କଣ ହେବ ମହାରାଷ୍ଟ୍ର ମହାନାଟକର ଅନ୍ତିମ ପରିଣତି? ଆଜି ୧୦ଟା ୩୦ରେ ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ରର ରାଜନୈତିକ ମହାନାଟକ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୦ରେ ଏହି ରାୟ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସରକାରକୁ ସାମୟିକ ଆଶ୍ବସ୍ତି ମିଳିଛି। ଏନସିପିର ସମସ୍ତ ୫୪ ଜଣ ବିଧାୟକଙ୍କ ସମର୍ଥନ ବିଜେପି ପ୍ରତି ରହିଥିବା ଦର୍ଶାଇବା ସହିତ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଜବାବ ଦାଖଲ ଲାଗି ୨ରୁ ୩ ଦିନ ଅଧିକ ସମୟ ପ୍ରଦାନ କରିବାକୁ ବିଜେପି ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛି। ଏଣୁ ମଙ୍ଗଳବାର ମହାରାଷ୍ଟ୍ର ମହାନାଟକର ପରିସମାପ୍ତିକୁ ନେଇ ରାଜ୍ୟରେ ଅନିଶ୍ଚିତତା ଲାଗି ରହିଛି।
ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବା ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିଷ୍ପତ୍ତିକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ଦାଖଲ ଏକ ମିଳିତ ଆବେଦନ ଉପରେ ବିଚାରପତି ଏନ.ଭି. ରମଣା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ପୀଠ ଶୁଣାଣି କରିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ପ୍ରଦତ୍ତ ଆମନ୍ତ୍ରଣ ପଣ୍ଡ ଏବଂ ଫଂଡନ୍ବୀସଙ୍କ ସମର୍ଥନ ନିରୀକ୍ଷଣ ପରେ ସୁପ୍ରିମକୋର୍ଟ ଦର୍ଶାଇଥିଲେ ଯେ ବିଧାନସଭାରେ ଫଡନ୍ବୀସ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇପାରିବେ କି ନା ରାଜ୍ୟପାଳ ଦେଖିବାର କଥା। ୮୦ ମିନିଟର ଶୁଣାଣି ବେଳେ ରାଜ୍ୟପାଳ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦର୍ଶାଇଥିଲେ ଯେ ସରକାର ଗଠନ ନେଇ କୌଣସି ଦଳ ନିକଟରେ ଉପଯୁକ୍ତ ସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ତାହା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ରାଜ୍ୟପାଳଙ୍କ କାମ ନୁହେଁ। ଏନସିପିର ୫୪ ବିଧାୟକଙ୍କ ସମେତ ମୋଟ ୧୭୦ ବିଧାୟକଙ୍କ ସମର୍ଥନ ସମ୍ବଳିତ ପତ୍ର ଆଧାରରେ ରାଜ୍ୟପାଳ ଫଡନବିସଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଶିବସେନା, ବିଜେପି ଓ ଏନସିପିକୁ ସରକାର ଗଠନ ଲାଗି ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ; ମାତ୍ର ସବୁ ଦଳ ବିଫଳ ହେବା ପରେ ହିଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଜ୍ୟପାଳ ଉପଯୁକ୍ତ ପ୍ରକ୍ରିୟାରେ ଫଡନବିସଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ ବୋଲି ସଲିସିଟର ଜେନେରାଲ କହିଥିଲେ।
କିନ୍ତୁ ଶିବସେନାର ବରିଷ୍ଠ ଓକିଲ କପିଲ ସିବଲ କୋର୍ଟରେ ପ୍ରଶ୍ନ ଉଠାଇଥିଲେ ଯେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ରାତିଅଧିଆ ଭାବେ ପ୍ରତ୍ୟାହାର କରିବାର ଆବଶ୍ୟକତା କ’ଣ ଥିଲା। ରାଜ୍ୟପାଳ ଏଥିନେଇ କାହିଁକି ଅପେକ୍ଷା କଲେ ନାହିଁ। ତିନି ଦଳ (ସେନା-ଏନସିପି-କଂଗ୍ରେସ) ନିକଟରେ ୧୫୪ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ନିମନ୍ତେ ବିଜେପିକୁ ନିର୍ଦେଶ ଦେବାକୁ ସିବଲ ପୀଠଙ୍କୁ ନିବେଦନ କରିଥିଲେ। ପୂର୍ବରୁ ଏଭଳି ମାମଲାଗୁଡିକରେ ୨୪ ଘଣ୍ଟା ମଧ୍ୟରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ କୁହାଯାଇଥିଲା ବୋଲି ବିଚାରପତି ସଞ୍ଜୀବ ଖାନ୍ନା ଦର୍ଶାଇଥିଲେ। ଜବାବରେ ସଲିସିଟର ଜେନେରାଲ କହିଥିଲେ ରାଜ୍ୟପାଳଙ୍କୁ ନିର୍ଦେଶ ଦେବା ଭବିଷ୍ୟତ ନିର୍ବାଚନ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀ କହିଥିଲେ, ଜଣେ ଅସ୍ଥାୟୀ ବାଚସ୍ପତି ନୂତନ ବିଧାୟକମାନଙ୍କୁ ଶପଥ ପାଠ କରାଇବା ପରେ ବାଚସ୍ପତି ନିର୍ବାଚନ କରାଯିବ। ଏଣୁ ସରକାରଙ୍କୁ ଆସ୍ଥା ଭୋଟ ପାଇଁ କିଛି ସମୟ ଦିଆଯିବା ଦରକାର। ମାତ୍ର ଏନସିପି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ କହିଥିଲେ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏନସିପିର ବିଦ୍ରୋହୀ ନେତା ଅଜିତ ପୱାର ଦଳର ନେତା ଭାବେ ବାଚସ୍ପତି ନିର୍ବାଚନ ଲାଗି ହୁଇପ ଜାରି କରିବାର ଆଶଙ୍କା ରହିଛି। ଅଜିତ ଆଉ ଏନସିପି ବିଧାୟକ ଦଳର ନେତା ନ ଥିବାରୁ ଏଭଳି କରିବା ବେଆଇନ ହେବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିଚାର ବିଭାଗୀୟ ଦୃଷ୍ଟିକୋଣରୁ ନ ଦେଖିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରାଯାଇଛି।
Comments are closed.