ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି: ମୋଦୀ ଗ୍ୟାରେଣ୍ଟି

ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ଭାରତ ସରକାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟରେ ଆଉ ପାଦେ ଅଗ୍ରସର ହୋଇଛି ଆମ ଦେଶ । ସବୁ ଦିଗରୁ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଭାରତ ସରକାର ଜନସାଧାରଣଙ୍କ ଜୀବନରେ କ୍ରମାଗତ ଉନ୍ନତି ଆଣୁଛନ୍ତି । ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଓ ଏସବୁର ସଫଳ ରୂପାୟନ ଫଳରେ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୦୧୩-୧୪ ଆର୍ଥିକ ବର୍ଷରେ ୨୯.୧୭% ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୧.୨୮%କୁ ଖସି ଆସିଛି, ଅର୍ଥାତ୍ ୧୭.୮୯% ପଏଣ୍ଟ ହ୍ରାସ ପାଇଛି । ଫଳରେ ଭାରତ ୨୦୩୦ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟ ହ୍ରାସର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।

୨୦୦୫-୦୬ରୁ ୨୦୧୫-୧୬ (ବାର୍ଷିକ ୭.୬୯% ହ୍ରାସ ହାର) ଆର୍ଥିକ ବର୍ଷ ତୁଳନାରେ ୨୦୧୫-୧୬ରୁ ୨୦୧୯-୨୧ (ବାର୍ଷିକ ୧୦.୬୬% ହ୍ରାସ ହାର) ଆର୍ଥିକ ବର୍ଷ ମଧ୍ୟରେ ଦେଶର ଦାରିଦ୍ର୍ୟ ହାର ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ଏକ ଗବେଷଣା ପତ୍ରରେ ଦର୍ଶାଯାଇଛି । ତେବେ ୯ ବର୍ଷର ଅବଧିରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କକୁ ଦେଖିଲେ ଜଣାଯାଏ ଯେ ସମସ୍ତ ୧୨ଟି ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ଏ ମଧ୍ୟରେ ପୁଷ୍ଟିସାଧନ, ଶିଶୁ ଓ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷାର ମୋଟ ଅବଧି, ବିଦ୍ୟାଳୟରେ ଉପସ୍ଥାନ, ରୋଷେଇ ଇନ୍ଧନ, ପରିମଳ, ପାନୀୟ ଜଳ, ବିଜୁଳି, ବାସଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଅନ୍ତର୍ଭୁକ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସବୁଠାରୁ ଦୁର୍ବଳ ଓ ବଞ୍ଚିତ ଲୋକଙ୍କ ଜୀବନକୁ ସମୁନ୍ନତ କରିବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୃଢ଼ ପ୍ରତିବଦ୍ଧତା ଆମ ସଫଳତାର କାରକ ସାଜିଛି ।
ଅଧୁନା ଦେଶର ଲକ୍ଷ ଲକ୍ଷ ଗାଁରେ କୋଟି କୋଟି ପରିବାର ମୋଦୀ ସରକାରଙ୍କ କୌଣସି ନା କୌଣସି ଗରିବ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ନିଶ୍ଚୟ। ବଞ୍ଚିତ, ନିଷ୍ପେଷିତ ଓ ସମାଜର ଶେଷ ଧାଡ଼ିରେ ରହିଥିବା ମଣିଷମାନଙ୍କୁ ଯେତେବେଳେ ଏହି ସୁବିଧା ମିଳିଥାଏ ସେତେବେଳେ ସେମାନଙ୍କର ଆତ୍ମବିଶ୍ବାସ ବଢିଥାଏ । ଏ ଆତ୍ମବିଶ୍ୱାସ ସରକାରୀ ସହାୟତା ସଙ୍ଗେ ମିଶି ଜୀବନଧାରଣ ପାଇଁ ଜନମାନସରେ ଏକ ନୂତନ ଶକ୍ତି ସଞ୍ଚାର କରିଥାଏ । ସୁଖର କଥା, ଆଜି କାହାରିକୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଆଉ ଯିବାକୁ ପଡ଼ୁନାହିଁ । ମୋଦୀ ସରକାରଙ୍କ ନିଷ୍ଠା ଓ ନିରପେକ୍ଷତା ଯୋଗୁଁ ପ୍ରାପ୍ୟ ପାଇଁ ଆଉ କଷ୍ଟ ସହିବାକୁ ପଡୁନାହିଁ, ଯଥା- ତୁହାକୁ ତୁହା ସରକାରୀ ଅଫିସ ଦୌଡ଼ିବା କିମ୍ବା ହାତଗୁଞ୍ଜା ଦେବା ଆଦିର ଅପ୍ରୀତିକର ପରିସ୍ଥିତି ଏବେ ଦୂର ହେଉଛି। ସରକାର ନିଜେ ଆଗଭର ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି ଏବଂ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଦକ୍ଷେପମାନ ନେଉଛନ୍ତି । ଫଳରେ ଏବେ ମାଗିବା ଆଗରୁ ଲୋକଙ୍କ ଆଶା ପୂରଣ ହୋଇପାରୁଛି । ଏହା ହିଁ ବାସ୍ତବରେ ‘ମୋଦୀଙ୍କ ଗ୍ୟାରେଣ୍ଟି’ – ବିକଶିତ ଭାରତ ପାଇଁ ଅପରିହାର୍ୟ୍ୟ ହୋଇପଡ଼ିଥିବା ‘ଦାରିଦ୍ର୍ୟ ମୁକ୍ତି’ର ବିଶଲ୍ୟକରଣୀ ।

