ଗୁରୁଡିଝାଟିଆ : ପରିବାରର ଜଞ୍ଜାଳ ସମ୍ଭାଳିବା ପରେ ମଧ୍ୟ ନାରୀ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିଛି । ସେ ଆଉ କେବଳ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇନାହିଁ । ନିଜର ଇଚ୍ଛାଶକ୍ତିକୁ ଚରିତାର୍ଥ କରି ଅନ୍ୟ ପାଇଁ ପ୍ରେରଣାର ବାର୍ତ୍ତାବହ ପାଲଟିପାରିଛି । ନାରୀ ଆଜି ଶିକ୍ଷା, ସଂସ୍କୃତି, ବିଜ୍ଞାନ, ରାଜନୀତି, କଳା ଓ କ୍ରୀଡା ଆଦି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିଛି । ସେହିଭଳି କୃଷିକ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇବାରେ ପଛରେ ପଡିନାହିଁ । ଯାହାର ଉଦାହରଣ ହେଉଛନ୍ତି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗ୍ରାମର ପ୍ରତିମା ସାହୁ(ମଲ୍ଲି) ୪୮ । ମୁଣ୍ଡଝାଳ ତୁଣ୍ଡରେ ମାରି ରକ୍ତକୁ ପାଣି ଫଟାଇ ନିଦାଘ ଗ୍ରୀଷ୍ମ ବା ହାଡଭଙ୍ଗା ଶୀତକୁ ଖାତିର ନକରି ଅଢେଇ ଏକର ଜମିରେ ଭଳିକି ଭଳି ସବୁଜ ପନିପରିବା ଫସଲ ଫଳାଇଛନ୍ତି । ହାତରେ ଫାଉଡା ଧରି କାକୁଡି କିଆରୀକୁ ହୁଡା ଟେକୁଥିବା ବେଳେ ନିଜେ ହସ୍ତଚାଳିତ ଚାଷ ଯନ୍ତ୍ରରେ ଜମିକୁ ହଳ କରୁଛନ୍ତି । ଅତ୍ୟନ୍ତ ଗରୀବ ପରିବାରରୁ ଆସିଥିବା ମଲ୍ଲି ଜଣେ ଗୃହିଣୀ ଭାବେ ଚଳୁଥିଲେ। ସ୍ୱାମୀ ଭାଗ୍ୟଧର ସାହୁ ଦିନ ମଜୁରିଆ ଭାବେ ଯାଇ କାମ କରିଥାନ୍ତି । ହେଲେ ତାହା ପରିବାର ପୋଷଣ ପାଇଁ ଯଥେଷ୍ଟ ନୁହେଁ। ସହଜେ ସ୍ୱାମୀଙ୍କ ବୟସ ୬୦ ହେଲାଣି। ତେଣୁ ପରିବାର ମୁହଁରେ ଦାନା ପାଣି ଦେବେ ବା କେମିତି। ବାଧ୍ୟ ହୋଇ ଭାଗଚାଷ କରିବା ନିମନ୍ତେ ମନରେ ବଳ ଜୁଟାଇଥିଲେ ମଲ୍ଲି ।
ପ୍ରଥମେ ୬ଏକର ଜମିରେ ଭାଗଚାଷ କରି ଧାନ ଅମଳ କରିଥିଲେ। ଯାହା ଦୁଇପଇସା ପାଇଲେ ପରିବା ଚାଷ କରିବା ପାଇଁ ମନବଳାଇଲେ । ଏବେ ଅଢେଇ ଏକର ଜମିରେ ବାଇଗଣ, କଖାରୁ, କାକୁଡି, ଲଙ୍କା, ଭେଣ୍ଡି, କଲରା, ଅମୃତଭଣ୍ଡା, ଝୁଡୁଙ୍ଗ ଆଦି ଚାଷ କରିଛନ୍ତି । ପ୍ରତି ସପ୍ତାହରେ ୪ହଜାର ଟଙ୍କା ପରିବାର ବିକ୍ରି କରି ପାଉଛନ୍ତି ବୋଲି ମଲ୍ଲି ଏବଂ ଭାଗ୍ୟଧର କହିଥିଲେ। ବ୍ୟବସାୟୀମାନେ ସତେଜ ପନିପରିବା ମଲ୍ଲିଙ୍କ ପରିବା କିଆରୀରୁ ନେଇ କଟକ କୃଷକ ବଜାର ଓ ଭୁବନେଶ୍ୱର ୧ନଂ ହାଟରେ ବିକ୍ରି କରୁଛନ୍ତି । ଲାଭରୁ ୮୦ହଜାର ଟଙ୍କା ଦେଇ ପାୱାର ୱିଡର(ହସ୍ତ ଚାଳିତ ଚାଷଯନ୍ତ୍ର), ପାଣି ଉଠାଇବା ପାଇଁ ପମ୍ପସେଟ କରିଥିବା ବେଳେ ସ୍ତ୍ରୀ ମଲ୍ଲି ପରିବା କ୍ଷେତକୁ ଯାଆସ କରିବା ପାଇଁ ଏକ ସାଇକେଲ ମଧ୍ୟ କରିଥିବା ସ୍ୱାମୀ ଭାଗ୍ୟଧର କହିଛନ୍ତି। ସରକାରଙ୍କ ଠାରୁ ଟଙ୍କାଟିଏ ସହାୟତା ନପାଇ ଛାତିରେ ଛାତିଏ ସାହସ ରଖି ଜଣେ ସଫଳ ମହିଳା ଭାବେ ଅଢେଇ ଏକର ଜମିରେ ଫସଲ ଫଳାଇ ବେଶ ଦୁଇପଇସା ଲାଭ ପାଇବା ସହିତ ପରିବାରକୁ ଚଳାଇବା ଘଟଣା ଅନ୍ୟ ମହିଳାମାନଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି। ନିଜର ଗୁଣ୍ଠେ ହେଲେ ଜମି ନାହିଁ । ଭାଗଚାଷ କରି ପନିପରିବା ଫସଲ ଫଳାଇ ମାଟିରେ ନିଜକୁ ମାଟି କରିଦେଇ ସୁନାର ଫସଲ ଫଳାଇଥିବା ଦୃଶ୍ୟକୁ ଦେଖିଲେ ଯେ କେହିବି ମଲ୍ଲିଙ୍କ ଇଚ୍ଛାଶକ୍ତି, ସଂକଳ୍ପବଦ୍ଧତାକୁ ପ୍ରଶଂସା ନ କରି ରହିପାରିବେ ନାହିଁ । ସ୍ଥାନୀୟ ଅଞ୍ଚଳରେ ମଲ୍ଲିଙ୍କ ପନିପରିବା କ୍ଷେତ ଦେଖିବା ପାଇଁ ଏବେ ବହୁ କୃଷକ ଆସୁଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଯଦି ମହିଳା ଚାଷୀ ମଲ୍ଲିଙ୍କୁ ସହାୟତା ଯୋଗାଇ ଦିଆଯାଆନ୍ତା ତାହାଲେ ତାଙ୍କ ଭଳି ଅନେକ ମହିଳା ଚାଷୀ ନାରୀଶକ୍ତିର ଜୟଗାନ କରନ୍ତେ ବୋଲି ବିୁଦ୍ଧିଜୀବିମାନେ କହିବାକୁ ପଛାଇନାହାନ୍ତି ।



