ଆୟରଲାଣ୍ଡକୁ ୯ ୱିକେଟରେ ହରାଇଲା ଶ୍ରୀଲଙ୍କା
ହୋବାର୍ଟ : ୯ ୱିକେଟରେ ସହଜ ବିଜୟ ସହ ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୧୨ ପର୍ଯ୍ୟାୟରେ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍-୧ ମ୍ୟାଚ୍ରେ ଆୟରଲାଣ୍ଡକୁ ୯ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିଛି। ଶ୍ରୀଲଙ୍କାର ସ୍ପିନର ଘାତକ ବୋଲିଂ କରିବାରୁ ଆୟରଲାଣ୍ଡ ୮ ୱିକେଟରେ ୧୨୮ ରନ୍ କରିଥିଲା। ପରେ କୁଶଳ ମେଣ୍ଡିସ୍ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୩୦ଟି ବଲ୍ ବାକିଥାଇ ୧ ୱିକେଟ୍ ହରାଇ ଶ୍ରୀଲଙ୍କା ଜିତିଥିଲା। ଏହି ବିଜୟରୁ ଶ୍ରୀଲଙ୍କା କେବଳ ୨ ପଏଣ୍ଟ ପାଇନାହିଁ; ଭଲ ନେଟ୍ ରନ୍ରେଟ୍ରେ ମଧ୍ୟ ଉନ୍ନତି କରିପାରିଛି।
ଆୟରଲାଣ୍ଡ ଟସ୍ ଜିତି ବ୍ୟାଟିଂ ନେବା ପରେ ଓପ୍ନର ପଲ୍ ଷ୍ଟର୍ଲିଂ ଆକ୍ରମଣ କରିଥିଲେ। ହେଲେ ଅଧିନାୟକ ଆଣ୍ଡି ବାଲ୍ବର୍ନି (୧) ଓ ଲୋର୍କାନ୍ ଟକର (୧୦) ଜଲ୍ଦି ଆଉଟ୍ ହୋଇଥିଲେ। ଅଭିଜ୍ଞ ଷ୍ଟର୍ଲିଂ ଆକ୍ରମଣାତ୍ମକ ବ୍ୟାଟିଂକରି ୨୫ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୪ ରନ୍ କରିଥିଲେ। ହ୍ୟାରି ଟେକ୍ଟର ଦୀର୍ଘ ସମୟ ବ୍ୟାଟିଂ କରିଥିଲେ ହେଁ ତାଙ୍କ ଅନ୍ୟ ପଟୁ ସହାୟତା ମିଳିନଥିଲା। କର୍ଟିସ୍ କାମ୍ଫର ୨ ରନ୍କରି ଆଉଟ୍ ହେବା ବେଳକୁ ଆୟରଲାଣ୍ଡର ସ୍କୋର୍ ଥିଲା ୧୦ ଓଭରରେ ୪ ୱିକେଟରେ ୬୦ ରନ୍। ପରେ ହ୍ୟାରି ଟେକ୍ଟର ଓ ଜର୍ଜ ଡକ୍ରେଲ୍ ୭ ଓଭରରେ ୪୭ ରନ୍ ମାତ୍ର ଯୋଡ଼ି ପାରିଥିଲେ। ହ୍ୟାରି ଟେକ୍ଟର ୪୨ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୫ ରନ୍ କରିଥିଲେ। ଡକ୍ରେଲ ୧୪ ରନ୍ କରିଥିଲେ। ୧୧ ରନ୍ରେ ଆୟରଲାଣ୍ଡ ଶେଷ ୪ଟି ୱିକେଟ ହରାଇଥିଲା। ଦୁଇ ସ୍ପିନର ମାହିଶ ତୀକ୍ଷଣ ଓ ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୨୯ ରନ୍ର ବିଜୟଲକ୍ଷ୍ୟକୁ ଶ୍ରୀଲଙ୍କା ସହଜରେ ପିଛା କରିଥିଲା। ଓପ୍ନିଂ ଯୋଡ଼ିରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କୁଶଳ ମେଣ୍ଡିସ୍ ଓ ଧନଞ୍ଜୟ ଡି’ସିଲ୍ଭା ୬୩ ରନ୍ କରିଥିଲେ। ଧନଞ୍ଜୟ ୨୫ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୧ ରନ୍କରି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। କୁଶଳ ମେଣ୍ଡିସ୍ ଓ ଚରିତ ଆସାଲଙ୍କା ଦଳକୁ ଜିତାଇ ଫେରିଥିଲେ। ଦୁହେଁ ଅବିଭାଜିତ ୨ୟ ୱିକେଟ ପାଇଁ ୭୦ ରନ୍ ଯୋଡ଼ିଥିଲେ। ଆସାଲଙ୍କା ୨୨ ବଲ୍ରୁ ୨ଟି ଚୌକା ସହ ୩୧ ଏବଂ କୁଶଳ ମେଣ୍ଡିସ୍ ୪୩ ବଲ୍ରୁ ୩ଟି ଛକା ଓ ୫ଟି ଚୌକା ସହ ୬୮ ରନ୍କରି ଅପରାଜିତ ଥିଲେ। କୁଶଳ ମେଣ୍ଡିସ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.