ଦୂରହେଲା ବାରିପଦା ମେଡିକାଲ କଲେଜ ଅନିଶ୍ଚିତତା

0

ଭୁବନେଶ୍ୱର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ଶିକ୍ଷାବର୍ଷରେ ନାମଲେଖା ନେଇ ଗତ ୨ମାସ ହେଲା ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପକ୍ଷରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଦ୍ୱିତୀୟବର୍ଷ ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟ ସରକାରଙ୍କୁ ସମ୍ମତି ଜଣାଇଛନ୍ତି। ଏନେଇ ଖୁବ୍‌ଶୀଘ୍ର ଏମ୍‌ସିଆଇ ପକ୍ଷରୁ ନବୀକରଣପତ୍ର ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ତେବେ ଯେଉଁ ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟବିଭାଗ ୩ମାସ ହେଲା ଏମ୍‌ସିଆଇ ପଛରେ ପଡ଼ିଥିଲା ତାହାର ଯବନିକା ପଡିଛି। ବିନା ଅନୁଧ୍ୟାନରେ ଏମ୍‌ସିଆଇ କର୍ତ୍ତୃପକ୍ଷ ଚଳିତମାସ ୨୬ ତାରିଖରେ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ନବୀକରଣ ସ୍ୱୀକୃତି ଦେବା ପରେ ଓଡ଼ିଶା ସରକାର ଆଶ୍ୱସ୍ତି ଲାଭ କରିଛନ୍ତିି।
ସୂଚନା ଅନୁଯାୟୀ ଗୁରୁବାର ନୂଆଦିଲ୍ଲୀଠାରେ ଏମ୍‌ସିଆଇର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ପାଇଁ ନିକଟରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ତାଙ୍କର ରିପୋର୍ଟ ପ୍ରଦାନ କରିବା ପରେ ଉକ୍ତ ଦୁଇ କଲେଜକୁ ଅନୁମତି ପତ୍ର(ଏଲ୍‌ଓପି) ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଏହାପରେ ବାରିପଦା ମେଡିକାଲ କଲେଜର ନବୀକରଣ ଓ ଏଲ୍‌ଓପି ପ୍ରସଙ୍ଗରେ ଦୀର୍ଘସମୟ ଧରି ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୪ଥର ଅନୁରୋଧ କରାଯାଇଥିଲେ ବି ଏମ୍‌ସିଆଇ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ଭିତ୍ତିଭୂମିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ଦିଗ ଠିକ୍‌ କରାଯାଇଛି ବୋଲି ଦର୍ଶାଯାଉଥିଲା। ଏହାକୁ ନେଇ ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଚଳିତମାସ ୧୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଏମ୍‌ସିଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ପତ୍ର ଦେଇଥିଲେ। ଏସବୁକୁ ଭିତ୍ତି କରି ଉକ୍ତ ବୈଠକରେ ବାରିପଦା ମେଡିକାଲ କଲେଜକୁ ନବୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ୱାରା କି ଆଦିବାସୀବହୁଳ ମୟୂରଭଞ୍ଜ ଜିଲା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିବା ତଥା ଡାକ୍ତରୀ ପାଠ୍ୟକ୍ରମ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ୨୦୧୫ ମେ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ମେଡିକାଲ କଲେଜ ଶିଳାନ୍ୟାସ ହୋଇଥିଲା। ମାତ୍ର ଦୁଇ ବର୍ଷ ମଧ୍ୟରେ ୨୧.୦୨ ଏକର ଜମି ଉପରେ ୧୮୫ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜର ସମସ୍ତ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଛି। ତେବେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ରାଜ୍ୟ ଓ କେନ୍ଦ୍ର ୬୦:୪୦ ପ୍ରତିଶତ ଅନୁପାତରେ ଖର୍ଚ୍ଚ କରିବାକୁ ନିୟମ ରହିଥିଲେ ହେଁ ଉକ୍ତ ଅନୁଦାନ ଅର୍ଥ କେନ୍ଦ୍ର ସରକାର ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ବିଭାଗ ପକ୍ଷରୁ କୁହାଯାଉଛି। ଇତିମଧ୍ୟରେ ୫ଟି ମେଡିକାଲ କଲେଜ ପାଇଁ ୧୬୦୦କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଥିବାବେଳେ କେନ୍ଦ୍ର ସରକାର ୫୪୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି। ମେଡିକାଲ କଲେଜର ଭିତ୍ତିଭୂମି ଓ ଆନୁଷଙ୍ଗିକ ଖର୍ଚ୍ଚ ବାବଦ ଅର୍ଥ କେନ୍ଦ୍ର ଦେବାରେ ବିଳମ୍ବକୁ ନେଇ ବିଭାଗ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

Leave A Reply