ସିରିଆ : ପ୍ରତିଆକ୍ରମଣ ପାଇଁ ରୁଷ୍‌ର ଧମକ

0

ମସ୍କୋ : ସିରିଆ ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡା ଜବାବ ଦେବାକୁ ରୁଷ୍‌ ଧମକ ଦେଇଛି। ରୁଷର ପ୍ରତିଆକ୍ରମଣ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ବାଟ କଢାଇବାର ଆଶଙ୍କା ରହିଛି। କାରଣ ଆମେରିକା ଉପରେ ପ୍ରତି ଆକ୍ରମଣ ପୂର୍ବରୁ ରୁଷ ଏହାର ନାଗରିକଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ଲାଗି ସତର୍କ କରାଇଦେଇଛି। ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ବି୍ରଟେନର ମିଳିତ ଆକ୍ରମଣକୁ ନିନ୍ଦା କରିବା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଆଗତ ପ୍ରସ୍ତାବ କାଟ୍‌ ଖାଇଯିବା ପରେ ରୁଷ୍‌ ପ୍ରତିଆକ୍ରମଣର ଧମକ ଦେଇଛି। ସିରିଆ ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ ଓ ନିନ୍ଦା ଲାଗି ରୁଷ୍‌ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିବାବେଳେ ଏହା କାଟ୍‌ ଖାଇଯାଇଛି। ରୁଷ୍‌ କହିଥିଲା ଯେ ସିିରିଆ ଉପରେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡିକର ଆକ୍ରମଣ ଆନ୍ତର୍ଜାତିକ ଆଇନର ଉଲ୍ଲଙ୍ଘନ। ତେଣୁ ଏହାକୁ ଆନ୍ତର୍ଜାତିକ ସମୁଦାୟ ନିନ୍ଦା କରିବା ସହ ଏପରି ଆକ୍ରମଣକୁ ତୁରନ୍ତ ବନ୍ଦ କରାଯିବା ଦରକାର। ରୁଷ୍‌ର ପ୍ରସ୍ତାବକୁ ସୁରକ୍ଷା ପରିଷଦର ଦୁଇ ରାଷ୍ଟ୍ର ଚୀନ ଓ ବଲଭିଆ ସମର୍ଥନ କରିଥିଲେ। ଅନ୍ୟପଟେ ରୁଷ୍‌ର ଏହି ପ୍ରସ୍ତାବକୁ ଆମେରିକା, ବି୍ରଟେନ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ସ୍ୱିଡେନ, କୁଏତ, ପୋଲାଣ୍ଡ ଓ ଆଇଭରି କୋଷ୍ଟ ବିରୋଧ କରିଥିଲେ। ସୁରକ୍ଷା ପରିଷଦର ୧୫ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଇଥିଓପିଆ, କାଜାଖସ୍ତାନ, ଇକ୍ୱେଟୋରିଆଲ ଗୁଏନା ଓ ପେରୁ ପ୍ରସ୍ତାବ ଉପରେ ନିଜ ମତଦାନରୁ ଦୂରେଇ ରହିଥିଲେ। ରୁଷ୍‌ର ଧମକ ଉପରେ ଅବଚଳିତ ଆମେରିକା କହିଛି ଯେ ଏହା ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମେରିକା କହିଛି ଯେ ଯୁଦ୍ଧ ପାଇଁ ଏହାର କ୍ଷେପଣାସ୍ତ୍ର ଯୁଦ୍ଧବିମାନରେ ସଂଯୁକ୍ତ ହୋଇ ରହିଛି।
ବାସର ଅଲ ଆସାଦଙ୍କ ନେତୃତ୍ୱ ସିରିଆ ସରକାର ଏହାର ନାଗରିକଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବାକୁ ବିରୋଧ କରି ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଗୁଡିକ ଡାମାସ୍କସ୍‌ ଉପରେ ଆକ୍ରମଣ କରିଥିଲେ। ଆମେରିକାର ଏପରି ଆକ୍ରମଣ ଉଦେଶ୍ୟ ପ୍ରଣୋଦିତ ବୋଲି ସିରିଆ ଓ ଏହାର ମିତ୍ର ରାଷ୍ଟ୍ର ରୁଷ୍‌ କହିଛନ୍ତି। ରୁଷ୍‌ କହିଛି ଯେ ଆମେରିକାର ଏହି ଆକ୍ରମଣ ପ୍ରତିହିଂସା ପରାୟଣ ମନୋଭାବର ପରିଚାୟକ। ତେବେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ରାସାୟନିକ ଅସ୍ତ୍ର ଉତ୍ପାଦନ, ପ୍ରସାର ଏବଂ ବ୍ୟବହାର ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ ସ୍ୱରୂପ ସିରିଆ ଉପରେ ଆକ୍ରମଣ କରାଯାଇଛି। ଆସାଦ୍‌ ଯେପର୍ଯ୍ୟନ୍ତ ରାସାୟନିକ ଅସ୍ତ୍ର ବ୍ୟବହାର ବନ୍ଦ ନ କରିବେ ସେ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଏହି ତିନି ରାଷ୍ଟ୍ର ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ସିରିଆ ଉପରେ ଆମେରିକାର ଆକ୍ରମଣ ଅନ୍ୟପଟେ ରୁଷ୍‌ ଉପରେ ଆମେରିକାର କୂଟନୈତିକ କଟକଣା ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରିଛି। ସିରିଆ ଉପରେ ଆକ୍ରମଣ ସହିତ ଆମେରିକାର କୂଟନୈତିକ କଟକଣା ଉପରେ ଜବାବ ଦେବାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଦେଇଛନ୍ତି। ଆମେରିକାରୁ ଆମଦାନୀ ହେଉଥିବା କୃଷି, ତମାଖୁ, ଔଷଧ ଓ ମାଦକ ଦ୍ରବ୍ୟ ଉପରେ କଟକଣା ଲାଗୁ କରିବାକୁ ରୁଷ ନିଷ୍ପତ୍ତି ନେଇଛି। ଏଥିପାଇଁ ରୁଷ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଚଳିତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୩୮ଜଣ ରୁଷ୍‌ ଉଦ୍ୟୋଗୀଙ୍କ ଉପରେ କଟକଣା ଲାଗୁ କରିଥିଲେ। ରୁଷ୍‌ର ପୂର୍ବତନ ରାଷ୍ଟ୍ରଦୂତ ସର୍ଗେଇ ସ୍କ୍ରିପାଲଙ୍କୁ ବ୍ରିଟେନରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯିବା ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଉପରେ ରୁଷ ଉପରେ କୂଟନୈତିକ କଟକଣା ଲାଗୁ କରିଛନ୍ତି। ରୁଷ୍‌ର ଅନେକ ରାଷ୍ଟ୍ରଦୂତଙ୍କୁ ଆମେରିକା ନିଜ ଦେଶରୁ ବିତାଡିତ କରିଛି। ସେହିପରି ରୁଷ୍‌ର ୩୮ଟି କମ୍ପାନୀ ଉପରେ ମଧ୍ୟ ଆମେରିକା କଟକଣା ଲାଗୁ କରିଛି।

Leave A Reply