ସ୍ୱତନ୍ତ୍ର ଗ୍ରାମସଭା, ଗାଁ କଲ୍ୟାଣ ସମିତିର କାର୍ଯ୍ୟଖସଡା ପ୍ରସ୍ତୁତ
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଗାଁ କଲ୍ୟାଣ ସମିତିର ବାର୍ଷିକ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଛି । ଏହି ସ୍ୱତନ୍ତ୍ର ଗ୍ରାମସଭାରେ ସରପଞ୍ଚ ପ୍ରଭାକର ରାଉତ, ସମିତି ସଭ୍ୟ ରଞ୍ଜିତ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଅଜୟ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ନାରାୟଣ ନାୟକ, ସମାଜସେବୀ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟଖସଡା ପ୍ରସ୍ତୁତ କରିଥିଲେ। ଏହି ବୈଠକରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହ ଗାଁ କଲ୍ୟାଣ ସମିତିର ବାର୍ଷିକ କାର୍ଯ୍ୟ ଖସଡା ଉପସ୍ଥାପିତ କରିଥିଲେ। ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ପକ୍ଷରୁ ସରକାରଙ୍କର ଲୋକାଭିମୁଖୀ ଯୋଜନା ବିଶେଷ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ଅସଲମ ବୁଝାଇଥିଲେ । ରାଧାଗୋବିନ୍ଦପୁର ପଞ୍ଚାୟତକୁ ଏକ ସୁସ୍ଥ ଓ ସ୍ୱଚ୍ଛ ପଞ୍ଚାୟତ ଭାବେ ଗଢିତୋଳିବା ଲାଗି ସଂକଳ୍ପ କରାଯାଇଥିଲା । ଏହି ଅବସରରେ ସମସ୍ତ ଅତିଥି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗାନ୍ଧିଙ୍କ ନୀତି, ଆଦର୍ଶ ଓ ମାର୍ଗଦର୍ଶନକୁ ପାଥେୟ କରି ଅହିଂସା ଆଚରଣ ପ୍ରଦର୍ଶନ ସହିତ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଗାନ୍ଧିଜୀଙ୍କ ସ୍ୱପ୍ନ ସ୍ୱଚ୍ଛତାକୁ ସାକାର କରିବାକୁ ଯାଇ ଅତିଥିମାନଙ୍କ ସମେତ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସମସ୍ତ ୱାର୍ଡ ସଭ୍ୟ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ, ଗାଁ କଲ୍ୟାଣ ସମିତିର ସଦସ୍ୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ କରିଥିଲେ।
Comments are closed.