ଯଶୁଆପୁର ସରପଞ୍ଚଙ୍କ ଆତ୍ମହତ୍ୟା
ପିପିଲି: ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ନବନିର୍ବାଚିତ ବିଜେପି ସମର୍ଥିତ ଯୁବ ସରପଞ୍ଚ ଶ୍ୟାମସୁନ୍ଦର ପରିଡ଼ା ଓରଫ କୁମ୍ପ(୪୨)ରବିବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶାରୀରିକ ଅସୁସ୍ଥତା ଓ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏ ସଂପର୍କରେ ତାଙ୍କ ପରିବାର ପକ୍ଷରୁ ପୁଲିସରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ରବିବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ସେ ନିଜର ନୂଆ ଘର ମଧ୍ୟରେ ଫ୍ୟାନ ହୁକରେ ଝୁଲୁଥିବାର ଦେଖି ତାଙ୍କ ଝିଅ ଡାକ ପକାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀମାନେ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲ୍କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଥିଲେ । ଖବର ପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପି ସାଂଗଠନିକ ସଂପାଦକ ମାନସ ରଞ୍ଜନ ମହାନ୍ତି, ମୁଖପାତ୍ର ବିରଞ୍ଚି ତ୍ରିପାଠୀ, ଯୁବନେତା ଅକ୍ଷୟ କୁମାର ବେହେରା, ସମିତି ସଭ୍ୟସରୋଜ ପ୍ରଧାନ ପ୍ରମୁଖ ମୃତକଙ୍କ ଗ୍ରାମ ଯଶୁଆପୁରରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ମୃତ ସରପଞ୍ଚଙ୍କର ପତ୍ନୀ, ଜଣେ ପୁତ୍ର ଓ କନ୍ୟା ଥିବା ଜଣାଯାଇଛି। ରବିବାର ସଂନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
Comments are closed.