ଚନ୍ଦନେଶ୍ୱର ଚଡ଼କ ମେଳା : ପାଟପର୍ବରେ ଯୋଗଦେଲେ ୫ଲକ୍ଷ ଶ୍ରଦ୍ଧାଳୁ

0

ଚନ୍ଦନେଶ୍ୱର/ଭୋଗରାଇ : ପୂର୍ବ ଭାରତର ପ୍ରଖ୍ୟାତ ଶୈବପୀଠ ସ୍ୱୟମ୍ବୁ ଚନ୍ଦନେଶ୍ୱରଙ୍କ ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ଅନ୍ତିମ ଅର୍ଘ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଶ୍ରେଷ୍ଟ ପର୍ବ ପାଟରେ ଯୋଗଦେଲେ ୫ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଓ ମାନସିକଧାରୀ ଭକ୍ତ ଶରୀରରେ କଣ୍ଟା ଫୋଡ଼ି ନିଜର ବ୍ରତ ଉଦ୍ୟାପନ କରିଛନ୍ତି। ମହାବିଷୁବ ସଂକ୍ରାନ୍ତିରେ ଶ୍ରୀଜୀଉଙ୍କ ପାଖରେ ଲାଗିହେବ ପଣା ଭୋଗ। ଭୋଗରାଇର ଏହି ଗଣପର୍ବ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ତଥା ଛତିଶଗଡବାସୀଙ୍କୁ ୫ଦିନ ଧରି ଏକତାରଜ୍ଜୁରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ଯଜ୍ଞ ଉପବୀତଧାରୀ ଅଗଣିତ ଶୈବଭକ୍ତ ଏକତ୍ୱରୁ ସ୍ୱତନ୍ତ୍ର ହେବା ପୂର୍ବରୁ ଶୁକ୍ରବାର ଅପରାହ୍ଣରେ ପରସ୍ପରକୁ ମାଳଚନ୍ଦନରେ ଭୂଷିତ କରିଥିଲେ। ଭକ୍ତାମାନେ ଶିବ ଦୁର୍ଗା, ରାମ ସୀତା, କୃଷ୍ଣ ବଳରାମ, ହନୁମାନ ଓ ବିଭିନ୍ନ ପଶୁପକ୍ଷୀଙ୍କ ବେଶ ଧାରଣ କରିଥିବାର ଦେଖିବାକୁ ମିଳିଥିଲା। ସୂର୍ଯାସ୍ତ ସମୟରେ ଜିହ୍ୱାରେ ବହୁଳ ସଂଖ୍ୟକ କଣ୍ଟା ଫୋଡି ଦ୍ୱିତୀୟ ବର୍ଗର ଭକ୍ତାମାନେ ହାକାଣ୍ଡ ପୁଷ୍କରିଣୀରୁ ମନ୍ଦିର ପର୍ଯ୍ୟନ୍ତ ୨କିମି ରାସ୍ତା ଅତିକ୍ରମ କରିଥିଲେ। ଦଶଲକ୍ଷୀ ଭକ୍ତାଙ୍କ ଜିହ୍ୱା ଏବଂ ଉଭୟ ଫାଖରେ କଣ୍ଟା ଫୋଡି ଦୀପାଳି ଜାଳିବା ଦୃଶ୍ୟ ଧର୍ମୀୟ ଚେତନାକୁ ଜାଗ୍ରତ କରିଥିଲା। ବାଡ଼ସରିଷା ଗାଁରେ ଥିବା ହାକାଣ୍ଡ ପୋଖରୀରୁ ଚନ୍ଦନେଶ୍ୱରଙ୍କ ଚଳନ୍ତି ପ୍ରତିମା ଘଟକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାକୁ ଦେଖିବା ପାଇଁ ଲୋକେ ରାସ୍ତାର ଉଭୟ ପାଶ୍ୱର୍ ତଥା ଛାତ ଓ ଗଛ ଉପରେ ଚଢି ବସିଥିବାର ଲକ୍ଷ୍ୟ କରାଯାଇଥିଲା। ଦଶଲକ୍ଷୀ ଭକ୍ତା ମନ୍ଦିରରେ ପହଞ୍ôଚବା ପରେ ଚଳିତ ଚଡ଼କ ପର୍ବର ଅନ୍ତିମ ଅର୍ଘ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ମେଳାରେ ନାଗରିକ ସୁରକ୍ଷା ପରିଷଦ ଭୋଗରାଇ, ରୋଟାରୀ କ୍ଲବ ଚନ୍ଦନେଶ୍ୱର, ସତ୍ୟସାଇ ସେବା ସଙ୍ଗଠନ, ସାଗରସାଥୀ କ୍ଲବ ସାହାବାଜିପୁର, ଭୋଳାନାଥ ବିଦ୍ୟାପୀଠ ଓ ଶଙ୍ଖାରି ଉଚ୍ଚ ବିଦ୍ୟାଳୟର ସ୍କାଉଟ ଏଣ୍ଡ ଗାଇଡ, ଆରଆଇଏଚଏସ କଲେଜର ଗାଇଡ, ବିଶ୍ୱ ହିନ୍ଦୁ ପରିଷଦ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଦି ସଙ୍ଗଠନ ସହଯୋଗ କରିଥିଲେ। ଚଳିତ ବର୍ଷ କାଳବୈଶାଖୀ ପ୍ରଭାବ ଯୋଗୁଁ ଅସ୍ଥାୟୀ ଶିବିରରେ ରହୁଥିବା ଭକ୍ତ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ; କିନ୍ତୁ ବର୍ଷା ପାଇଁ ବିଶେଷ ଗରମ ଅନୁଭୂତ ହୋଇ ନ ଥିଲା।

Leave A Reply