ଦିଲ୍ଲୀରେ ଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ପୁଲିସ୍‌ର ଲାଠିଚାର୍ଜ

0

ନୂଆଦିଲ୍ଲୀ : ଏସ୍‌ଏସ୍‌ସିର କମ୍ପାଇନ ଗ୍ରାଜୁଏଟ ଲେବୁଲ୍‌ (କର୍ମଚାରୀ ଚୟନ ଆୟୋଗ) ପରୀକ୍ଷା ଦୁର୍ନୀତିକୁ ନେଇ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଏସ୍‌ଏସ୍‌ସି ପରୀକ୍ଷାର୍ଥୀ ଦିଲ୍ଲୀରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନରତ ଛାତଛାତ୍ରୀଙ୍କୁ ହଟାଇବା ପାଇଁ ପୁଲିସ୍‌ ପକ୍ଷରୁ ଲାଠି ଚାଳନା କରାଯାଇଛି । ଏଥିରେ କେତେକ ଛାତ୍ର ଓ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ଛାତ୍ରଛାତ୍ରୀ ନିଜ ଦାବି ନେଇ କନୋଟ ପ୍ଲେସ୍‌ ଏବଂ ସଂସଦ ମାର୍ଗରେ ଠୁଳ ହୋଇଛନ୍ତି । ସେପଟେ କେତେକ ଛାତ୍ରଛାତ୍ରୀ ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏସ୍‌ଏସ୍‌ସିର ଆଶାୟୀମାନେ ଏହି ଘଟଣାରେ ନିରପେକ୍ଷ ତଦନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ତଦନ୍ତର ପ୍ରତିଶ୍ରୁତି ଦିଆଯାଇଥିଲା; ମାତ୍ର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଦିଲ୍ଲୀ ପୁଲିସ୍‌ର କେତେକ ଅଧିକାରୀ ପ୍ରତିବାଦ ସଭା ଉପରକୁ ଯିବାକୁ ଚେଷ୍ଟା କରିଥିଲେ । ମାତ୍ର ତଳେ ବସିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କୁ ଯିବାକୁ ଦେଇ ପାରିନଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ପୁଲିସ୍‌ ମଧ୍ୟରେ ସଂଘର୍ଷ ଘଟି ଲାଠିଚାର୍ଜ ରୂପ ନେଇଥିଲା । ଏସ୍‌ଏସ୍‌ସି ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି । ପ୍ରକାଶଯେ ଛାତ୍ରଛାତ୍ରୀମାନେ ଠକେଇକୁ ନେଇ ଏସ୍‌ଏସ୍‌ସି କାର୍ଯ୍ୟାଳୟ ଆଗରେ ଫେବୃଆରୀ ୨୭ରୁ ବିରୋଧ ପ୍ରଦର୍ଶନ କରୁଥିଲେ । ଏବେ ଛାତ୍ରଛାତ୍ରୀମାନେ ଅନ୍ତିମ ଲଢେଇ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ।

Leave A Reply