କଠୁଆ ମାମଲାରେ ସୁପ୍ରିମ କୋର୍ଟ କ୍ଷୁବ୍ଧ

0

ନୂଆଦିଲ୍ଲୀ : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସ୍ଥାନୀୟ ଓକିଲ ସଂଘ ତୀବ୍ର ଆନ୍ଦୋଳନ କରିବାରେ ସୁପ୍ରିମ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏହି ମାମଲାରେ ଅଭିଯୋଗ ଫର୍ଦ ଦାଖଲରେ ଓକିଲମାନେ ବାଧା ସୃଷ୍ଟି କରିବା ଓ ଅଭିଯୁକ୍ତମାନଙ୍କୁ ନିର୍ଦୋଶ ଦାବି କରିବା ଅଭିଯୋଗ ଉପରେ ଭାରତୀୟ ଓକିଲ ସଂଘ(ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ), ଜାମ୍ମୁ କାଶ୍ମୀର ଓକିଲ ସଂଘ, ଜାମ୍ମୁ କାଶ୍ମୀର ଉଚ୍ଚ ନ୍ୟାୟାଳୟ ଓକିଲ ସଂଘ ଏବଂ କଠୁଆ ଓକିଲ ସଂଘକୁ ସୁପ୍ରିମକୋର୍ଟ ଶୁକ୍ରବାର ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରୁଥିବା ଓକିଲମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତୀୟ ଓକିଲ ସଂଘକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଓକିଲ ଅନ୍ୟ ଓକିଲଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବାଧା ଦେଇପାରିବେ ନାହିଁ। ଏଥିସହ ଓକିଲମାନେ କୋର୍ଟଙ୍କୁ ତାଙ୍କ ଦାୟିତ୍ୱ ନିର୍ବାହରୁ ନିବୃତ୍ତ କରିପାରିବେ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖ ଯେ, ୮ ବର୍ଷ ବୟସ୍କା ନାବାଳିକା ଆସିଫାଙ୍କୁ ଗଣବଳାତ୍କାର ତଥା ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ସମର୍ଥନ କରି ଜାମ୍ମୁ ଏବଂ କଠୁଆ ଓକିଲ ସଂଘ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ ପୁଲିସକୁ ବାଧା ଦେଇଥିଲେ।

Leave A Reply