Patra electronics

ବିଜୁ ପଟ୍ଟନାୟକ ଷ୍ଟିଲ ପ୍ରତିଷ୍ଠାନକୁ ଜାତୀୟ ସ୍ତରର କରିବାକୁ ନବୀନଙ୍କ ପ୍ରସ୍ତାବ

0

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଇନିଷ୍ଟିଚ୍ୟୁଟକୁ ଏକ ସମ୍ପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୨ ମସିହାରେ ପ୍ରତିଷ୍ଠିତ ଏହି ପ୍ରତିଷ୍ଠାନ ବର୍ତ୍ତମାନ ସାର୍ଟିଫିକେଟ କୋର୍ସରେ ଶିକ୍ଷା ପ୍ରଦାନ କରୁଛି। ୨୦୦୪ ମସିହାରେ କେନ୍ଦ୍ର କ୍ୟାବିନେଟ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଜାତୀୟ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା କରି ଏଥିରେ ବି.ଟେକ, ଏମ.ଟେକ ଓ ପିଏଚଡି ଆଦି ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ଏହି ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଏହାକୁ ଆଇଆଇଟି ଭଳି ଏକ ଜାତୀୟ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି।
ସେହିପରି ସୁନ୍ଦରଗଡ଼ ଜଲାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ୍‍)କୁ ୨୩୦ ହେକ୍ଟର ବିଶିଷ୍ଟ ଏକ ଲାଇମ୍‍ଷ୍ଟୋନ ଓ ଡୋଲୋମାଇଟ ଖଣି ଲିଜ ଆକାରରେ ପ୍ରଦାନ କରାଯାଇଛି। ୨୦୧୩ ମାର୍ଚ୍ଚ ମାସରୁ ସେଲ୍‍ ଏଥିରୁ ଖଣି ଉତ୍ତୋଳନ ବନ୍ଦ କରିଦେଇଛି। ତେଣୁ ସେଲ୍‍ ଏଥିରୁ ଖଣି ଉତ୍ତୋଳନ ଆରମ୍ଭ କରିବା ଏବଂ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରାଳୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ରାଉକେଲା ଷ୍ଟିଲ ପ୍ଲାଣ୍ଟ ଟାଉନ ଅଞ୍ଚଳରେ ଥିବା ୫ହେକ୍ଟର ଖାଲି ଜାଗାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଏଥିରେ ଏକ ସିୱେଜ ପ୍ଲାଣ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ରାଉରକେଲା ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ତୁରନ୍ତ ମଞ୍ଜୁରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାର ଗୁରୁତର ସହ ବିଚାର କରି ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। କଳିଙ୍ଗନଗରରେ ଏକ ଷ୍ଟିଲ୍‍ ହବ୍‍ ପ୍ରତିଷ୍ଠା ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଠକରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦ୍ର ଇସ୍ପାତ ସଚିବ, ଉନ୍ନୟନ କମିଶନର, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ, ଇଡକୋ ସିଏମଡି ଏବଂ ଖଣି ନିଗମର ପରିଚାଳନା ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply