ଭାଷା ଆନ୍ଦୋଳନରୁ ଭାଷାଭିତ୍ତିକ ରାଜ୍ୟ ଗଠନ ଯାଏ ଇତିହାସରେ ଗଞ୍ଜାମ

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ

ଅତ୍ୟନ୍ତ ଆନନ୍ଦ ଓ ଗର୍ବ ଗୌରବର ବିଷୟ, ଓଡ଼ିଆ ଭାଷା ପରି ଏକ ପ୍ରାଚୀନ ଓ ସମୃଦ୍ଧ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ପ୍ରତିଷ୍ଠିତ ସାହିତ୍ୟିକ, ଭାଷାବିତ୍‍, ଭାଷାପ୍ରେମୀ, କବି, ଲେଖକ, ସ୍ତମ୍ଭକାର, ଆଲୋଚକ, ଗବେଷକ ବହୁ ସଂଖ୍ୟାରେ ଯୋଗ ଦେବେ। ଜନତା ମଇଦାନ ଭୁବନେଶ୍ୱରରେ ଯେଉଁ ମହାପର୍ବ ଓଡ଼ିଆ ଭାଷାପ୍ରେମୀଙ୍କୁ ନେଇ ଆୟୋଜନ ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଆଠ ଦଶନ୍ଧୀରୁ ଊର୍ଦ୍ଧ୍ବ ବର୍ଷ ପରେ ଏପରି ଗୋଟିଏ ବିଚାର ଜନ୍ମ ନେବା ଅଭିନନ୍ଦନୀୟ। ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ଆମ ଭାଷାର ପ୍ରାଚୀନତା ସଂପର୍କିତ ସମସ୍ତ ଦଲିଲ ଦସ୍ତାବିଜ୍‍ ପରୀକ୍ଷା ନିରୀକ୍ଷା କରି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା। ସୁତରାଂ ଓଡ଼ିଶା ପ୍ରଦେଶ ଗଠନ ଏବଂ ଭାଷା ଆନ୍ଦୋଳନର ସ୍ୱର ଭାବେ ଯେଉଁ ପୂର୍ବସୂରୀଙ୍କ ବିଶେଷ ଅବଦାନ ରହିଥିଲା ଏବଂ ଯେଉଁମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଓ ପ୍ରାଣମୂର୍ଚ୍ଛା ସଂଗ୍ରାମରୁ ଗୋଟିଏ ଜାତିର ସ୍ୱାଭିମାନ ପାଇଁ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଢ଼ାଯାଇଥିଲା ସେମାନଙ୍କୁ ସ୍ମରଣ କରିବାର ମଧ୍ୟ ଆବଶ୍ୟକତା ରହିଛି। ସେମାନଙ୍କ ଜୀବନୀ ଗୋଟିଏ ଜାତିର ସମୃଦ୍ଧ ଇତିହାସ।

