ଯୁବବର୍ଗଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ଚାକିରି ସମସ୍ୟା, ପ୍ରେମରେ ବିଫଳ, ନିଶାସେବନ ପ୍ରମୁଖ କାରଣ

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜଧାନୀରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା ଚାପ ଓ ଚାକିରିରେ ବିଫଳତା ଏବଂ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ହାର ବଢୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି। ଚାକିରି ପ୍ରେମରେ ବିଫଳତା ଯୋଗୁଁ ଅନେକ ଆତ୍ମହତ୍ୟା କରୁଥିଲା ବେଳେ ଆଉ କିଛି ନିଶାସେବନ କାରଣରୁ ଆତ୍ମହତ୍ୟା କରୁଛନ୍ତି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ।
ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଅଞ୍ଚଳରେ ୨୦୨୧ ନଭେମ୍ବର ଶେଷସୁଦ୍ଧା ୧୫୫୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ। ବିଷପାନ କରି ୭୭ଜଣ ପୁରୁଷ ଓ ୪୨ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ବେକରେ ରଶି ଲଗାଇ ୯୪ ପୁରୁଷ ଓ ୪୧ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ତଥ୍ୟରୁ ଆହୁରି ଜଣାପଡିଛି ଯେ ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ। କୋଭିଡ ସମୟରେ ଲୋକଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଅଧିକ ଦେଖିବାକୁ ମିଳିଥିଲା। ଅନେକ ମାନସିକ ଅବସାଦଗ୍ରସ୍ତ ହୋଇଥିଲେ। ଏହି ସମସ୍ୟାର ସମାଧାନ ଲାଗି ସେତେବେଳେ ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବା କାଉନସେଲିଂର ବ୍ୟବସ୍ଥା କରାଯାଇଥିଲା। ତା ସତ୍ତ୍ୱେ ମଧ୍ୟ ଆତ୍ମହତ୍ୟା ମାମଲା କମି ନ ଥିଲା। ଚାକିରି ହରାଇବା ସହ ଆର୍ଥିକ ସଙ୍କଟ ପ୍ରମୁଖ କାରଣ ପାଲଟିଥିଲା।

 

prayash

ଏବେ ପ୍ରେମରେ ବିଫଳତା ପାଇଁ ଅନେକ ଆତ୍ମହତ୍ୟା ବାଟ ବାଛି ନେଉଛନ୍ତି। ବିଗତ କିଛିମାସର ଘଟଣାକୁ ଦେଖିଲେ ଅଧିକାଂଶ ଆତ୍ମହତ୍ୟା ମାମଲା ପ୍ରେମରେ ବିଫଳ କିମ୍ବା ପ୍ରତାରଣା ଯୋଗୁ ହୋଇଛି। ଏ ସଂକ୍ରାନ୍ତରେ ମାନସିକ ରୋଗ ଚିକିତ୍ସକ ଡ. ସମ୍ରାଟ କର କୁହନ୍ତି, ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ କାହା ସହିତ ଆଲୋଚନା କରିପାରୁନାହାନ୍ତି। ପୂର୍ବରୁ ଏକାନ୍ନବର୍ତ୍ତୀ ପରିବାର ଥିଲା। ଘରେ ବାପା ମା ନହେଲେ କକା, ଖୁଡି, ଜେଜେ ବାପା, ଭାଇ ଭଉଣୀଙ୍କ ସହିତ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରୁଥିଲେ। କହିବାକୁ ଗଲେ ସେମାନେ ଚାପମୁକ୍ତ ଥିଲେ। ମାତ୍ର ବର୍ତ୍ତମାନ ନ୍ୟୁକ୍ଲିୟର ଫ୍ୟାମିଲି (କେବଳ ବାପା, ମା ଓ ଛୁଆ) ପରମ୍ପରା ପିଲାଙ୍କୁ ଏକୁଟିଆ କରି ଦେଉଛି। କୌଣସି ସମସ୍ୟାର ସମ୍ମୁଖୀନ ହେଲେ କାହା ସହିତ ଆଲୋଚନା କରି ପାରୁନାହାନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାପା ମା ଅନ୍ୟ ପିଲା ସହିତ ନିଜ ପିଲାକୁ ସମକକ୍ଷ କରିବାକୁ ଚାହୁଛନ୍ତି। ସେମାନଙ୍କ ଏହି ଆଶା ପିଲା ଉପରେ ମାନସିକ ଚାପ ଅଧିକ ପକାଉଛି। ନିଜ ପିଲା କି ପ୍ରକାର ପାଠ ପଢିବ, କ’ଣ କରିବ ସେ ନେଇ ବାପା ମା ସ୍ଥିର କରୁଛନ୍ତି, ମାତ୍ର ନିଜ ପିଲାର ଇଚ୍ଛାକୁ ଗୁରୁତ୍ୱ ଦେଉ ନାହାନ୍ତି, ତାର ଦକ୍ଷତାକୁ ଉପେକ୍ଷା କରୁଛନ୍ତି। ସେହିପରି ମହାବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ପାଇଁ ନିଶା ଏବେ କାଳ ସାଜିଛି। ପୂର୍ବରୁ ନିଶା ଦ୍ରବ୍ୟ କାରବାର ସୀମିତ ଥିଲା ବେଳେ ଏହା ବ୍ୟାପକ ହୋଇଛି। ଗଞ୍ଜେଇ, ମଦ, ଧଳାଜହର ପ୍ରତି ଗଳିକନ୍ଦିରେ ମିଳୁଛି। ବିଶେଷ କରି ଧଳାଜହର ସେବନ ଯୁବବର୍ଗକୁ ପଥଭ୍ରଷ୍ଟ କରି ଦେଇଛି। ମହାମାରୀ ସମୟରେ ଅନେକ ନିଜ ଲୋକଙ୍କୁ ହରାଇ ମାନସିକ ଚାପଗ୍ରସ୍ତ ହେବା ଦେଖିବାକୁ ମିଳିଥିଲା। ଏ କ୍ଷେତ୍ରରେ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଭୂମିକା ଗୁରୁତ୍ୱ ବହନ କରେ।

kalyan agarbati

Comments are closed.