କେନ୍ଦ୍ରୀୟ ଯୋଜନା ବଳରେ, କେଉଁ ରାଜ୍ୟ କେତେ ଆଗରେ :
ସମସ୍ତ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାରେ ଯଦିଓ ରାଜ୍ୟଗୁଡ଼ିକର ପ୍ରଦର୍ଶନ ଭିନ୍ନ ଭିନ୍ନ ରହିଛି ତଥାପି ପାରମ୍ପରିକ ଭାବେ ଅପେକ୍ଷାକୃତ ଅଧିକ ଅନଗ୍ରସର ରାଜ୍ୟଗୁଡ଼ିକ ଦାରିଦ୍ର୍ୟ ମୁକ୍ତିରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି ଯଦ୍ଦ୍ୱାରା ବହୁମୁଖୀ ଦାରିଦ୍ର୍ୟରେ ଆଞ୍ଚଳିକ ବୈଷମ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ସେହିପରି, ବଞ୍ଚିତଙ୍କୁ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ରହିଥିବା ମୂଳ ସମସ୍ୟାଗୁଡ଼ିକର ମଧ୍ୟ ଦ୍ରୁତ ସମାଧାନ ହେଉଛି । ଫଳରେ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତ ସଠିକ୍‌ ମାର୍ଗରେ ଗତି କରୁଛି ବୋଲି ଆମର ହୃଦ୍‌ବୋଧ ହେଉଛି ।
ଏବେ କଥା ଉଠୁଛି, କେନ୍ଦ୍ରୀୟ ଯୋଜନାଗୁଡ଼ିକ ବଳରେ ନିର୍ଦ୍ଦିଷ୍ଟ କେତେକ ରାଜ୍ୟ କିପରି ଦାରିଦ୍ର୍ୟ ମୁକ୍ତି କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହାସଲ କଲେ । ବିଭିନ୍ନ ଅନୁଶୀଳନ ଏବଂ ପୂର୍ବର ଅର୍ଥନୈତକ ସର୍ଭେ ମଧ୍ୟ ସ୍ପଷ୍ଟ କରିଛି ଯେ, ଭାରତର ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଯୋଜନାକୁ ଠିକ୍ ଭାବେ ଓ ପୂର୍ଣ୍ଣ ଆନ୍ତରିକତାର ସହ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡ଼ିକରେ ହିଁ ରେକର୍ଡ ସଂଖ୍ୟକ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇପାରିଛନ୍ତି। ଏହାର ବଡ଼ ଉଦାହରଣ ହେଉଛନ୍ତି ଦୁଇଟି ରାଜ୍ୟ – ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ।

ବହୁମୁଖୀ ଦାରିଦ୍ର୍ୟରୁ ସର୍ବାଧିକ ଲୋକଙ୍କୁ ମୁକ୍ତ କରିଥିବା ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି । ଏ ରାଜ୍ୟରେ ସର୍ବାଧିକ ୫.୯୩ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବେଳେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଯଥାକ୍ରମେ ୩.୭୭ କୋଟି, ୨.୩୦ କୋଟି, ୧.୮୭ କୋଟି, ୧.୭୨ କୋଟି ଏବଂ ୧.୫୯ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି । ଓଡ଼ିଶାରେ ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ତେବେ ଓଡ଼ିଶା ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି ।

