୌ ଅଧିକ ଆକ୍ରମଣ କରିଥିଲେ। ରୁସୌ ଓ ଡି କକ୍‌ ୨ୟ ୱିକେଟ୍‌ ପାଇଁ ୧୬.୩ ଓଭରରେ ୧୬୮ ରନ୍‌ ଯୋଡ଼ି ବିଶାଳ ସ୍କୋର୍‌ର ଅାଭାସ ଦେଇଥିଲେ। ୧୪ତମ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ହାସଲ କରିଥିବା ଡି କକ୍‌ ମଧ୍ୟ ବିସ୍ଫୋରକ ବ୍ୟାଟିଂକରି ୩୮ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୬୩ ରନ୍‌ କରିଥିଲେ। ୧୫ ଓଭରରେ ଦକ୍ଷିଣ ଆଫ୍ରିକା ୧୭୧ ରନ୍‌ କରିଥିବା ବେଳେ ଶେଷ ୫ ଓଭରରେ ମାତ୍ର ୩୪ ରନ୍‌ କରି ପାରିଥିଲା। ଭାରତ ବିପକ୍ଷରେ ଇନ୍ଦୋରରେ ଜୀବନର ପ୍ରଥମ ଟ୍ବେଣ୍ଟି୨୦ ଶତକ ହାସଲ କରିଥିବା ବାମହାତି ରାଇଲି ରୁସୌ ୨ୟ ଶତକ ହାସଲ କରିଥିଲେ। ରୁସୌ ନିୟମିତ ବାଉଣ୍ଡରୀ ମାରି ମାତ୍ର ୫୬ ବଲ୍‌ରୁ ୮ଟି ଛକା ଓ ୭ଟି ଚୌକା ସହ ୧୦୯ ରନ୍‌ କରିଥିଲେ। ସାକିବ୍‌ ଅଲ୍‌ ହାସନ୍‌ ୨ଟି ୱିକେଟ ନେଇଥିଲେ।
୨୦୬ ରନ୍‌ ବାଂଲାଦେଶ ପାଇଁ ଅପହଞ୍ଚ ଲାଗୁଥିଲା। ସୌମ୍ୟ ସରକାର ମାତ୍ର ୬ଟି ବଲ୍‌ରୁ ୨ଟି ଛକା ସହ ୧୫ ରନ୍‌ କରିଥିଲେ। ଲିଟନ୍‌ ଦାସ ଦୀର୍ଘସମୟ କ୍ରିଜ୍‌ରେ ରହି ୩୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌ କରିଥିଲେ। ମେହ୍‌ଦି ହାସନ୍‌ ମିରାଜ୍ ୧୩ ଓ ତାସ୍କିନ୍‌ ଅହମ୍ମଦ ୧୦ ରନ୍‌ କରିଥିବା ବେଳେ ଅନ୍ୟ କେହି ଦୁଇଅଙ୍କ ସ୍କୋର୍ କରି ପାରିନଥିଲେ। ଆନ୍‌ରିଚ୍‌ ନୋର୍ଖିୟା ମାତ୍ର ୧୦ ରନ୍‌ଦେଇ ୪ଟି ୱିକେଟ୍‌ ନେଇ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। ତାବ୍ରେଜ୍‌ ସାମ୍‌ସି ୩ଟି ୱିକେଟ ନେଇଥିଲେ। ରାଇଲି ରୁସୌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

kalyan agarbati

Comments are closed.