ଅଧରର ହସ ମନଟି ମୋହେ

ଦେବେନ୍ଦ୍ର କର

ଗୋଟେ ଦେଶରେ ଜଣେ ରାଜା ଥିଲେ। ଯାହାଙ୍କ ମୁଖମଣ୍ଡଳ ସବୁ ସମୟରେ ଗମ୍ଭୀର ଦିଶୁଥିଲା। ଅତି ଆପଣାର ଲୋକଟି ବି ତାଙ୍କ ସହିତ ପଦିଏ କଥା ହେବାକୁ ସାହସ କରୁନଥିଲା। ରାଜାଙ୍କର କିନ୍ତୁ ନିଜ ସ୍ବଭାବ ଉପରେ ତିଳେ ମାତ୍ର ସଙ୍କୋଚ ନଥିଲା। ଦିନେ ଜଣେ ଋଷି ରାଜାଙ୍କ ଆତିଥ୍ୟ ଗ୍ରହଣ କଲେ। କିଛି ଦିନ ରହିବା ପରେ ୠଷି ମହାତ୍ମା ସେଠାରୁ ଯିବାକୁ ବିଦାୟ ମାଗିଲେ। ରାଜା ପ୍ରଶ୍ନ କଲେ ହେ ମହାତ୍ମା ଆପଣଙ୍କୁ ଆମ ରାଜ୍ୟରେ କଣ ସବୁଠୁଁ ଭଲ ଲାଗିଲା। ଋଷି କହିଲେ ହେ ରାଜନ୍ ଆପଣଙ୍କ ଗମ୍ଭୀର୍ଯ୍ୟପୂର୍ଣ୍ଣ ମୁଖ ମଣ୍ଡଳର କାରଣ ଖୋଜିବା ଭିତରେ ମୁଁ ସବୁକଥା ପାସୋରି ଦେଲି। ଆପଣ ତ ଅନେକ ସୁନାମ ଅର୍ଜନ କରିଛନ୍ତି ଆଉ ଏଠାକାର ରାଜ୍ୟବାସୀ ତ ସୁଖ ଶାନ୍ତିରେ ଅଛନ୍ତି। ତା’ ସ​‌େ​‌ତ୍ତ୍ବ ଆପଣ ସବୁ ସମୟରେ ଗମ୍ଭୀର କାହିଁକି?। ରାଜା ସଙ୍ଗେସଙ୍ଗେ ଉତ୍ତର ଦେଲେ ମୁଁ ତ ବାଲ୍ୟକାଳରୁ ସେଇଭଳି। ଆଉ ମୋ ବିଷୟରେ ଆପଣ ଯାହା ଅନୁମାନ କରୁଛନ୍ତି ବାସ୍ତବରେ ତାହା ନୁହେଁ। ସାଧୁ ମାହାତ୍ମ୍ୟ କହିଲେ ଆପଣ ଯଦି ମନ ଊଣା ନକରିବେ ମୁଁ ଆପଣଙ୍କ ବିଷୟରେ କିଛି କହନ୍ତି। ରାଜା କହିଲେ; କୁହନ୍ତୁ, ନିଃସଙ୍କୋଚରେ କୁହନ୍ତୁ। ଋଷି କହିଲେ, ଆପଣ ଏ ଦୁନିଆର ସବୁଠୁଁ ଅସୁନ୍ଦର ଆଉ ଅସନ୍ତୋଷ ମଣିଷ। ଏ କଥା ଶୁଣୁଶୁଣୁ ଦରବାରରେ ଉପସ୍ଥିତ ପ୍ରଜାଗଣ ଉତ୍ତ୍ୟକ୍ତ ହେଇ ଉଠିଲେ। ରାଜା ହାତଠାରି ସମସ୍ତଙ୍କୁ ଶାନ୍ତ କଲେ, ଟିକେ ନୀରବ ରହି ଠୋ ଠୋ ହୋଇ ହସି ଉଠିଲେ। ରାଜାଙ୍କ ହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା। କାରଣ ଆଜି ପର୍ଯ୍ୟନ୍ତ ରାଜାଙ୍କ ମୁହଁରେ କେହି କେବେ ହସ ଦେଖିନଥିଲେ। ତତ୍‌କ୍ଷଣାତ୍ ସାଧୁ କହିଲେ ମୁଁ ଏଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। ଏବେ ଯାଇ ଆପଣ ସୁନ୍ଦର ଦିଶିଲେ। ବ୍ୟକ୍ତିର ଗମ୍ଭୀର ଚାହାଣି ଦର୍ଶାଏ ସେ ଜଣେ ଅସନ୍ତୁଷ୍ଟ ମଣିଷ, ଆଉ ତା’ର ସୁନ୍ଦର ରୂପ ବି ଦିଶେ କଦାକାର। ତୁମେ ଯେତେ ସୁନ୍ଦର ହେଇଥାଅ, ଯେତେ ଜ୍ଞାନ ଅର୍ଜନ କରିଥାଅ ଯଦି ତୁମ ଓଠରେ ହସ ନାହିଁ ତୁଣ୍ଡରେ ମିଠାଶବ୍ଦ ନାହିଁ ସବୁକିଛି ମୂଲ୍ୟହୀନ ଆଉ ନିରର୍ଥକ। ରାଜା ନିଜ ଭୁଲ ବୁଝିଲେ ଆଉ ନିଜକୁ ବଦଳାଇବାକୁ ସଂକଳ୍ପ ନେଲେ। ବାସ୍ତବରେ ମୁଖମଣ୍ଡଳର ପ୍ରସନ୍ନତା, ଅଧରରେ ହସ ଆଉ ତୁଣ୍ଡର ମିଠା ଶବ୍ଦ କହିଦିଏ ବ୍ୟକ୍ତି ଜଣକ ସ୍ନେହୀ, ମେଳାପୀ ଆଉ ସହୃଦୟ ମଣିଷ। ବ୍ୟକ୍ତିର ମୁଖମଣ୍ଡଳ ଗୃହର ସମ୍ମୁଖ ସଦୃଶ। ଜଣେ ଗୃହକୁ ପ୍ରବେଶ କରିବାକୁ ମନ ବଳେଇବେ ସେତେବେଳେ ଯେବେ ବାହାରର ସୌନ୍ଦର୍ଯ୍ୟ ମନ ମୋହିବ। ଏଣୁ ମୁଖମଣ୍ଡଳର ସୋନ୍ଦର୍ଯ୍ୟ ପାଇଁ ମେଞ୍ଚେ ମେଞ୍ଚେ ପ୍ରସାଧାନ ସାମଗ୍ରୀ ନୁହେଁ ବରଂ ଓଠରେ ଧାରେ ହସ ଯଥେଷ୍ଟ।

ଆମ ବଡ଼ ଠାକୁରଙ୍କ ଲାଲ ଅଧରର ଟହଟହ ହସ ଦେଖିଲେ ସବୁ ଦୁଃଖ ହୋଇଯାଏ ଦୂର। ସେଇଥି ପାଇଁ ତ କାହିଁ କୋଉ କୋଣ ଅନୁକୋଣରୁ ଛୁଟି ଆସନ୍ତି ତାଙ୍କ ବଡ଼ ଦାଣ୍ଡକୁ। ଭଗବାନ ବୁଦ୍ଧଙ୍କ ହସହସ ମୂର୍ତ୍ତି ଗୃହର ପୂର୍ବ ଦିଗକୁ ମୁହାଁଇ ରଖିଲେ ଘରର ସୁଖ ସମୃଦ୍ଧି ବଢ଼ିଥାଏ ବୋଲି ବିଶ୍ବାସ ରହିଛି। ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ ହାରିଯାଇଥିବା ବ୍ୟକ୍ତିର ହସ ଜିତିଥିବା ଲୋକର ହସକୁ ବି ହଜେଇ ଦେବାକୁ ସକ୍ଷମ। ମୁଖମଣ୍ଡଳର ଗମ୍ଭୀରତା ମନ ଆଢୁଆଳରେ ସାଇତା ହୋଇଥିବା କ୍ରୋଧ, ଈର୍ଷା, ଘୃଣା, ସନ୍ଦୋହୀ ସ୍ବଭାବକୁ ସୂଚେଇ ଥାଏ। ଆହୁରି ବି ଲୋକଟା ନିରପେକ୍ଷ ଶୂନ୍ୟ ନହେଲେ ଉଚ୍ଚନୀଚ ଭେଦଭାବ ରଖୁଥିବାର ବି ସୂଚେଇ ଥାଏ। ହସି ହସାଇ ଅନ୍ୟର ମନ ଜିଣିଲେ ଅଜସ୍ର ସ୍ନେହ ଶ୍ରଦ୍ଧା ସାଉଁଟି ହୁଏ। ହସିବା ଦ୍ୱାରା ମାନସିକ ଚାପ ହ୍ରାସ ହେବା ସହିତ ଭାବନା ଓ ବିଚାର ସ୍ୱଚ୍ଛ ହୁଏ। ହୃଦୟ ଜିଣିବାର ସୁନ୍ଦର ଆଉ ସହଜ ମାଧ୍ୟମ ଅଧରରେ ଧାରେ ହସ। ଆଉ କଠୋର ହୃଦୟକୁ ନିମିଷକ ମଧ୍ୟରେ କୋମଳରେ ପରିବର୍ତ୍ତନ କରେ। ହସଖୁସିଆ ଖୁସମିଜାଜ ଲୋକମାନେ ସଦା ବେଳେ ମନେ ପଡ଼ନ୍ତି, ତାଙ୍କ ସହିତ କାଟିଥିବ ହସମଜାର ମୁହୂର୍ତ୍ତଗୁଡ଼ିକ ମନ ଆଢ଼ୁଆଳରେ ବସାବାନ୍ଧି ରହିଯାଏ ଚିରକାଳ। ହସ ଇନ୍ଧନ ପରି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପାଦନରେ ସାହାଯ୍ୟ କରେ ଆଉ ପ୍ରତିରକ୍ଷା କୋଷକୁ ସକ୍ରିୟ କରିଥାଏ। ଏହା ଆମକୁ ରୋଗ ଏବଂ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ହସ ଫୁସଫୁସର କାର୍ଯ୍ୟ କ୍ଷମତାକୁ ବୃଦ୍ଧି କରେ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ଆଣିଥାଏ। କୁତ୍ରିମ ପ୍ରସାଧନ ସାମଗ୍ରୀରେ ସଜ୍ଜିତ ମୁଖମଣ୍ଡଳ ତୁଳନାରେ ମନ ଖୋଲା ହସହସ ମୁଖ ମଣ୍ଡଳ ଢେର ଅଧିକ ସୁନ୍ଦର ଦିଶେ। ଦୁଃଖ ଅବସାଦରେ ବିରାମ ଲଗାଇବାକୁ ହସ ଏକ ସୁଇଚ ପରି କାର୍ଯ୍ୟ କରେ। ହସଶୂନ୍ୟ ମୁଖମଣ୍ଡଳ ମରୁଭୂମି ପରି। ସକାରାତ୍ମକ ଚିନ୍ତନ ଆଉ ଅଧରରେ ଧାରେ ହସ ଫୁଟାଇ ସୁନ୍ଦର ଉପବନର ରୂପ ଦେବା ଦାୟିତ୍ବ ଆମର। ଅହରହ ଦୁଃଖ ପ୍ରକାଶ କରୁଥିବା ମଣିଷକୁ ଦୁନିଆ ଦୁଃଖୀ ତଥା ନିରାଶାବାଦୀର ଆଖ୍ୟା ଦିଏ। ଅର୍ଥାତ୍‌ ଦୁନିଆ ଆଗରେ ନିଜକୁ ଯେମିତି ଉପସ୍ଥାପନା କରିବା ଦୁନିଆ ସେମିତି ଆକଳନ କରିବ। ଜୀବନ ରେସ୍ ଟ୍ରାକ ସର୍ବଦା ସଂଘର୍ଷପୂର୍ଣ୍ଣ। ସହଜରେ ଏଠି କିଛି କାହାକୁ ମିଳିନଥାଏ, ପ୍ରାପ୍ତି ନିମନ୍ତେ ଲୋଡ଼ା ଦୃଢ଼ ଆତ୍ମବିଶ୍ବାସ ଆଉ ନିରନ୍ତର ଅଭ୍ୟାସ। ଏଣୁ ନିଜର ଦୁଃଖ କ୍ଷୋଭ ପରିପ୍ରକାଶ ନକରି ହସିହସାଇ ଆଗକୁ ବଢ଼ିଲେ ସଂସାରର ଯାତ୍ରା ଜନିତ କ୍ଳାନ୍ତି ଆଦୌ ଅନୁଭବ କରି ହେବନି।

Comments are closed.