ଯଥାର୍ଥରେ କହିବାକୁ ଗଲେ ଗଞ୍ଜାମ ଘୁମୁସରରୁ ଦୀନବନ୍ଧୁ ପଟ୍ଟନାୟକ ପ୍ରଥମ ଥର ପାଇଁ ୧୮୭୦ ମସିହାରେ ଭାଷାଭିତ୍ତିକ ରାଜ୍ୟ ଗଠନ କଥା କହିଥିଲେ। ବୀର ପ୍ରସବିନୀ ଗଞ୍ଜାମ ବହୁ ପ୍ରତିଭାଧାରୀ ଜାତୀୟବାଦୀ ଚିନ୍ତାନାୟକଙ୍କ ଜନ୍ମମାଟି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚଳନ ଓ ପ୍ରସାରଣ ପାଇଁ ଗଞ୍ଜାମର ଅବଦାନ ଶୀର୍ଷରେ। କିନ୍ତୁ ଦୁଃଖର କଥା ପୂଜ୍ୟପୂଜା ପରମ୍ପରାରେ ଗଞ୍ଜାମ ମାଟିର ଯଶସ୍ୱୀ ସନ୍ତାନଙ୍କ କୃତି, କୀର୍ତ୍ତି ଅମରଗାଥା ସ୍ମରଣ କରିବା ପାଇଁ ଅଭାବବୋଧ କାହିଁକି? ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନଙ୍କ ବ୍ୟକ୍ତିଗତ ଜୀବନରୁ ସାମାଜିକ ଜୀବନଯାଏ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ସମର୍ପିତ। ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ସମୟରେ ସେମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ଅଭିଳାଷ ନେଇ ଜଣେ ଭାଷାପ୍ରେମୀ ଭାବେ ଏଇ ଆଲେଖ୍ୟ ପ୍ରସ୍ତୁତ କରିଛି। ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀର ନେତୃତ୍ୱ ନେଇ ଦୃଢ଼ତା ଓ ଏକାଗ୍ରତାର ସହିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ କରିଥିଲେ। ଇତିହାସ ପୃଷ୍ଠାରେ ସେ ଚିରସ୍ମରଣୀୟ ଓ ବନ୍ଦନୀୟ। ଏହି ସଂଗ୍ରାମରେ ବିଶେଷ କରି ଗଞ୍ଜାମର ଯଶସ୍ୱୀ ସନ୍ତାନମାନଙ୍କ ମଧ୍ୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଚିକିଟିର ରାଜା କିଶୋର ଚନ୍ଦ୍ର ରାଜେନ୍ଦ୍ର, ଖଲ୍ଲିକୋଟର ହରିହର ମର୍ଦ୍ଦରାଜ, ସୋରଡ଼ାର ଶଶିଭୂଷଣ ରଥ, ପୋଲସରା ବେଲଗାଁର ବିଶ୍ୱନାଥ ଦାସଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ମାତୃଭୂମି ଓ ମାତୃଭାଷାର ସ୍ୱତନ୍ତ୍ର ପରିଚୟ ଓ ମହାନତା ପ୍ରମାଣ କରିବା ପାଇଁ ଯେଉଁ ଗଞ୍ଜାମ ମାଟିର ଭୂମିପୁତ୍ରମାନେ ଆନ୍ଦୋଳନ କରିଥିଲେ ତାହାର ଫଳ ସ୍ୱରୂପ ୧୯୩୬ ମସିହାରେ ଭାଷାଭିତ୍ତିକ ରାଜ୍ୟ ଗଠନ ଓଡ଼ିଶା ଗଠନ ହୋଇଥିଲା। ଓଡ଼ିଆ ଭାଷାର ସ୍ଥିତି ଓ ଭବିଷ୍ୟତ ବିଷୟରେ ଭାଷାର ସମ୍ମାନ ଓ ଗୌରବ ବୃଦ୍ଧି ପାଇଁ ଗଞ୍ଜାମର ଅତୀତକୁ ରୋମନ୍ଥନ କରି ସ୍ୱାଭିମାନୀ ଓଡ଼ିଆକୁ ସ୍ମରଣ କରିବା ଆବଶ୍ୟକ।

