ବଢୁଛି ନଡ଼ିଆ କତା କଣ୍ଢେଇ ଚାହିଦା, ସରକାରୀ ସହାୟତା ପାଇଁ ନିବେଦନ
ବୃତ୍ତି ମୋର ପୋଷେ କୁଟୁମ୍ବ
ସୁଆଣ୍ଡୋ: ପେଟ ଚାଖଣ୍ଡକ ପାଇଁ ଆଜିର ସମୟରେ କେତେ କିଏ କ’ଣ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ତାଲିମ ନେଇ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ଜନୈକ ମହିଳା ସୁଲୋଚନା ଦାସ ନଡିଆ କତାରେ ବିଭିନ୍ନ କଣ୍ଢେଇ ଗଢ଼ି ଜିବୀକା ନିର୍ବାହ କରୁଛନ୍ତି । ହାତୀ, ଘୋଡା, ହରିଣ, କଇଁଚ, ଫୁଲ ଦାନୀ, ପୂର୍ଣ୍ଣକୁମ୍ଭ ପ୍ରମୁଖ ଗଢି ବିକ୍ରି କରୁଛନ୍ତି। ବର୍ଷେ ହେଲା ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ନଂ ୨ ଫାଟକ ପାର୍ଶ୍ୱରେ ଜରିପାଲ ଖଣ୍ଡିଏ ପକାଇ ଏହି ଜିନିଷଗୁଡିକ ବିକ୍ରୀ କରୁଛନ୍ତି । ନିଜେ କାରିଗର ହୋଇଥିବା ଦୃଷ୍ଟିରୁ ନାମମାତ୍ର ଲାଭ ରଖି ବିକ୍ରୟ କରୁଛନ୍ତି । ଫଳରେ ସୁଲୋଚନାକୁ କଣ୍ଢେଇ ଚାହିଦା ଢେର ବଢ଼ିଛି। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହିତ ଗୋପବନ୍ଧୁ ସଂଗ୍ରହାଳୟକୁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସୁଲୋଚନାଙ୍କ କଣ୍ଢେଇ କିଣିବାରେ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି।
ସୁଲୋଚନା କହିଛନ୍ତି ଯେ ନିଜେ ଘର କାମ ସାରିବା ପରେ ବଳକା ସମୟରେ ଏହି କାମ କରିଥାଏ । ମୁଁ କେବଳ ଯାହା ନଡିଆ କତା ଓ କିଛି ପ୍ରାକୃତିକ ରଙ୍ଗ କିଣିଥାଏ । ଗୋଟିଏ କାମ ଶିଖିଛି । ତେଣୁ ଘରର ଚାରିକାନ୍ଥ ଭିତରୁ ବାହାରିବାରୁ ମୁଁ ଦି’ପଇସା ରୋଜଗାର କରିପାରୁଛି । ବାହାର ବ୍ୟବସାୟୀମାନେ ମଧ୍ୟ ମମୋ ନିକଟରୁ କିଛି ଜିନିଷ କିଣି ନେଇଥାନ୍ତି । ମାସକୁ ପ୍ରାୟ ଦୁଇ ହଜାର ଟଙ୍କା ରୋଜଗାର କରିଥିବାରୁ ପିଲାମାନଙ୍କ ପାଠପଢା ସହିତ ଅନ୍ୟାନ୍ୟ ଖର୍ଚ୍ଚରେ ସହାୟକ ହୋଇପାରୁଛି। ଯଦି ସରକାରୀ ସ୍ତରରୁ କିଛି ଆର୍ଥିକ ସାହାଯ୍ୟ ମିଳନ୍ତା ତାହେଲେ ଆଉ ଅଧିକ କିଛି କାମ କରିପାରନ୍ତି । ତେଣୁ ଏହି ଶିଳ୍ପର ବିକାଶ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୋଲି ସୁଲୋଚନା ନିବେଦନ କରିଛନ୍ତି।
ସରକାର ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଅନେକ ଯୋଜନା କରୁଛନ୍ତି । ତେବେ ଏହିପରି ଗ୍ରାମାଞ୍ଚଳରେ ରହିଥିବା କ୍ଷୁଦ୍ର ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରାଗଲେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।
Comments are closed.