ସୁରତରେ ନାବାଳିକାକୁ ବଳାତ୍କାର ଓ ହତ୍ୟା

0

ସୁରତ : ଜାମ୍ମୁ-କାଶ୍ମୀରର କଠୁଆ ଓ ଉତ୍ତରପ୍ରଦେଶର ଉନ୍ନାଓରେ ହୋଇଥିବା ଗଣବଳାତ୍କାର ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନୁରୂପ ଏକ ଘଟଣା ଗୁଜରାଟର ସୁରତରେ ଘଟିଛି। ୧୧ବର୍ଷର ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା କରାଯାଇଛି। ଏହି ଘଟଣା କଠୁଆ ଓ ଉନ୍ନାଓ ଠାରୁ ଆହୁରି ଜଘନ୍ୟ ବୋଲି ଜଣାପଡିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ନାବାଳିକା ଜଣଙ୍କୁ ୮ଦିନ ଅଟକ ରଖାଯାଇ ବଳାତ୍କାର କରାଯିବା ପରେ ଗଳା ଚିପି ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହଟିକୁ ସୁରତର ବେସ୍ଥାନ ଅଞ୍ଚଳର ଏକ ଖେଳ ପଡିଆରେ ଫିଙ୍ଗିଦିଆଯାଇଥିଲା। ଏପରିକି ହତ୍ୟା ପୂର୍ବରୁ ତାକୁ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି। କାରଣ ନାବାଳିକା ଶରୀରରେ ୮୬ଟି କ୍ଷତ ଚିହ୍ନ ରହିଛି। ଏହିସବୁ କ୍ଷତ କୌଣସି କାଠ ଅସ୍ତ୍ର ଦ୍ୱାରା କରାଯାଇଥିବା ଫରେନସିକ୍‌ ରିପୋର୍ଟରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ତଥା ସିଭିଲ ହସ୍ପିଟାଲ ଫରେନସିକ୍‌ ବିଭାଗ ମୁଖ୍ୟ ଗଣେଶ ଗୋଭେକାରଙ୍କ କହିବା ଅନୁଯାୟୀ କ୍ଷତଚିହ୍ନରୁ ଜଣାଯାଉଛି ଯେ ନାବାଳିକାଟିକୁ ସପ୍ତାହ କାଳ ଅଟକ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ଏପରିକି ନାବାଳିକାର ଗୁପ୍ତାଙ୍ଗରେ ମଧ୍ୟ କ୍ଷତ ଚିହ୍ନ ରହିଛି। ହତ୍ୟା ପୂର୍ବରୁ ତାକୁ ବଳାତ୍କାର କରାଯାଇଥିଲା।
ମୃତ ଦେହ ମିଳିବାର ୮ଦିନ ପରେ ନାବାଳିକାଟିକୁ ଚିହ୍ନଟ କରାଯାଇପାରି ନାହିଁ; କି ତାର ମୃତଦେହ ପାଇଁ କେହି ଦାବିଦାର ଆସିନାହାନ୍ତି। ପୁଲିସ କହିବା ଅନୁଯାୟୀ ନାବାଳିକାର ବୟସ ୯ରୁ ୧୧ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଇଛି। ଏପ୍ରିଲ ୬ ତାରିଖରେ ଏକ କ୍ରିକେଟ ପଡିଆ ନିକଟ ବୁଦା ନିକଟରୁ ମୃତଦେହଟିକୁ ଉଦ୍ଧାର କରାଯାଇଥିଲା। କେହି ଜଣେ ବାଟୋଇ ନାବାଳିକାର ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲା। ପାଣ୍ଡେସାରା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ମୃତଦେହଟିକୁ ଚିହ୍ନଟ କରିବା ଲାଗି ସାମାଜିକ ଗଣମାଧ୍ୟମ ସହିତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସହଯୋଗ ନିଆଯାଇଛି। ପୁଲିସ ଏବେ ବିଭିନ୍ନ ଥାନାର ନିଖୋଜ ବ୍ୟକ୍ତି ତାଲିକାକୁ ଯାଞ୍ଚ କରୁଛି। ଏହା ସହିତ ନାବାଳିକାର ଫଟୋ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ପଠାଯାଇଛି। ନାବାଳିକା ସମ୍ପର୍କରେ ସୂଚନା ପାଇଁ ପୁଲିସ ୨୦ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ମୃତଦେହ ଜବତ ପରେ ପୁଲିସ ଧାରା ୩୦୨, ୩୨୩ ଓ ୩୭୬ରେ ମାମଲା ରୁଜୁ କରିଛି।

Leave A Reply