ଅତ୍ୟଧିକ କାମଚାପଜନିତ ଆତ୍ମହତ୍ୟା ପାଇଁ ବରିଷ୍ଠ ଅଧିକାରୀ ଦାୟୀ ନୁହନ୍ତି: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଅତ୍ୟଧିକ କାମ ଚାପ ଯୋଗୁ ଯଦି କୌଣସି କର୍ମଚାରୀ ଆତ୍ମହତ୍ୟା କରନ୍ତି ସେଥିନେଇ ବରିଷ୍ଠ ଅଧିକାରୀ ଦାୟୀ ନୁହନ୍ତି। ଏଭଳି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଅଧିକ କାମ ଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମହାରାଷ୍ଟ୍ର ଶିକ୍ଷା ବିଭାଗର ଔରଙ୍ଗାବାଦସ୍ଥିତ ଉପନିର୍ଦ୍ଦେଶକ କାର୍ଯ୍ୟାଳୟର କର୍ମଚାରୀ କିଶୋର ପରାଶରଙ୍କ ଆତ୍ମହତ୍ୟା ଘଟଣାରେ ରୁଜୁ ଏକ ମାମଲାରେ ବମ୍ବେ ହାଇକୋର୍ଟଙ୍କ ଏକ ରାୟକୁ ଖଣ୍ଡନ କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। କର୍ମଚାରୀଙ୍କୁ ଆତ୍ମହତ୍ୟା ପାଇଁ ସିଧାସଳଖ ବାଧ୍ୟ କରି ନ ଥିଲେ ମଧ୍ୟ ଆତ୍ମହତ୍ୟା ପାଇଁ ବାଧ୍ୟ ହେବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ନେଇ ବରିଷ୍ଠ ଅଧିକାରୀମାନେ ଦାୟୀ ରହିବେ ବୋଲି ଉକ୍ତ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠ ପୂର୍ବରୁ ରାୟ ଦେଇଥିଲେ। ପରାଶର ୨୦୧୭ ଅଗଷ୍ଟରେ ଆତ୍ମହତ୍ୟା କରିଥିଲେ। ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ଦର୍ଶାଇ ପରାଶରଙ୍କ ପତ୍ନୀ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଉପରିସ୍ଥ ଅଧିକାରୀ ଜାଣିଶୁଣି ଅଧିକ କାମ ଦେଉଥିବା ଯୋଗୁ ସ୍ୱାମୀଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିଲା। ଏପରିକି ଅସମୟରେ ମଧ୍ୟ ସ୍ୱାମୀଙ୍କୁ କାର୍ଯ୍ୟାଳୟକୁ ଡକାଯାଉଥିଲା, ଯାହାଦ୍ୱାରା ସେ ଅବସାଦଗ୍ରସ୍ତ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯ।।ଇଥିଲା। ଏହି ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଉପରିସ୍ଥ ଅଧିକାରୀ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଜାନୁଆରୀ ୨୩ରେ ହାଇକୋର୍ଟ ସମ୍ପୃକ୍ତ ଅଧିକାରୀଙ୍କ ଆବେଦନ ଖାରଜ କରିବା ସହିତ ଉପରୋକ୍ତ ରାୟ ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସମ୍ପୃକ୍ତ ଅଧିକାରୀ ପୁନଃ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିବାବେଳେ ତାହାକୁ ମହାରାଷ୍ଟ୍ର ସରକାରଙ୍କ ଓକିଲ ନିଶାନ୍ତ କାଟନେଶ୍ୱରକାର ବିରୋଧ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ଏବଂ ୟୁ. ୟୁ. ଲଲିତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଯଦି ଉଦ୍ଦେଶ୍ୟମୂଳକ ଭାବେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି କରାଯାଏ, ତା’ହେଲେ ଆଇପିସି ଧାରା ୩୦୬ ଲାଗୁ ହେବ। ମାତ୍ର ଆତ୍ମହତ୍ୟା ପାଇଁ ପରାଶରଙ୍କୁ ବାଧ୍ୟ କରାଯାଇଥିବା ନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ନାହିଁ। ଏଣୁ ଖଣ୍ଡପୀଠ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ରୁଜୁ ଏଫ୍‍ଆଇଆର୍‍ ରଦ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply