ଚୀନ ଋଣ ବୋଝରୁ ମୁକୁଳିବାକୁ ଶ୍ରୀଲଙ୍କା ମାଗିଲା ସାହଯ୍ୟ

0

କଲମ୍ବୋ : ଚୀନ ଋଣରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କା ଏଥିରୁ ମୁକୁଳିବା ପାଇଁ ଭାରତ ଓ ଜାପାନକୁ ସାହଯ୍ୟ ମାଗିଛି । ଭିତ୍ତିଭୂମି ବିକାଶ ପାଇଁ ଚୀନଠୁ ଋଣ ଆଣି ଶ୍ରୀଲଙ୍କା ଫସି ଯାଇଛି । ଋଣ ପରିଶୋଧ କରିପାରୁନଥିବାରୁ ଶ୍ରୀଲଙ୍କାର ଏକ ବନ୍ଦରକୁ ଚୀନ ନିଜ ଅକ୍ତିଆରରେ ରଖିଛି । ଏଭଳି ସ୍ଥିତିରେ ଭାରତ ଓ ଜାପାନ ଭଳି ଦେଶ ପୁଞ୍ଜିନିବେଶ କଲେ ହିଁ ଶ୍ରୀଲଙ୍କା ଋଣ ବୋଝରୁ ମୁକୁଳିପାରିବ ବୋଲି ତାର ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂ କହିଛନ୍ତି । କଲମ୍ବୋଠାରେ ଆୟୋଜିତ ଏକ ବ୍ୟବସାୟିକ ସମ୍ମିଳନୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିକ୍ରମସିଂ ଗତ ବର୍ଷ ଚୀନ ସହ ହୋଇଥିବା ଏକ ରାଜନିମା ସପକ୍ଷରେ କହିଥିଲେ । ଏହି ରାଜିନାମା ଅନୁସାରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ୍‌ରେ ଦିଆଯାଇଛି । ଏଥିରୁ ଶ୍ରୀଲଙ୍କା ୧.୧ ଶହ କୋଟି ଡଲାର ରାଜସ୍ୱ ହାସଲ କରିଛି । ମାତ୍ର ଶ୍ରୀଲଙ୍କାର ୮୦% ସରକାରୀ ରାଜସ୍ୱ ଋଣ ସୁଝିବାରେ ଚାଲିଯାଉଛି । ଏପଟେ ହମ୍ବନଟୋଟା ବନ୍ଦରକୁ ଚୀନ ବ୍ୟବସାୟୀ ଏବଂ ଶ୍ରୀଲଙ୍କା ବନ୍ଦର କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ନେଇଯାଇଛନ୍ତି । ଫଳରେ ହମ୍ବନଟୋଟାରୁ ଶ୍ରୀଲଙ୍କା ଅନ୍ୟ ରାଜସ୍ୱ ଆୟ କରିପାରୁନାହିଁ । ଏବେ ହମ୍ବନଟୋଟା ଶ୍ରୀଲଙ୍କା ପାଇଁ ବୋଝ ହୋଇରହିଛି ବୋଲି ସେ ଏହି ବ୍ୟବସାୟିକ ସମ୍ମିଳନୀରେ କହିଛନ୍ତି । ରାନୀଲ ବିକ୍ରମସିଂ କହିଛନ୍ତି ଯେ ଏବେ ଶ୍ରୀଲଙ୍କାକୁ ବିଦେଶୀ ପୁଞ୍ଜି ନିବେଶ ଆବଶ୍ୟକ । ପ୍ରଥମେ ଚୀନ, ଜାପାନ ଏବଂ ଭାରତ ଭଳି ଦେଶରୁ ନିବେଶକ ଆସିବା ଆବଶ୍ୟକ, ଏହାପରେ ଅନ୍ୟମାନେ ସେମାନଙ୍କ ପଦାନୁସରଣ କରିବେ ଓ ୟୁରୋପରୁ ନିବେଶକ ଶ୍ରୀଲଙ୍କାକୁ ଆସିବେ । ପ୍ରକାଶ ଯେ ୨୦୧୫ରୁ ବିକ୍ରମସିଂ ଶ୍ରୀଲଙ୍କାର ଶାସନ ଭାର ସମ୍ଭାଳିଛନ୍ତି । ଏହାପରଠାରୁ ଦେଶର ଅର୍ଥନୀତିକୁ ଠିକ୍‌ ଧାରାକୁ ଆଣିବାକୁ ତାଙ୍କ ଉପରେ ଚାପ ରହିଛି । ଶ୍ରୀଲଙ୍କା ୨୦୦୯ ଗୃହଯୁଦ୍ଧ ସମୟରେ ଚୀନଠାରୁ ଶହ ଶହ କୋଟି ଡଲାର ଋଣ ନେଇଥିଲା । ଶ୍ରୀଲଙ୍କା ସେହି ଋଣ ସୁଝିବାରେ ଲାଗିଛି । ଆଉ ଅଧିକ ଋଣ ଭାର ବଢିଲେ ଶ୍ରୀଲଙ୍କାର ବିକାଶ ବାଧାପ୍ରାପ୍ତ ହେବ । ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚୀନ ବେପାରୀ ଓ ନୌସେନାର ଉପସ୍ଥିତି ଭାରତ ପାଇଁ ଚିନ୍ତାର କରାଣ ସାଜିଛି । ଏଭଳି ସ୍ଥିତିରେ ଶ୍ରୀଲଙ୍କାର ନିବେଦନ ଉପରେ ଭାରତ ବିଚାର କରିବା ଆବଶ୍ୟକ ବୋଲି ଅନେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

Leave A Reply