ପଞ୍ଜାବ ପରାସ୍ତ ; ସନ୍ରାଇଜର୍ସର କ୍ରମାଗତ ୪ର୍ଥ ବିଜୟ
ମୁମ୍ବଇ : ଚଳିତ ଆଇପିଏଲ୍ରେ ତା’ର ଚମତ୍କାର ଫର୍ମ ଜାରିରଖି ପୂର୍ବ ଚମ୍ପିଆନ୍ ସନ୍ରାଇଜର୍ସ ହାଇଦରାବାଦ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି। ରବିବାର ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୭ ୱିକେଟରେ ସନ୍ରାଇଜର୍ସ ପରାସ୍ତ କରିଛି। ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପଞ୍ଜାବ ଶେଷ ବଲ୍ରେ ୧୫୧ ରନ୍କରି ଅଲ୍ଆଉଟ ହୋଇଥିଲା। ଉମ୍ରାନ୍ ମାଲିକ୍ ଓ ଭୁବନେଶ୍ବର କୁମାର ମିଳିତ ଭାବେ ୩ଟି ୱିକେଟ ନେଇ ପଞ୍ଜାବ ଇନିଂସକୁ ଅଳ୍ପ ସ୍କୋର୍ରେ ସୀମିତ ରଖିଥିଲେ। ପରେ ୪ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ଯୋଗୁଁ ୭ଟି ବଲ୍ ବାକିଥାଇ ସନ୍ରାଇଜର୍ସ ଜିତିଥିଲା। ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ ସନ୍ରାଇଜର୍ସ କ୍ରମାଗତ ୪ଟି ମ୍ୟାଚ୍ ଜିତି ୮ ପଏଣ୍ଟରେ ପହଞ୍ଚିଛି। ପଞ୍ଜାବ ୬ଷ୍ଠ ମ୍ୟାଚ୍ରେ ୩ୟ ପରାଜୟ ଭୋଗିଛି।
୧୫୨ ରନ୍ ଲକ୍ଷ୍ୟରେ ସନ୍ରାଇଜର୍ସ ହାଇଦରାବାଦ ଜଲ୍ଦି ଅଧିନାୟକ କେନ୍ ୱିଲିୟମ୍ସନ (୩)ଙ୍କ ୱିକେଟ ହରାଇଥିଲା। ୨ୟ ୱିକେଟ ପାଇଁ ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ୪୮ ରନ୍ ଯୋଡ଼ିଥିଲେ। ଗତ ମ୍ୟାଚ୍ର ହିରୋ ରାହୁଲ ୨୨ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ଦ୍ରୁତ ୩୪ ରନ୍ କରିଥିଲେ। ଯୁବ ବାମହାତି ଓପ୍ନର ଅଭିଷେକ ଶର୍ମା ୨୫ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୧ ରନ୍କରି ଆଉଟ ହୋଇଥିଲେ। ୭୭ ରନ୍ରେ ୩ଟି ୱିକେଟ ପଡ଼ିଯିବା ପରେ ସନ୍ରାଇଜର୍ସର ଦୁଇ ବିଦେଶୀ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ଓ ଐଡେନ୍ ମାର୍କରାମ ଆଉ ୱିକେଟ ପଡ଼ିବାକୁ ନଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୫୦ ବଲ୍ରୁ ୭୫ ରନ୍ ଯୋଡ଼ିଥିଲେ। ପୁରନ୍ ୩୦ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୫ ରନ୍କରି ଏବଂ ମାର୍କରାମ ୨୭ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୧ ରନ୍କରି ଅପରାଜିତ ଥିଲେ। ରାହୁଲ ଚହର ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ସନ୍ରାଇଜର୍ସ ହାଇଦରାବାଦ ଫିଲ୍ଡିଂ ନେବା ପରେ ପଞ୍ଜାବ କିଙ୍ଗ୍ସ ୮ ଓଭରରେ ୬୧ ରନ୍ରେ ୪ଟି ୱିକେଟ ହରାଇଥିଲା। ଆହତ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଦଳର ନେତୃତ୍ବ ନେଇଥିବା ଶିଖର ଧାୱନ ୮ ରନ୍ କରିଥିଲେ। ପ୍ରଭସିମ୍ରନ ସିଂହ ୧୪ ରନ୍ କରିଥିଲେ। ଜନି ବେୟାରଷ୍ଟୋ ମାତ୍ର ୧୨ ରନ୍ କରି ପାରିଥିବା ବେଳେ ଜିତେଶ ଶର୍ମା ୧୧ ରନ୍ କରିଥିଲେ। ତେବେ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ କ୍ରିଜ୍କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳିଥିଲେ। ଶାହ୍ରୁଖ୍ ଖାଁ ମଧ୍ୟ ତାଙ୍କୁ ଉପଯୁକ୍ତ ସମର୍ଥନ ଦେଇଥିଲେ। ଦୁହେଁ ପରବର୍ତ୍ତୀ ୮ ଓଭରରେ ୭୧ ରନ୍ ଯୋଡ଼ିଥିଲେ। ଶାହ୍ରୁଖ୍ ୨୮ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍ କରିଥିଲେ। ଓଡିଅନ୍ ସ୍ମିଥ୍ ୧୩ ରନ୍ କରିଥିଲେ। ଇଂଲଣ୍ଡର ଲିଭିଙ୍ଗ୍ଷ୍ଟୋନ୍ ବିସ୍ଫୋରକ ବ୍ୟାଟିଂକରି ୩୩ ବଲ୍ରୁ ୪ଟି ଛକା ଓ ୫ଟି ଚୌକା ସହ ୬୦ ରନ୍ କରିଥିଲେ। ପଞ୍ଜାବ ବିନା ସ୍କୋର୍ରେ ଶେଷ ୫ଟି ୱିକେଟ ହରାଇଥିଲା। ସେଥିରୁ ଶେଷ ଓଭରରେ ୪ଟି ୱିକେଟ ପଡ଼ିଥିଲା। ଉମ୍ରାନ୍ ମାଲିକ୍ ୪ଟି ଓ ଭୁବନେଶ୍ବର କୁମାର ୩ଟି ୱିକେଟ ନେଇଥିଲେ। ଉମ୍ରାନ୍ ମାଲିକ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.