ଓଡ଼ିଆମାନଙ୍କ ଭାବ ଓ ଭାଷାର ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ସଂଗଠିତ କରିବା ଲାଗି ଗୋଟିଏ ପତ୍ରିକାର ଆବଶ୍ୟକତା ଯେତେବେଳେ ଅନୁଭବ ହେଲା ଓଡ଼ିଆ ଜାତିର ସ୍ୱାଭିମାନୀ ମହାମନୀଷୀଙ୍କ ନିଷ୍ଠା ଓ ଆନ୍ତରିକତାରୁ ଜନ୍ମ ନେଇଥିଲା ଓଡ଼ିଆ ଜାତିର ପ୍ରଥମ ପତ୍ରିକା ‘ଆଶା’। ପରବର୍ତ୍ତୀ ସମୟରେ ଏହା ଦୈନିକ ଆଶା ନାମରେ ପରିଚିତ ହୋଇଥିଲା। ଆଶାରେ ଓଡ଼ିଶାର ସ୍ୱନାମଧନ୍ୟ କବି, ସାହିତ୍ୟିକ, ଆଲୋଚକମାନେ ନିଜ ନିଜ ମତରଖି ଓଡ଼ିଆ ଜାତୀୟ ଆନ୍ଦୋଳନର ମୁଖପତ୍ର ଭାବେ ଏହି ପତ୍ରିକାକୁ ସମ୍ମାନ ଜଣାଉଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଫକିରମୋହନ ସେନାପତି, ଗୋପାଳ ପ୍ରହରାଜ, ଜଗବନ୍ଧୁ ସିଂହ, ବିକ୍ରମଦେବ ବର୍ମା, ରାମଚନ୍ଦ୍ର ଆଚାର୍ଯ୍ୟ, ଜୟମଙ୍ଗଳ ରଥଙ୍କ ପରି ସାହିତ୍ୟ ଅନୁରାଗୀ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଆଶା ପତ୍ରିକା ଜାତୀୟ ଆନ୍ଦୋଳନର ସ୍ୱର ଭାବେ ଗ୍ରହଣୀୟ ହୋଇଥିଲା। ଓଡ଼ିଶାର ପ୍ରଥମ ଟାଇପ୍‍ ରାଇଟରର ଜନ୍ମଦାତା ରଙ୍ଗନାଥ ମହାପାତ୍ର ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଲକ୍ଷ୍ୟରେ ତାଙ୍କ ସଂକଳ୍ପବଦ୍ଧ ଉଦ୍ୟମ ଓ ସାଧନା ସ୍ମରଣୀୟ। ଓଡ଼ିଆ ଶବ୍ଦଲିପି ଯନ୍ତ୍ର ଉଦ୍ଭାବନ କରିଥିଲେ ରଙ୍ଗନାଥ ମହାପାତ୍ର। କିନ୍ତୁ ଏମାନଙ୍କ କଥା ଓ ଗାଥାକୁ ଓଡ଼ିଆ ଜାତି ସ୍ମରଣ କରିବାରେ କାର୍ପଣ୍ୟ ଦୁଃଖର ବିଷୟ।

ସେହିପରି ଓଡ଼ିଶାର ଜାତୀୟତା ଓ ସ୍ୱାଭିମାନର ମହାନ ଉଦ୍‍ଘୋଷକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସଂଗଠକ ଥିଲେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ। ଓଡ଼ିଶାର ଜାତୀୟ ଆନ୍ଦୋଳନର ମୂକସାକ୍ଷୀ ରମ୍ଭା ନିବାସରେ ଉତ୍କଳ ସମ୍ମିଳନୀର ପରିକଳ୍ପନା କରି ସେଇ ପବିତ୍ର ଭୂମି ଜାତୀୟ ଆନ୍ଦୋଳନର ପ୍ରଥମ ସମ୍ମିଳନୀ କକ୍ଷ ହୋଇଥିଲା। ଖଲ୍ଲିକୋଟ ରାଜପରିବାକୁ ବାଦ୍‍ ଦେଇ ଭାଷା ଆନ୍ଦୋଳନ ଭାଷା ସମ୍ମିଳନୀ କଥା ଆଲୋଚନା କେବଳ ଧୃଷ୍ଟତା। ହରିହର ମର୍ଦ୍ଦରାଜ ନିଜ ପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ୱନକ୍ଷତ୍ର ଉତ୍ସବ ୧୯୦୨ ଜାନୁଆରୀ ୧୩ ତାରିଖରେ ପାଳନ କରିଥିବା ସମୟରେ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ହରିହର ମର୍ଦ୍ଦରାଜଙ୍କ ନିମନ୍ତ୍ରଣକ୍ରମେ ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଂଜ ରାଜା ରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକିରମୋହନ ସେନାପତି, ପର୍ଶୁରାମ ପାତ୍ର, ପଲ୍ଲୀକବି ନନ୍ଦକିଶୋର ବଳ, ଗୋପାଳଚନ୍ଦ୍ର ପ୍ରହରାଜ, କବିବର ରାଧାନାଥ ରାୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏଇଦିନ ହିଁ ବ୍ରହ୍ମପୁରଠାରେ ଗଞ୍ଜାମ ସମ୍ମିଳନୀ ୧୯୦୩ ଏପ୍ରିଲ ମାସରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜା ହରିହର ମର୍ଦ୍ଦରାଜଙ୍କୁ ସମ୍ମିଳନୀ ଆୟୋଜନରେ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିବା ନିଷ୍ପତ୍ତି ହୋଇଥିଲା। ରମ୍ଭାର ବନ୍ଧୁମିଳନରୁ ଗଞ୍ଜାମ ସମ୍ମିଳନୀ ଅଭୂତପୂର୍ବ ଆଗ୍ରହ ସୃଷ୍ଟି ହୋଇ ଚାରିଆଡ଼େ ଖେଳିଯାଇ ଜାତୀୟ ଆନ୍ଦୋଳନର ଜାଗରଣ ସୃଷ୍ଟି ହେଲା। ଗଞ୍ଜାମ ସମ୍ମିଳନୀରେ ମଧୁବାବୁ ଅଧ୍ୟକ୍ଷତା କରିଥିଲେ ଏବଂ ତାଙ୍କର ପ୍ରସ୍ତାବକ୍ରମେ ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ଡିସେମ୍ବର ମାସରେ କଟକରେ ହୋଇଥିଲା। ଗଞ୍ଜାମ ସମ୍ମିଳନୀରୁ ମୂଳଦୁଆ ପଡ଼ି ଉତ୍କଳ ସମ୍ମିଳନୀ ଯେଉଁ ସ୍ୱାତନ୍ତ୍ର ଲାଭ କରିଥିଲା ଜାତୀୟ ଆନ୍ଦୋଳନର ସ୍ୱର ଥିଲା। ଏହା ପଛରେ ରାଜା ହରିହର ମର୍ଦ୍ଦରାଜଙ୍କ ଅବଦାନ ଥିଲା। ସେ ଚିର ବନ୍ଦନୀୟ, ସ୍ମରଣୀୟ। ବ୍ରହ୍ମପୁର ସହରରେ ଉତ୍କଳ ସମ୍ମିଳନୀର ୪ର୍ଥ ଅଧିବେଶନ ୧୯୦୬ ଡିସେମ୍ବର ୨୬ ଓ ୨୭ ତାରିଖ ଦୁଇଦିନ ଧରି ବାରାକ୍ସ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ବ୍ରହ୍ମପୁର ଅଧିବେଶନର ଅଧ୍ୟକ୍ଷତା କରିଥିଲେ। ବଡ଼ଖେମୁଣ୍ଡି ରାଜା କୃପାମୟ ଦେବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଥିଲେ।

ନରସିଂହ ଦାସ ସଂପାଦକ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶାର ପ୍ରଥମ ଜାତୀୟ ଗୃହ ଭାବରେ ବ୍ରହ୍ମପୁର ଉତ୍କଳ ଆଶ୍ରମ ନିଜ ପରିଚୟ ସୃଷ୍ଟି କରିଥିଲା। ଜାତୀୟ ଆନ୍ଦୋଳନରୁ ଭାଷା ଆନ୍ଦୋଳନ ଭାଷା ସଂପଦର ସୁରକ୍ଷାରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ ଗଞ୍ଜାମ ମାଟିର ଅବଦାନ ସ୍ମରଣୀୟ। ପୋଲସରା ବେଲୁଗାଁରେ ଜନ୍ମିତ ବିଶ୍ୱନାଥ ଦାସ ସମ୍ବିଧାନ ଗଠନର ଅନ୍ୟତମ ସଦସ୍ୟ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉତ୍ତର ପ୍ରଦେଶର ରାଜ୍ୟପାଳ ମଧ୍ୟ ସେ ରହି ଅନେକ ଅମ୍ଲାନ କୀର୍ତ୍ତି ଛାଡ଼ିଯାଇଛନ୍ତି। ଏଇ ପ୍ରାତଃସ୍ମରଣୀୟ ବିଭୂତିମାନଙ୍କ ଅବଦାନ ଥିଲା ଓଡ଼ିଆ ଜାତିର ସ୍ୱାର୍ଥ ସୁରକ୍ଷା ଓ ଓଡ଼ିଆ ଭାଷାର ସୁରକ୍ଷା । ଏମାନଙ୍କୁ ଭୁଲିଗଲେ ଇତିହାସ କ’ଣ ଆମକୁ କ୍ଷମା ଦେବ?

Comments are closed.