ଭୁବନେଶ୍ବର: ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କାଶ୍ମୀରରେ ବାଦଲଫଟା ବର୍ଷା ପ୍ରଭାବରେ ଯେଉଁଭଳି ଭୂସ୍ଖଳନ ହୁଏ, ଠିକ୍ ସେହିଭଳି ଚଳିତ ବର୍ଷ ଓଡ଼ିଶାର ଗଜପତି ଜିଲାରେ ତିନିଦିନ ଧରି ଲଗାଣ ଓ ବାଦଲଫଟା ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି। ସରକାରୀ ଭାବେ ଜିଲାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମାଟି ଅତଡ଼ା ତଳେ ବାପ-ପୁଅ ଦୁଇଜଣ ନିଖୋଜ ଅଛନ୍ତି। ଗଜପତି ଜିଲାରେ ଏହା ନୂଆ ନୁହେଁ। ପୂର୍ବରୁ ସାମୁଦ୍ରିକ ଝଡ଼ ପ୍ରଭାବରେ ଅତିପ୍ରବଳ ବର୍ଷା ହେବା ଦ୍ବାରା ପାହାଡ଼ରୁ ବନ୍ୟାପାଣି ମାଡ଼ି ଆସିବା ଓ ଭୂସ୍ଖଳନ ହେବା ଦ୍ବାରା ପ୍ରାୟ ୭୪ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା। କେବଳ ଗଜପତି ଜିଲାରେ ଭୂସ୍ଖଳନ ହେଉଛି ତାହା ନୁହେଁ; ବରଂ ବିଗତ ବର୍ଷଗୁଡ଼ିକୁ ଦେଖିଲେ କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ମାଲକାନଗିରି ଜିଲାରେ ଭୂସ୍ଖଳନ ହୋଇଛି ଏବଂ ଧନଜୀବନ ପ୍ରଭାବିତ ହୋଇଥିବା ନଜିର ରହିଛି।
ଗଜପତି ଜିଲାରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ରହିଛି। ସେସବୁ ସ୍ଥାନରେ ଭୂସ୍ଖଳନ ହ୍ରାସ ପାଇଁ ସରକାରୀସ୍ତରରେ କୌଣସି ପ୍ରତିକାର କରାଯାଇ ପାରୁନାହିଁ। ବିଳମ୍ବରେ ହେଲେ ବି କନ୍ଧମାଳ ଜିଲାର କଳିଙ୍ଗା ଘାଟି ଏବଂ ଗଜପତି ଜିଲାରେ ଭୂସ୍ଖଳନ ପରେ ସରକାର ଚେତିଛନ୍ତି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଭୂସ୍ଖଳନ ରୋକିବା ପାଇଁ ସରକାର ମାଷ୍ଟର ପ୍ଲାନ୍ କରିବେ। ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ। ଯେମିତି ପଥର ଖସି ଲୋକଙ୍କ ମୃତ୍ୟୁ ହେବ ନାହିଁ ସେ ଦିଗରେ ସରକାରଙ୍କ ପକ୍ଷରୁ ଧ୍ୟାନ ଦିଆଯିବ। ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରାସ୍ତା ଥିବାରୁ ସେଗୁଡ଼ିକୁ ଉଚ୍ଚା କରାଯିବ। ସେହିଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟୟରେ ଲୋକସେବା ଭବନ ନିକଟରେ ବିପର୍ଯ୍ୟୟ ଭବନ ତିଆରି ହେବ। ଗୋଟିଏ ଛାତ ତଳେ ଏକାଠି କାମ କରିବେ ଏସ୍ଆରସି, ଅଗ୍ନିଶମ ଓ ପାଣିପାଗ ବିଭାଗ। କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ। କୌଣସି ବିପର୍ଯ୍ୟୟ ଘଟିଲେ ବିପର୍ଯ୍ୟୟ ଭବନରୁ ନିୟନ୍ତ୍ରଣ କରାଯାଇ ପାରିବ।
ଚଳିତ ବର୍ଷ ସେପ୍ଟେମ୍ବର ୧୬ରେ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଅପରାହ୍ଣ ୩ଟା ୪୫ ମିନିଟରେ କଳିଙ୍ଗା ଘାଟିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା। ବଡ଼ ପଥର ସହ ମାଟି ଅତଡ଼ା ଧସି ରାସ୍ତାରେ ପଡ଼ିଥିଲା। ପ୍ରଥମ ଭୂସ୍ଖଳନର ଦୁଇଦିନ ପରେ ପୁଣି କଳିଙ୍ଗା ଘାଟିରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ପ୍ରଶାସନ ପକ୍ଷରୁ ଘାଟି ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଗଜପତି ଜିଲାର ଚାରିଟି ବ୍ଲକ୍ରେ ଭୂସ୍ଖଳନ ହୋଇଛି। ରାଜ୍ୟରେ ଏକମାତ୍ର ଜିଲା ଭାବେ ଗଜପତି ଜିଲା ଅତ୍ୟଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ।
ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ପର୍ଯ୍ୟଟନ ବୃଦ୍ଧି ପାଇଁ ପାହାଡ଼ ପାଦଦେଶ କାଟି ରାସ୍ତା ଏବଂ ଟନେଲ ନିର୍ମାଣ କରାଯାଉ ଥିବାରୁ ପାହାଡ଼ ଦୁର୍ବଳ ହେଉଛି। ପୁଣି ପାହାଡ଼ ଉପରୁ ଗଛଗୁଡ଼ିକୁ କାଟି ଦିଆଯାଉଛି। ପାଦଦେଶରେ ବଡ଼ କୋଠାଘର ନିର୍ମାଣ କରାଯାଉଛି। ବାଦଲଫଟା ବର୍ଷା ହେବା ଦ୍ବାରା ପାହାଡ଼ ଉପରୁ ବଡ଼ ପଥର, ମାଟି ଅତଡ଼ା ଏବଂ ଗଛ ତଳକୁ ଭୁଶୁଡ଼ି ଆସୁଛି। ପ୍ରାକୃତିକ ପରିବେଶକୁ ନଷ୍ଟ କରିବା କାରଣରୁ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଭୂସ୍ଖଳନ ଘଟୁଛି। ରାସ୍ତା କିମ୍ବା ଟନେଲ ନିର୍ମାଣସ୍ଥଳରେ ପାଚେରି ନିର୍ମାଣ କରିବା, ଗଛ ଲଗାଇବା ଏବଂ ପାହାଡ଼କୁ ସୁରକ୍ଷିତ ରଖିଲେ ଭୂସ୍ଖଳନରୁ ରକ୍ଷା ମିଳିବ। ଯେଉଁ ସ୍ଥାନ ଅଧିକ ସମ୍ବେଦନଶୀଳ ସେ ସ୍ଥାନରେ ପାଚେରି ଏବଂ ଗଛ ଲଗାଇବା ଆବଶ୍ୟକତା ରହିଛି।
ଭୂସ୍ଖଳନ ରୋକିବାକୁ ହେବ ମାଷ୍ଟରପ୍ଲାନ୍
Popular Categories



