ଦିନ ୩ଟାରେ ରଥ ଅନୁକୂଳ

0

ପୁରୀ : ଶ୍ରୀମନ୍ଦିର ନୀତି ସବ୍‍କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରୀଜୀଉଙ୍କ ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସେଥିରେ ଅଧ୍ୟକ୍ଷତା କରିଥିଲେ । ଆଗାମୀ ୧୮ତାରିଖରେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ପାଳନ କରାଯିବ । ପରମ୍ପରା ଅନୁଯାୟୀ ସେହିଦିନଠାରୁ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ରଥ ନିର୍ମାଣ ଅନୁକୂଳ କରାଯିବାର ବିଧି ରହିଛି । ସେଦିନ ୨ଟା ୩୦ରେ ବିମାନକୁ ଦିଅଁ ବିଜେ କରିବେ । ମଦନମୋହନ, ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ନୌବିହାର ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ । ଏହାପରେ ରଥଖଳାକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଦିନ ୩ଟାରେ ବିଜେ କରିବ। ରଥଖଳାରେ ଦେଉଳ ପୁରୋହିତ ଏବଂ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ନୃସିଂହ ମନ୍ତ୍ରରେ ଯଜ୍ଞ କରାଯିବ । ପ୍ରଶାସନ ପକ୍ଷରୁ ବିଶ୍ୱକର୍ମା (ବଢ଼େଇ) ସେବକଙ୍କୁ ଶାଢ଼ି ବନ୍ଧାଯିବ । ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ୩ଟି କାଠରେ ଲାଗି କରାଯିବ। ଏହାପରେ ବିଶ୍ୱକର୍ମା ସେବକ ରଥ ନିର୍ମାଣ ଅନୁକୂଳ କରିବେ ।
ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏହାକୁ ବାହାର ଚନ୍ଦନ କୁହାଯାଏ। ମଦନମୋହନ ଓ ରାମକୃଷ୍ଣଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଭାବେ ପରିଚିତ ଶ୍ରୀଲୋକନାଥ, ଜମେଶ୍ୱର, କପାଳମୋଚନ, ମାର୍କଣ୍ଡେଶ୍ୱର, ନୀଳକଣ୍ଠେଶ୍ୱର ନରେନ୍ଦ୍ରରେ ଜଳକ୍ରୀଡ଼ା କରିବେ। ଅକ୍ଷୟ ତୃତୀୟାରେ ଭୋର ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭୋର ୪ଟା ୩୦ରେ ଭିତରେ ଶୋଧ କରାଯାଇ ସକାଳ ୫ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ । ୫ଟା ୩୦ରେ ମଇଲମ ଓ ତଡ଼ପ ଲାଗି, ୬ଟା ୩୦ରେ ଅବକାଶ, ୭ଟାରେ ରୋଷହୋମ, ୭ଟା ୧୫ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ, ସକାଳ ୮ଟାରେ ଗୋପାଳ ବଲ୍ଲଭ ଭୋଗ ଏବଂ ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳ ଧୂପ କରାଯିବାକୁ ସ୍ଥିର ହୋଇଛି । ଦିନ ୧୦ଟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ୧୦ଟା ୩୦ରେ ଚନ୍ଦନବେଢ଼ା କରାଯାଇ ଖଇକୋରା ଭୋଗ ହେବ। ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ସର୍ବାଙ୍ଗ ସହ ବେଶ କରାଯିବ। ଏହାପରେ ଦକ୍ଷିଣିଘର ଭୋଗ, ଘଣ୍ଟଛତା ଯାତଭୋଗ ଓ ମଧ୍ୟାହ୍ନଧୂପ କରାଯିବାକୁ ସ୍ଥିର ହୋଇଛି । ଦିନ ୨ଟା ୧୫ରେ ଶ୍ରୀଜୀଉଙ୍କୁ ଦ୍ୱାଦଶ ଯାତ୍ରା ବନ୍ଦାପନା କରାଯିବ।୨ଟା ୩୦ରେ ବିମାନକୁ ଦିଅଁ ବିଜେ କରିବେ । ଦିନ ୩ଟାରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଚନ୍ଦନ ଠାକୁରଙ୍କ ବିମାନ ଯାତ୍ରା କରିବ। ରଥ ନିର୍ମାଣ ଅନୁକୂଳ ପାଇଁ ତିନିଠାକୁରଙ୍କ ଆଜ୍ଞାମାଳ ଧରି ୩ଜଣ ପୂଜାପଣ୍ଡା ସେବକ ଶୋଭାଯାତ୍ରାରେ ରଥଖଳାକୁ ଯିବେ । ସେଠାରେ ରଥ ନିର୍ମାଣ ଅନୁକୂଳ କରାଯିବ।
ଏହାପରେ ଶ୍ରୀଜୀଉଙ୍କ ଭୋଗମଣ୍ଡପ, ମଇଲମ, ବେଶ, ସନ୍ଧ୍ୟାଆଳତୀ, ସନ୍ଧ୍ୟାଧୂପ, ଆଲଟଲାଗି ଓ ପଣାଭୋଗ କରାଯିବ । ରାତି ୧୦ଟାରେ ଚନ୍ଦନଠାକୁର ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିବେ । ରାତି ୧୦ଟା ୩୦ରେ ଶ୍ରୀଜୀଉଙ୍କୁ ମଇଲମ ଓ ଚନ୍ଦନଲାଗି କରାଯିବ । ରାତି ୧୧ଟା ୩୦ରେ ବଡ଼ସିଂହାର ବେଶ, ୧୨ଟାରେ ବଡ଼ସିଂହାର ଭୋଗ ଏବଂ ରାତି ୧୨ଟା ୩୦ରେ ରାତ୍ରପହୁଡ଼ କରାଯିବାକୁ ସ୍ଥିର ହୋଇଛି । ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଡ. ସିଦେ୍ଧଶ୍ୱର ମହାପାତ୍ର, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡ଼ି, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମହନ୍ତ ସଚ୍ଚିଦାନନ୍ଦ ଦାସ ଏବଂ ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ ବୈଠକରେ ଉପସ୍ଥିତ ଥିଲେ।

Leave A Reply