ଭାଷା ସୁରକ୍ଷା ଆଜିର ଚିନ୍ତା

ପ୍ରଫେସର ଅନନ୍ତ ଚରଣ ସାହୁ

ବିଶ୍ବ ଦରବାରରେ ଓଡ଼ିଆମାନଙ୍କର ଅସ୍ମିତା, ସ୍ବାଭିମାନ ଓ ସାଂସ୍କୃତିକ ସ୍ବାତନ୍ତ୍ର୍ୟର ନବ ଉନ୍ମେଷ ଉପଲକ୍ଷେ ନବୀନ ପଟ୍ଟନାୟକ ସରକାର ଯେଉଁ ବିଶ୍ବ ଓଡ଼ିଆ ସମ୍ମିଳନୀର ଆୟୋଜନ କରିଅଛନ୍ତି, ତାହା ନିଶ୍ଚିତ ଭାବରେ ଓଡ଼ିଆମାନଙ୍କ ମଧ୍ୟରେ ଏକ ନବ-ଚେତନାର ଉନ୍ମେଷ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଓଡ଼ିଶାରେ ନିକଟ ଅତୀତରେ ସାଂସଦ ସ୍ବର୍ଗତ ବୈଷ୍ଣବ ଚରଣ ପରିଡ଼ାଙ୍କ ଦ୍ବାରା ଏକ ‘ଭାଷା ସୁରକ୍ଷା ସମ୍ମିଳନୀ’ ଗଠିତ ହୋଇ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବହୁଳ ଭାବରେ ପ୍ରଚଳନ କରିବା ତଥା ଦ୍ରୁତ ଅବକ୍ଷୟ ମୁଖରୁ ଏହି ଭାଷାକୁ ରକ୍ଷା କରିବା ପାଇଁ ଏକ ଜନ ଆନ୍ଦୋଳନ ପ୍ରବର୍ତ୍ତନ କରାଯାଇଥିଲା। ଓଡ଼ିଆ ଭାଷାକୁ ଜନ-ଜୀବନର ମୁଖ୍ୟ ଶ୍ରୋତରେ ତଥା ସରକାରୀ ଭାଷା ରୂପେ ପ୍ରବର୍ତ୍ତନ କରିବା ପାଇଁ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ସରକାରୀ ପୃଷ୍ଠପୋଷକତା କ୍ରମେ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏଥିପାଇଁ ରେମିଙ୍ଗଟନ୍‌ କମ୍ପାନୀ ଦ୍ବାରା ଅନେକ ଟାଇପ ମେସିନ୍‌ ପ୍ରଚଳିତ ହୋଇ କାର୍ଯ୍ୟାଳୟମାନଙ୍କରେ ଦିଆଯାଇଥିଲା।

ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଭାଷାଭାଷୀଙ୍କ ତୁଳନାରେ ଓଡ଼ିଆମାନେ ସେମାନଙ୍କ ଭାଷାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଓଡ଼ିଆମାନଙ୍କ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଓ ବିଳାସ-ବୈଭବମାନଙ୍କରେ ନିମନ୍ତ୍ରଣ ପତ୍ରଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ଇଂରାଜୀ ଭାଷାରେ ମୁଦ୍ରିତ ହୋଇଥାଏ। ଇଂରାଜୀ ଭାଷାରେ ପ୍ରଚାରପତ୍ର ଓ ନିମନ୍ତ୍ରଣପତ୍ର ଛାପିବା ପାଇଁ ଓଡ଼ିଆମାନେ ଆଭିଜାତ୍ୟର ଏକ ରୂପ ବୋଲି ଭାବି ଥାଆନ୍ତି। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଆମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଭାଷା ସୁରକ୍ଷା ଆନ୍ଦୋଳନର ଆବଶ୍ୟକତା ରହିଛି। କାରଣ, ସମଗ୍ର ବିଶ୍ବ ଏକ ଡିଜିଟାଲ ଆନ୍ଦୋଳନ ଫଳରେ କମ୍ପ୍ୟୁଟରୀକରଣ ଯୁଗରେ ଯେତେବେଳେ ଦ୍ରୁତଗତିରେ ଆଗେଇ ଚାଲିଛନ୍ତି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯେତେବେଳେ ବୈପ୍ଳବିକ ପରିବର୍ତ୍ତନର ଆଭାସର ଆସିଛି ସେତେବେଳେ ନିଜନିଜ ଭାଷା ପ୍ରତି ଗଭୀର ଆସକ୍ତି ଓ ସଚେତନତା ଆସିବା ସ୍ବାଭାବିକ।