prayash

ଚଉଦରୁ ଚବିଶ – ଓଡ଼ିଶାରେ ଗରିବ କଲ୍ୟାଣର ଦଶ ବର୍ଷ :
ମୋଦୀ ସରକାରଙ୍କ ‘ଗରିବ କଲ୍ୟାଣ’ ନୀତି ଓ ପଦକ୍ଷେପ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ‘ଗେମଚେଞ୍ଜର୍’ ସାବ୍ୟସ୍ତ ହେଲା । ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ଆଧାରିତ ପରିକଳ୍ପନା ଅନୁଯାୟୀ ସବୁ ବାଧାବିଘ୍ନକୁ ଏଡ଼ାଇ ଓଡ଼ିଶାର ଗରିବ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର କରାଯାଇପାରିଛି ଏବଂ ଏଥିଯୋଗୁଁ ଆଜିର ଓଡ଼ିଶାରେ ୧.୦୩ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିବାରେ ସକ୍ଷମ ହୋଇପାରିଛନ୍ତି। ଏହି ହିତାଧିକାରୀମାନେ କୌଣସି ପ୍ରକାରର ରାଜନୈତିକ ​‌େ​‌ଦ୍ବଷ, ପକ୍ଷପାତିତା ଅବା ମଧ୍ୟସ୍ଥଙ୍କ ନିର୍ଯାତନାର ଶିକାର ନ ହୋଇ ଯାବତୀୟ ସରକାରୀ ସହାୟତା ରାଶି ନିଜ ସିଧାସଳଖ ବ୍ୟାଙ୍କ ଖାତାରେ କିମ୍ବା ଘରେ ବସି ପାଇ ପାରୁଛନ୍ତି । ଏହି ୧.୦୩ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଜି ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନାସବୁର ହିତାଧିକାରୀ ହୋଇ ନିଜ ଜୀବନଧାରଣର ମାନ ଉନ୍ନତ କରିପାରିଛନ୍ତି ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩.୦୨୬ କୋଟି ଲୋକଙ୍କୁ ମାଗଣା ​‌େ​‌ରସନ ମିଳୁଛି । ଗ୍ରାମୀଣ ଓଡ଼ିଶାର ୮୨.୧୭% ଏବଂ ସହରାଞ୍ଚଳ ଓଡ଼ିଶାର ୫୫.୭୭% ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦ୍ୱାରା ସେମାନଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିପାରୁଛନ୍ତି । ଓଡ଼ିଶାର ଖାଦ୍ୟ ନିରାପତ୍ତା ପାଇଁ ମୋଦୀ ସରକାର ବାର୍ଷିକ ପାଖାପାଖି ୪,୭୦୦ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ସେହିପରି, ରାଜ୍ୟରେ ୭୪,୧୫୪ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ସକ୍ଷମ ଅଙ୍ଗନବାଡି ଓ ପୋଷଣ ଅଭିଯାନ ମାଧ୍ୟମରେ ୩୩.୨୨ ଲକ୍ଷ ଶିଶୁ (୦-୬ ବର୍ଷ) ଏବଂ ୪.୭୮ ଲକ୍ଷ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ସପ୍ଲିମେଣ୍ଟାରୀ ପୁଷ୍ଟି ଯୋଗାଇ ଦିଆଯାଉଛି । ଶିଶୁ ଓ କିଶୋରଙ୍କ ପୁଷ୍ଟିସାଧନ ନିମନ୍ତେ ରାଜ୍ୟରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପିଏମ-ପୋଷଣ) ମାଧ୍ୟମରେ ବିଦ୍ୟାଳୟରେ ୫୫.୫ ହଜାରରୁ ଅଧିକ ରୋଷେଇ ଘର କାର୍ଯ୍ୟକ୍ଷମ କରାଯାଇ ପ୍ରାୟ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ପିଲାଙ୍କ ପୁଷ୍ଟି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ୨୦୧୪ରୁ ଅଦ୍ୟାବଧି ୪,୩୭୯.୫୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ।

୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ମାଧ୍ୟମରେ ଓଡ଼ିଶାରେ ୩୨.୦୭ ଲକ୍ଷ ପକ୍କା ଘର ନିର୍ମାଣ ଲକ୍ଷ୍ୟ ନେଇ ଅଦ୍ୟାବଧି ୨୪.୮୯ ଲକ୍ଷ ଘର ନିର୍ମାଣ ସରିଛି । ଓଡ଼ିଶାର ଗରିବଙ୍କ ମୁଣ୍ଡ ଉପରେ ଆବାସ ସୁନିଶ୍ଚିତ କରିବା ପାଇଁ ଏହି ଦଶ ବର୍ଷ ମଧ୍ୟରେ ମୋଦୀ ସରକାର ପାଖାପାଖି ୩୪,୦୬୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ମାଧ୍ୟମରେ ପ୍ରାୟ ୯,୮୨୫ କୋଟି ଟଙ୍କା ବ୍ୟୟବରାଦରେ ୨.୧୪ ଲକ୍ଷ ଘର ନିର୍ମାଣ କରାଯାଇଛି । ଗ୍ରାମୀଣ ଓଡ଼ିଶାର ମୋଟ ୮୮.୬୪ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୭୦.୦୪% ପରିବାର ଅର୍ଥାତ୍ ୬୧.୫୬ ଲକ୍ଷ ପରିବାରଙ୍କ ଘରକୁ ଜଳ-ଜୀବନ ମିଶନ ମାଧ୍ୟମରେ ଟ୍ୟାପ୍ ଯୋଗେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ଓଡ଼ିଶାର ୭୦.୭୯ ଲକ୍ଷ ପରିବାରକୁ ୯,୨୬୨ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ନିଜ ଘରେ ଶୌଚାଳୟର ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଓଡ଼ିଶାର ମୋଟ ୯୬.୭୧ ଲକ୍ଷ ପରିବାର ମଧ୍ୟରୁ ବିଜୁଳି ସଂଯୋଗ ନଥିବା ୨୪.୫୨ ଲକ୍ଷ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଛି ଯାହା ଫଳରେ ରାଜ୍ୟରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣର ଲକ୍ଷ୍ୟ ସାଧିତ ହୋଇପାରିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଓଡ଼ିଶାର ୫୪.୭୮ ଲକ୍ଷ ପରିବାର ଅଦ୍ୟାବଧି ୮୭୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ମାଗଣା ଏଲପିଜି ବା ରନ୍ଧନ ଗ୍ୟାସ୍ ସଂଯୋଗ ପାଇପାରିଛନ୍ତି । ଓଡ଼ିଶାରେ ୨୦୧୪ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବା ପରଠାରୁ ପ୍ରାୟ ୨.୦୨ଟି ବ୍ୟାଙ୍କ ଆକାଉଣ୍ଟ୍ ଖୋଲାଯାଇଛି । ଏହି ଯୋଜନା ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ବ୍ୟାଙ୍କିଙ୍ଗ ପରିସରକୁ ଆଣିପାରିଛି ।

ବିଗତ ନଅ ବର୍ଷରେ ୧.୦୨ କୋଟି ଓଡ଼ିଆ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇବା ଅତ୍ୟନ୍ତ ଖୁସିର ବିଷୟ ଏବଂ ଏହାଦ୍ୱାରା ୨୦୩୬ରେ ଏକ ବିକଶିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟରେ ଆମର ଆତ୍ମବିଶ୍ୱାସ ଆଜି ବହୁଗୁଣିତ ହୋଇଛି।

ବିକଶିତ ଓଡ଼ିଶାର ସ୍ବପ୍ନ ଏକ ରାଜନୈତିକ କଳ୍ପନା ନୁହେଁ, ବରଂ କୋଟି ଓଡ଼ିଆଙ୍କ ସାମୂହିକ ଆକାଂକ୍ଷା । ପୂର୍ଣ୍ଣ ବିକାଶ ପଥରେ ଓଡ଼ିଶାର ଯାତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରୁ ଆରମ୍ଭ ହୋଇସାରିଛି । ନଅ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ପ୍ରକଳ୍ପ ବାବଦରେ ଓଡ଼ିଶାକୁ ୧୮.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଓ ସମ୍ବଳ ମିଳିଛି । ବିକାଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାରଙ୍କୁ ରାଜନୈତିକ ​‌େ​‌ଦ୍ବଷ ଓ ପ୍ରତିସ୍ପର୍ଦ୍ଧା ଠାରୁ ଊର୍ଦ୍ଧ୍ୱରେ ରହି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ମହାଯଜ୍ଞରେ ସାମିଲ ହେବାକୁ ପଡ଼ିବ । ଅତୀତରେ କ୍ଷମତାସୀନ ବହୁ ସରକାର ‘ଗରିବୀ ହଟାଓ’ର ସ୍ବପ୍ନକୁ କେବଳ ବିକି ଭାଙ୍ଗି ଭୋଟ ଗୋଟାଇ ଆସୁଥିଲେ। ଏବେ କିନ୍ତୁ ଏହା ସ୍ପଷ୍ଟ ଯେ କେବଳ ମୋଦୀ ସରକାର ହିଁ ଦାରିଦ୍ର୍ୟ ମୂଳୋତ୍ପାଟନର ସ୍ୱପ୍ନକୁ ଆନ୍ତରିକତାର ସହ ସାକାର କରୁଛନ୍ତି ଏବଂ ଜନଗଣଙ୍କ ମନରେ ନୂଆ ଆକାଂକ୍ଷା ଭରି ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ଅଗ୍ରସର ହେଉଛନ୍ତି । ବିଗତ ବର୍ଷମାନଙ୍କରେ ପ୍ରାୟ ୨୫ କୋଟି ଭାରତୀୟ ଦାରିଦ୍ର୍ୟ ମୁକ୍ତିର ଏହି ଜୟଯାତ୍ରାକୁ ଅଙ୍ଗେ ନିଭାଇଛନ୍ତି । ସମୟ ଆସିଛି, ଓଡ଼ିଶାର ବଞ୍ଚିତ ଶ୍ରେଣୀର ବାକି ୧ କୋଟି ମଣିଷଙ୍କୁ ଏହି ଦାରିଦ୍ର୍ୟ ମୁକ୍ତି ଯାତ୍ରାରେ ସାମିଲ କରିବା ।

kalyan agarbati

Comments are closed.