ଭାରତୀୟ ଦଳରେ ବୀରେନ୍ଦ୍ର ଓ ଅମିତ

0

ନୂଆଦିଲ୍ଲୀ : ଜୁନ ୨୩ରୁ ନେଦରଲାଣ୍ଡ୍‍ସରେ ଏଫ୍‍ଅଇଏଚ୍‍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଗୋଲରକ୍ଷକ ପି.ଆର.ଶ୍ରୀଜେସ ଅଧିନାୟକ ନିଯୁକ୍ତ ହୋଇଥିବାବେଳେ ଦଳରେ ଓଡ଼ିଶାର ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଶ୍ରୀଜେସ ଭାରତୀୟ ଦଳର ନେତୃତ୍ୱ ନେଇଥିବାବେଳେ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ରୌପ୍ୟପଦକ ଜିତିଥିଲା। ଏହି ପରିପ୍ରେକ୍ଷୀରେ ଦଳ ନେଦରଲାଣ୍ଡ୍‍ସରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ଶ୍ରୀଜେସ ଆଶାବ୍ୟକ୍ତ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଅଭିଜ୍ଞ ମିଡ୍‍ଫିଲ୍ଡର ତଥା ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏଥର ଦଳ ଗଠନ କରାଯାଇଛି। ଚମ୍ପିଆନ୍ସ ଟ୍ରଫିର ପ୍ରଦର୍ଶନକୁ ଆଧାର କରି ଆଗାମୀ ଏସୀୟ କ୍ରୀଡା ପାଇଁ ଦଳ ମନୋନୟନ କରାଯିବ। ଏହି ପରିପ୍ରେକ୍ଷୀରେ ଚମ୍ପିଆନ୍ସ ଟ୍ରଫିରେ ଆଶାନୁରୂପ ପ୍ରଦର୍ଶନ କରିବାକୁ ଦଳର ସବୁ ଖେଳାଳି ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି। ଚଳିତବର୍ଷ ଶେଷ ଆଡକୁ ଭୁବନେଶ୍ୱରରେ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଥିବାବେଳେ ଭାରତ ଚମ୍ପିଆନ୍ସ ଟ୍ରଫିରେ ପ୍ରଥମ ତିନିଟି ସ୍ଥାନରେ ରହିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଯଥା ଭାରତ, ପାକିସ୍ତାନ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ ଓ ନେଦରଲାଣ୍ଡ୍‍ସ ଅଂଶଗ୍ରହଣ କରୁଛନ୍ତି। ରାଉଣ୍ଡ ରବିନ ଭିତ୍ତିରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାବେଳେ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲକୁ ଉନ୍ନୀତ ହେବେ। ଜୁନ ୨୩ରେ ଖେଳାଯିବାକୁ ଥିବା ଉଦ୍‍ଘାଟନୀ ମ୍ୟାଚରେ ଭାରତ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟୁଥିବାବେଳେ ୨୪ରେ ଆର୍ଜେଣ୍ଟିନାକୁ, ୨୭ରେ ଅଷ୍ଟ୍ରେଲିଆକୁ, ୨୮ରେ ବେଲଜିୟମକୁ ଓ ୩୦ରେ ଆୟୋଜକ ନେଦରଲାଣ୍ଡ୍‍ସକୁ ଭେଟିବ।
ଘୋଷିତ ଦଳ: ଗୋଲରକ୍ଷକ: ପି.ଆର.ଶ୍ରୀଜେସ, କ୍ରିଷନ ବାହାଦୂର ପାଠକ, ଡିଫେଣ୍ଡର: ହରମନପ୍ରୀତ ସିଂହ, ବରୁଣ କୁମାର, ସୁରେନ୍ଦ୍ର କୁମାର, ଜର୍ମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ମିଡ୍‍ଫିଲ୍ଡର-ମନପ୍ରୀତ ସିଂହ, ଚିଙ୍ଗିଲସାନା ସିଂହ କାଞ୍ଜୁଗାମ୍‍ (ଉପ ଅଧିନାୟକ), ସର୍ଦ୍ଦାର ସିଂହ, ବିବେକ ସାଗର ପ୍ରସାଦ, ଫରୱାର୍ଡ-ଏସ.ଭି.ସୁନିଲ, ରମଣଦୀପ ସିଂହ, ମନଦୀପ ସିଂହ, ସୁମିତ କୁମାର(ଜୁନିୟର), ଆକାଶଦୀପ ସିଂହ ଓ ଦିଲପ୍ରୀତ ସିଂହ

Leave A Reply