ଏଠାରେ ଓଡ଼ିଆ ଭାଷାର ପ୍ରାଚୀନତା, ଶାସ୍ତ୍ରୀୟତା ଓ ମାର୍ଜିତ ପରିପ୍ରକାଶ ଉପରେ କିଛି କହିଲେ ଅପ୍ରାସଙ୍ଗିକ ମନେ ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଭାରତରେ କ୍ଲାସିକାଲ୍‌ ବା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଛଅଗୋଟି ଭାଷା ମଧ୍ୟରେ ଓଡ଼ିଆ ଭାଷ​‌ା ଅନ୍ୟତମ। ଶାସ୍ତ୍ରୀୟ ସ୍ବୀକୃତି ଲାଭକରିଥିବା ଅନ୍ୟ ପାଞ୍ଚଟି ଭାଷା ହେଉଛି ସଂସ୍କୃତ, ତାମିଲ, ତେଲୁଗୁ, ମାଲାୟାଲାମ ଓ କନଡ ଭାଷା। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଓଡ଼ିଆ ଭାଷାର କ୍ରମବିବର୍ତ୍ତନ ଘଟିଅଛି। ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ବିଜୟ ପରେ ତତ୍‌କାଳୀନ କଳିଙ୍ଗର ରାଜଧାନୀ ତୋଷାଳୀ ବା ଆଧୁନିକ ଭୁବନେଶ୍ବରଠାରେ ଧଉଳୀ ପାହାଡ଼ରେ ଯେଉଁ ଶିଳାଲେଖ କଳିଙ୍ଗବାସୀଙ୍କ ଉଦ୍ଦେଶ୍ୟରେ ପ୍ରଚାର କରିଅଛନ୍ତି, ସେଥିରେ କଳିଙ୍ଗର ଲୋକଭାଷା ବ୍ୟବହୃତ ହୋଇଅଛି। ଏହି ଲୋକଭାଷାକୁ ପ୍ରାକୃତ ଭାଷା କୁହାଯାଏ। ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଅବସ୍ଥିତ ଅଶୋକଙ୍କର ଶିଳାଲିପିରେ ଖରୋସ୍ତି ଲିପିର ପ୍ରଚଳନ ରହିଛି। ଅଶୋକଙ୍କ ପରେ କଳିଙ୍ଗ ସମ୍ରାଟ ମହାମେଘବାହନ ଖାରବେଳ ତାଙ୍କ ଦ୍ବାରା ଖୋଦିତ ହାତୀଗୁମ୍ଫା ଶିଳାଲେଖରେ ମଧ୍ୟ ତତ୍କାଳୀନ ଭାଷା ଓ ଲିପିର ବ୍ୟବହାର କରିଅଛନ୍ତି।

ବିବର୍ତ୍ତନ ତଥା ପରିବର୍ତ୍ତନ ମଧ୍ୟ ଦେଇ ଗଢ଼ି ଆସିିଥିବା ଓଡ଼ିଆ ଭାଷା ମଧ୍ୟଯୁଗରେ ଅନେକାଂଶରେ ମାର୍ଜିତ ହୋଇ ଏକ ଲୋକଭାଷା ରୂପେ ପରିପ୍ରକାଶ ଲାଭ କଲା। ମାର୍ଜିତ ଓ ଶୁଦ୍ଧ ଓଡ଼ିଆ ଭାଷାର ଆଧୁନିକ ରୂପାନ୍ତକରଣ ଆରମ୍ଭ ହେଲା ସାରଳା ଦାସଙ୍କ ମହାଭାରତ ରଚନା କାଳରୁ। କ୍ରମେ ପଞ୍ଚସଖା ଯୁଗରେ ଜଗନ୍ନାଥ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଯେଉଁ ଭାଷା ପ୍ରଚଳିତ ହୋଇଛି ତାହା ସମଗ୍ର ଓଡ଼ିଶାର ଅତି ଲୋକପ୍ରିୟ ଓ ସର୍ବ-ଆଦୃତ ଭାଷା। ଗ୍ରାମାଞ୍ଚଳମାନଙ୍କରେ ଭାଗବତ ଟୁଙ୍ଗିର ପ୍ରଚଳନ ଫଳରେ ଏହି ଭାଷାର ଶୁଦ୍ଧତା ଓ ପରିମାର୍ଜିତ ସଂସ୍କରଣ ସମଗ୍ର ଓଡ଼ିଶାରେ ଗ୍ରହଣୀୟ ହୋଇପାରିଛି।

ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ବଙ୍ଗଳା ପ୍ରେସିଡେନ୍ସି ଅଧୀନସ୍ଥ ଉପକୂଳ ଓଡ଼ିଶାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ବିଲୋପକରି ବଙ୍ଗଳାଭାଷାର ପ୍ରଚଳନ ପାଇଁ ଯେଉଁ ଅପଚେଷ୍ଟା କରାଯାଇଥିଲା, ତା’ ବିରୋଧରେ ଓଡ଼ିଶାରେ ଏକ ଭାଷା ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ତତ୍କାଳୀନ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକାର ପ୍ରତିଷ୍ଠାତା ଗୌରୀଶଙ୍କର ରାୟ। ଊନବିଂଶ ଶତାବ୍ଦୀରେ ଗୌରୀଶଙ୍କର, ଫକିରମୋହନ ସେନାପତି, ରାଧାନାଥ ରାୟ ପ୍ରମୁଖ ଅନେକ ଓଡ଼ିଆ ଭାଷା ପ୍ରେମୀଙ୍କ ଉଦ୍ୟମ ଫଳରେ ଓଡ଼ିଆଭାଷାର ଅସ୍ତିତ୍ବ ପ୍ରତିପାଦିତ ହେଲା। ଏହା ପରେ ଯେଉଁ ମନୀଷୀଗଣଙ୍କ ଓଡ଼ିଆ ସାହିତ୍ୟ ଓ ଭାଷାକୁ ସମୃଦ୍ଧ କରିବାକୁ ଉଲ୍ଲେଖନୀୟ ଅବଦାନ ଥିଲା, ସେମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟର ପ୍ରତିଷ୍ଠାତା ବିଶ୍ବନାଥ କର ଓ ବ୍ରଜସୁନ୍ଦର ଦାସଙ୍କ ମୁକୁର ପତ୍ରିକା ଅନ୍ୟତମ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରଚଳିତ ସମ୍ବାଦପତ୍ର ଦୈନିକ ଆଶା ଓ ‘ସମାଜ’ ଓଡ଼ିଆ ଭାଷାକୁ ମାର୍ଜିତ ଓ ସଂଶୋଧିତ କରିବା କ୍ଷେତ୍ରରେ ଅନେକ ଅବଦାନ ରହିଛି। ଓଡ଼ିଶା ସରକାର ଅ​‌େ​‌ନକ ଗଠନମୂଳକ ଆଇନ ସମ୍ମତ ପଦକ୍ଷେପ ନେଇ ଅଛନ୍ତି ଓ ଓଡ଼ିଆ ଭାଷାକୁ ପ୍ରଶାସନ ଓ କୋର୍ଟ କଚେରିରେ ପ୍ରଚଳିତ କରିବାପାଇଁ ଅନେକ ଆଇନ୍‌ ପ୍ରଣୀତ ହୋଇଅଛି। ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ପ୍ରଚାରଲିପିକା ଓ ସାଇନବୋର୍ଡମାନଙ୍କରେ ଓଡ଼ିଆ ଭାଷାର ପ୍ରଚଳନକୁ ବାଧ୍ୟତାମୂଳକ କରାଯାଇଅଛି, ତଥାପି ଏ ଦିଗରେ ବିଶେଷ ସୁଫଳ ମିଳିନାହିଁ। ତାମିଲ, ତେଲଗୁ, ମରାଠୀ ତୁଳନାରେ ଓଡ଼ିଆମାନେ ବିଶେଷ ଭାବରେ ନିଜ ଭାଷାପ୍ରତି ଆକୃଷ୍ଠ ନୁହନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଜାଗତିକ ଜାଗୃତିର ଯେଉଁ ଶଙ୍ଖନାଦ କରିବାକୁ ଯାଉଛି ତାହା ଚେଇଁ ଶୋଇ ରହିଥିବା ଓଡ଼ିଆମାନଙ୍କ ନିଦ୍ରା ଭଙ୍ଗ କରି ଭାଷା ସଚେତନତାର ସନ୍ଦେଶ ସୃଷ୍ଟି କରିପାରିବ ବୋଲି ଆଶା ରହିଛି। ଏହି ଭଳି ଅାଶା ଆଶଙ୍କା ମଧ୍ୟରେ ପ୍ରଥମ ବିଶ୍ବଓଡ଼ିଆ ସମ୍ମିଳନୀ ସଫଳ ହେଉ, ଏହା ହିଁ ଆଜିର କାମନା।

Comments are closed.