ଏସସି ଏସଟି ଆକ୍ଟର ତର୍ଜମା କରିବ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ନୋଟିସ

0

ନୂଆଦିଲ୍ଲୀ: ଏସସି ଏସଟି ଆକ୍ଟ ଆଇନକୁ ନେଇ ଦେଶରେ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ରାଜନୈତିକ ରୂପ ନେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ସଂଶୋଧିତ ଏସସି ଏସଟି ଆଇନର ତର୍ଜମା ଆରମ୍ଭ କରିଛି। ସୁପ୍ରିମ କୋର୍ଟ ଏସସି ଏସଟି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନକୁ ଖାରଜ କରି ଦେଇଛି। କୌଣସି ମାମଲାର ବିନା ଶୁଣାଣିରେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ନୁହେଁ ବୋଲି କୋର୍ଟ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଅପରପକ୍ଷରେ ସଂଶୋଧିତ ଆଇ ଅନୁସାରେ ଜାତିଗତ ମନ୍ତବ୍ୟ ଅଭିଯୋଗରେ ଜଣଙ୍କୁ ତତ୍‌କ୍ଷଣାତ ଗିରଫ କରାଯିବାର ନିୟମ ରହିଛି। ଏପରିକି ଅଭିଯୁକ୍ତଙ୍କୁ ଅଗ୍ରୀମ ଜାମିନ ମଧ୍ୟ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ଏକାଧିକ କପୋଳକଳ୍ପିତ ଓ ଆକ୍ରୋଶମୂଳକ ମାମଲା ହେତୁ ନିରୀହ ନାଗରିକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ସଂଶୋଧୀତ ଆଇନକୁ ଅସମ୍ବିଧାନିକ ଘୋଷଣା କରିବାକୁ କୋର୍ଟରେ ଆବେଦନ କରାଯିବା ସହ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମ କୋର୍ଟରେ କରାଯାଇ ଥିବା ଆବେଦନକୁ ମାନ୍ୟବର କୋର୍ଟ ଖାରଜ କରିଦେଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସଂଶୋଧିତ ଆଇନକୁ ତର୍ଜମା କରିବାକୁ ନୋଟିସ ଜାରି କରିଛନ୍ତି।
୨୦ମାର୍ଚ୍ଚରେ ସୁପ୍ରିମ କୋର୍ଟ ପକ୍ଷରୁ ଏହି ମାମଲାରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇ ଥିଲା। ଆଇନର ଦୁରୂପଯୋଗକୁ ଦୃଷ୍ଟିରେ ରଖି କୋର୍ଟ ପକ୍ଷରୁ ମାମଲା ରୁଜୁ ହେବା ପରେ ଜଣେ ଡିଏସପିଙ୍କ ଦ୍ୱାରା ପ୍ରଥମେ ମାମଲାର ତଦନ୍ତ କରାଯାଇ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଗିରଫ କରିବାକୁ ପରାମର୍ଶ ଦିଆଯାଇ ଥିଲା। ଏପରିକି ସରକାରୀ କର୍ମଚାରୀଙ୍କୁ ଅଗ୍ରୀମ ଜାମିନ ପ୍ରଦାନର ବ୍ୟବସ୍ଥା ଉପରେ ସୁଯୋଗ ଦିଆଯାଇ ଥିଲା। ସୁପ୍ରିମ କୋର୍ଟର ଏଭଳି ନିର୍ଦେଶ ପରେ ସମଗ୍ର ଦେଶରେ ପଛୁଆ ବର୍ଗଙ୍କ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫଳରେ ବାଧ୍ୟ ହୋଇ କେନ୍ଦ୍ର ସରକାର ପକ୍ଷରୁ ସଂଶୋଧିତ ଆଇନକୁ ଲୋକସଭା ଓ ରାଜ୍ୟସଭାରେ ପାସ କରି ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଇ ଦିଆଯାଇ ଥିଲା। ସଂଶୋଧିତ ଆଇନକୁ ଏସସି ଏସଟି ଅତ୍ୟାଚାର ନିରୋଧ ଆଇନ ଧାରା ୧୮ଏ ସହ ଯୋଡ଼ା ଯାଇଛି। ଫଳରେ ଏହି ଆଇନ ବଳରେ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ପୂର୍ବରୁ ଗିରଫ କରିବାର ନିୟମ ରହିଛି। ଏପରିକି ଗିରଫ ପାଇଁ ପୁଲିସକୁ କାହାରି ଅନୁମତି ନେବାର ଆବଶ୍ୟକତା ମଧ୍ୟ ନାହିଁ ବୋଲି ଦର୍ଶାଯାଇଛି।

Leave A Reply