ଶ୍ରଦ୍ଧା ଓ ଶ୍ରାଦ୍ଧର ପର୍ବ ‘ମହାଳୟା’
ଡ. ଅଜୟ କୁମାର ନନ୍ଦ
ସ୍ରଷ୍ଟା ଓ ସୃଷ୍ଟି ସଂସାରର ଏକ ଗୂଢ଼ ରହସ୍ୟ। ସ୍ରଷ୍ଟାଙ୍କ ନିର୍ଦେଶ ଓ ସୃଷ୍ଟିର ନିୟମାନୁସାରେ ପ୍ରତ୍ୟେକ ମଣିଷ ତା’ ଜୀବନକାଳରେ ‘ଜନ୍ମ’ ଓ ମୃତ୍ୟୁ ଭଳି ଦୁଇଟି ନିଶ୍ଚିତ ସତ୍ୟକୁ ସାମ୍ନା କରିଥାଏ ଯାହା ଏକ ଜୀବନ ପରିଧିର ଆରମ୍ଭ ଓ ଶେଷ। ସେଥିପାଇଁ କୁହାଯାଇଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ।’ ମୃତ୍ୟୁ ହିଁ ଗୋଟିଏ ଜୀବନର ଅନ୍ତ ଘଟାଇଥାଏ। ଅର୍ଥାତ୍ ଏ ସବୁକୁ ସାମ୍ନା କରି ସଂସାରରେ ଅନେକ ଇହଧାମ ତ୍ୟାଗ କରିଛନ୍ତି ଏବଂ ଆମେମାନେ ସେହିମାନଙ୍କ ବଂଶର ଜଣେ ଜଣେ ବଂଶଧର ବା ଉତ୍ତରାଧିକାରୀ। ସେମାନଙ୍କ ଅନେକ କଷ୍ଟ ଓ ତ୍ୟାଗ ହିଁ ଦେଇଛି ଆମମାନଙ୍କୁ ସମାଜରେ ବଞ୍ଚିବାର ପରିଚୟ। ମହାଭାରତ ସମୟର କଥା। ଏକଦା ଯକ୍ଷଙ୍କ ଏକ ଜଟିଳ ପ୍ରଶ୍ନର ଉତ୍ତର ଧର୍ମରାଜ ଯୁଧିଷ୍ଠିର ଅତି ଚତୁରତାର ସହ ଦେଇଥିଲେ ଯାହା ସମଗ୍ର ମନୁଷ୍ୟ ପାଇଁ ପଥପ୍ରଦର୍ଶକ। ଯକ୍ଷଙ୍କ ଏକ ପ୍ରଶ୍ନ- ପୃଥିବୀଠାରୁ ବଡ଼ କିଏ? ଉତ୍ତର ଥିଲା- ‘ମାତା’, ପରବର୍ତ୍ତୀ ପ୍ରଶ୍ନ- ଆକଶଠାରୁ ବଡ଼ କିଏ? ଉତ୍ତରଟି ଥିଲା- ‘ବାପା’, ଅନ୍ୟ ଏକ ଜଟିଳ ପ୍ରଶ୍ନ- ସଂସାରରେ ସବୁଠାରୁ ସୁଖୀ ମଣିଷ ଜଣକ କିଏ? ଧର୍ମରାଜ ଯୁଧିଷ୍ଠିରଙ୍କ ସ୍ପଷ୍ଟ ଉତ୍ତର ଥିଲା- ‘ଋଣ ମୁକ୍ତ ଲୋକଟି ସଂସାରରେ ସବୁଠାରୁ ସୁଖୀ ଲୋକ।’ ଜୀବନ କାଳ ମଧ୍ୟରେ ଆମେ କେତେକ ଋଣଭାର ବହନ କରିଥାଉ ତନ୍ମଧ୍ୟରୁ ଦେବଋଣ, ଋଷିଋଣ, ପିତୃଋଣ, ଗୁରୁଋଣ ଓ ଅନ୍ୟାନ୍ୟ ଆର୍ଥିକ ଋଣ ଯେ କୌଣସି ଉତ୍ସରୁ ହୋଇପାରେ। ଦେବତାଙ୍କ ଦିବ୍ୟଚେତନା ଦ୍ୱାରା ଶିଶୁଟି ପ୍ରଥମେ ଭୂମିଷ୍ଠ ହୋଇ କୁଆଁ କୁଆଁ ଡାକି ମାନବବାଦର ସଂକେତ ପ୍ରଦାନ କରିଥାଏ। ତେଣୁ ପ୍ରଥମେ ଆମେ ଦେବତାମାନଙ୍କ ପାଖରେ ଋଣୀ। ପରେ ପରେ ବଂଶର ଗୋତ୍ର ଅନୁଯାୟୀ ବିଭିନ୍ନ ଋଷିଙ୍କ ଦିବ୍ୟ ଚେତନା ବଳରେ ଆମର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରି ଜୀବନରେ ଅନେକ ସମସ୍ୟାକୁ ସାମ୍ନା କରିଥାଉ, ସେଥିପାଇଁ ଆମେ ଋଷିଙ୍କ ପାଖରେ ଋଣୀ। ଯେଉଁ ଦୁଇ ଜଣଙ୍କ ପାଇଁ ଆମେ ଦୁନିଆ ଦେଖୁ ସେମାନେ ହେଉଛନ୍ତି ଆମର ‘ପିତା ଓ ମାତା’, ତେଣୁ ତାଙ୍କ ପାଖରେ ଆମେ ସର୍ବଦା ଋଣୀ। ଶିକ୍ଷା ଗୁରୁ ହିସାବରେ ଆମର ପ୍ରତ୍ୟେକ ଗୁରୁଙ୍କ ପାଖରେ ଆମେ ଋଣୀ, ଶେଷରେ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟାନ୍ୟ ଉତ୍ସରୁ କରିଥିବା ଆର୍ଥିକ ଋଣ ଲାଗି ଆମେ କୌଣସି ବ୍ୟକ୍ତି ବିଶେଷ ଓ ସଂସ୍ଥାମାନଙ୍କ ପାଖରେ ଋଣୀ। ତେଣୁ ଆମେ ଏ ସମସ୍ତଙ୍କ ପାଖରେ କୃତଜ୍ଞ ହୋଇ ଜୀବଦଶା ମଧ୍ୟରେ ଯଥା ସମ୍ଭବ ଋଣ ପରିଶୋଧ କରିବା ହେବ ଏକ ମହନୀୟ କାର୍ଯ୍ୟ।
ବର୍ତ୍ତମାନ ପାଳିତ ହେଉଥିବା ପିତୃପକ୍ଷ ଯାହା ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ମହାଳୟା ଅମାବାସ୍ୟା ଶେଷ ହେଉଥିବା ଏକ ପନ୍ଦର ଦିନର ଅବଧି ଯାହା ପିତୃଋଣ ପରିଶୋଧ କରିବାର ଉତ୍କୃଷ୍ଟ ସମୟ। ଏବେ ଆସିବା ମୂଳ କଥାକୁ ଜନ୍ମ, ମୃତ୍ୟୁ ଓ ପୁନର୍ଜନ୍ମ ସଂସାରର ଏକ ଗତାନୁଗତିକ ପ୍ରକ୍ରିୟା ବୋଲି ବିଶ୍ୱାସ କରାଯାଏ। ଜୀବାତ୍ମାର ମୃତ୍ୟୁ ନାହିଁ, ଏହା ଗୋଟିଏ ଶରୀରରୁ ଚାଲିଗଲେ ତାହା ପାର୍ଥିବ ଶରୀରରେ ପରିବର୍ତ୍ତିତ ହୋଇ ପଞ୍ଚଭୂତରେ ଲୀନ ହୋଇଯାଏ, ସେତେବେଳେ ଉକ୍ତ ଆତ୍ମା ଈଶ୍ୱରଙ୍କ ନିକଟରେ ଆଶ୍ରୟ ନେଇଥାଏ। ଈଶ୍ୱର ପୁନଶ୍ଚ ଜୀବାତ୍ମାର କର୍ମକୁ ତର୍ଜମା କରି ଆଉ ଏକ ଜୀବାତ୍ମାରେ ପ୍ରବେଶ କରାଇ ଅନ୍ୟ ଏକ କର୍ମର ଅୟମାରମ୍ଭ କରିଥାନ୍ତି, ଯାହାକୁ ପୁନର୍ଜନ୍ମ ବୋଲି କୁହାଯାଏ। ଏପରି ଏକ ଘଟଣା କ୍ରମେ, ମହାଦାନୀ କର୍ଣ୍ଣଙ୍କ ମହାପ୍ରୟାଣ ପରେ ତାଙ୍କର ସମସ୍ତ କର୍ମର ତର୍ଜମା କରି ତାଙ୍କୁ ଖାଦ୍ୟ ଗ୍ରହଣ ପାଇଁ ଅନେକ ସ୍ୱର୍ଣ୍ଣ, ହୀରା ଓ ରୌପ୍ୟ ଆଦି ଅଳଙ୍କାର ଦିଆଯାଇଥିଲା ଯାହା କର୍ଣ୍ଣଙ୍କୁ ଆଚମ୍ବିତ କରିଥିଲା, ତାଙ୍କର ଦାନ କାର୍ଯ୍ୟର ତର୍ଜମାରେ ଜଣାଗଲା ଯେ ଜୀବାବସ୍ଥାରେ ସେ କାହାକୁ ଅନ୍ନ ଦାନ କରିନଥିଲେ ସେଥିପାଇଁ ତାଙ୍କୁ ଭକ୍ଷଣ ନିମନ୍ତେ ଅନ୍ନ ପରିବର୍ତ୍ତେ ସୁନା, ରୁପା ଅଳଙ୍କାର ମାନ ଦିଆଯାଇଥିଲା। ଦେବରାଜ ଇନ୍ଦ୍ରଙ୍କ ପରାମର୍ଶ ଅନୁଯାୟୀ ଦାନବୀର କର୍ଣ୍ଣଙ୍କୁ ପନ୍ଦର ଦିନ ପାଇଁ ପୁନର୍ବାର ମର୍ତ୍ତ୍ୟକୁ ପଠାଯାଇଥିଲା ଯାହାକୁ ପିତୃପକ୍ଷ ବୋଲି କୁହାଯାଏ। ତଦନୁଯାୟୀ କର୍ଣ୍ଣ ମର୍ତ୍ତ୍ୟକୁ ଆସି ନିଜ ଆତ୍ମୀୟ ଓ ଅନ୍ୟମାନଙ୍କୁ ଅନ୍ନ ଦାନରେ ଆପ୍ୟାୟିତ କରି ସ୍ୱର୍ଗାରୋହଣ କରିଥିଲେ। ବିଶ୍ୱାସ କରାଯାଏ ମୃତାତ୍ମାମାନେ ଏହି ପକ୍ଷରେ ନିଜର ଆତ୍ମୀୟଙ୍କ ଶ୍ରଦ୍ଧା ଓ ତିଳ ତର୍ପଣ ଦ୍ୱାର ତୃପ୍ତି ଲାଭ ନିମନ୍ତେ ଆଶା ରଖିଥାନ୍ତି। ସେଥିପାଇଁ ଆମେ ଦିବଂଗତ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧା ସୁମନ ଅର୍ପଣ କରି ‘ଶ୍ରାଦ୍ଧ’ ମାଧ୍ୟମରେ ଆବାହନ କରୁ। ଅତଏବ ‘ଶ୍ରାଦ୍ଧ’ ହେଉଛି ପିତୃପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧା ଓ ଭଲପାଇବାର ସନ୍ଦେଶ। ହିନ୍ଦୁ ପରମ୍ପରାରେ ଦିବଂଗତ ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି ଓ ସନ୍ତୁଷ୍ଟି ପାଇଁ ବର୍ଷର ବିଭିନ୍ନ ତିଥି (ମୃତ୍ୟୁ ଦିବସ ଅନୁଯାୟୀ) ଶ୍ରାଦ୍ଧକର୍ମ କରାଯାଏ। ସେଥିମଧ୍ୟରୁ ‘ମହାଳୟା ଶ୍ରାଦ୍ଧ’ ଅନ୍ୟତମ। ଏହା ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଅମାବାସ୍ୟାରେ ସମାପ୍ତ ହୁଏ। ମହାଳୟାର ଏକ ବୈଶିଷ୍ଟ୍ୟ ହେଉଛି ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ ଋଷି ଓ ପିତୃପୁରୁଷଙ୍କୁ ଆବାହନ କରାଯାଇଥିବାରୁ, ପିଣ୍ଡଦାତାଙ୍କ ଆଳୟଟି ମହାଆଳୟରେ ପରିଣତ ହୁଏ। ତେଣୁ ଏହାକୁ ମହାଳୟା ନାମରେ ନାମିତ କରାଯାଇଛି। ଅନ୍ୟ ଏକ ଲୋକ କଥା ଅନୁଯାୟୀ, ଯମରାଜା ପିତୃଲୋକବାସୀଙ୍କୁ ଏହି ସମୟରେ ମର୍ତ୍ତ୍ୟଲୋକକୁ ବିଚରଣ ପାଇଁ ଅନୁମତି ଦେଇଥାନ୍ତି। ଫଳରେ ପିତୃପୁରୁଷମାନେ ମହା ଆନନ୍ଦରେ ନିଜ ନିଜ ଆଳୟକୁ ବୁଲିବାକୁ ଆସୁଥିବାରୁ ଏହାକୁ ପିତୃପକ୍ଷ ବା ଅପରପକ୍ଷ ବୋଲି ନାମିତ କରାଯାଇଛି। ଏହି ପନ୍ଦର ଦିନର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କର ଦିବଂଗତ ଆତ୍ମୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମିତ୍ତ ଗଙ୍ଗାରେ ସ୍ନାନ କରି ଗୟାରେ ପିଣ୍ଡ ଦାନ କଲାପରେ ଶେଷ ଶ୍ରାଦ୍ଧଟି ଉତ୍ତର ପ୍ରଦେଶରେ ଥିବା ବଦ୍ରିକା ଆଶ୍ରମ ନିକଟରେ ଥିବା ବ୍ରହ୍ମକପାଳୀରେ ଶ୍ରାଦ୍ଧ ଓ ତର୍ପଣ କଲେ ଦିବଂଗତ ଆତ୍ମୀୟଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ଶ୍ରଦ୍ଧାସୁମନକୁ ଅଧିକ ଭାବୋଦ୍ଦୀପକ କରି, ଦିବଂଗତଙ୍କୁ ଭକ୍ତି ପ୍ରଦାନ ନିମିତ୍ତ ବ୍ରାହ୍ମଣମାନେ ପ୍ରତ୍ୟହ ଜଳାଶୟରେ ପ୍ରାତଃ ତିଳ ତର୍ପଣରେ ଆପ୍ୟାୟିତ କରନ୍ତି। ଏଥିରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଆଚାର୍ଯ୍ୟ, ବେଦ, ଗନ୍ଧର୍ବଗଣ, ଦେବଗଣ, ପୁରାଣକାର୍ଯ୍ୟ, ସାବାୟବ, ନାଗଗଣ, ଯକ୍ଷ, ଭକ୍ଷ, ସାଗର, ପର୍ବତ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚଟୁଷ୍ଟୟ, ପୃଥିବୀ ଆଦି କୋଟିଏ ଦେବତାଙ୍କୁ ଗୋଟିଏ ଗୋଟିଏ ଥର, ସାତଋଷି, ସନକ, ସନନ୍ଦ, ସନାତନ କପିଳ, ଆସୁରୀ, ବୋଢୁ ଓ ପଞ୍ଚଶିଖଙ୍କୁ ଦୁଇ ଥର ଓ ପିତୃପୁରୁଷଙ୍କୁ (ଉଭୟ ପିତା ଓ ମାତାଙ୍କର ତିନିପୁରୁଷ)ଙ୍କୁ ତିନିଥର ଜଳ ଅର୍ପଣ କରାଯାଏ। ପରେ ପରେ ବୈଶ୍ବଦେବ ବିଧିରେ ଜ୍ୟେଷ୍ଠ ବୋହୂ ରାନ୍ଧିଥିବା ସ୍ୱାଦିଷ୍ଟ ଅନ୍ନ ଦାନ କରି ଗୋଟିଏ ଦିନର ତର୍ପଣ ବିଧି ସମାପ୍ତ କରାଯାଏ। ଏହି ପନ୍ଦର ଦିନ ଘରର ଜ୍ୟେଷ୍ଠ ପୁଅବୋହୂ କେତେକ ନିତ୍ୟକାର୍ଯ୍ୟରୁ ବିରତ ହୁଅନ୍ତି। ଏହା ପଛରେ ଥିବା ଯୁକ୍ତ ସଂଗତ କଥାଟି ହେଉଛି ଦିବଂଗତଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିବାରେ ଏକାଗ୍ରତା ବଢ଼ାଇବା। ପ୍ରଥା ଅନୁଯାୟୀ ଏହି ପନ୍ଦର ଦିନ ମଧ୍ୟରେ ମୃତ ବ୍ୟକ୍ତିଙ୍କ (ମୃତ୍ୟୁ ଦିବସର) ତିଥି ଦିନ ଆମେ ପାର୍ବଣ ଶ୍ରାଦ୍ଧକର୍ମ କରିଥାଉ। କୌଣସି କାରଣବଶତଃ ଏଥିରୁ ବଞ୍ଚିତ ହେଲେ ଆମେ ଶେଷ ଦିନ ଅର୍ଥାତ୍ ମହାଳୟାରେ ସେହି ପାର୍ବଣ ଶ୍ରାଦ୍ଧ କର୍ମ କରିଥାଉ। ପୁନଶ୍ଚ କୌଣସି କାରଣ ପାଇଁ ଏଥିରୁ ବିରତ ହେଲେ ବର୍ଷର ଅନ୍ତିମ ସୁଯୋଗ ଅନୁଯାୟୀ କାର୍ତ୍ତିକ ମାସ ଦୀପାବଳି ଅମାବାସ୍ୟାରେ ପୟାଶ୍ରାଦ୍ଧ ଅର୍ପଣ କରିଥାଉ। ଏହା ଦିବଂଗତ ପିତୃପୁରୁଷଙ୍କ ତ୍ୟାଗର ପ୍ରତିଦାନ ପାଇଁ ଆମର ଶ୍ରଦ୍ଧା ସୁମନ।
ଏହି ସମୟରେ ମର୍ତ୍ତ୍ୟବାସୀମାନେ ପିତୃପୁରୁଷଙ୍କ ଆଗମନକୁ ସ୍ୱାଗତ କରିବା ସହିତ ସେମାନଙ୍କୁ ତୃପ୍ତି ବିଧାନ ନିମନ୍ତେ ଅନେକ ମର୍ତ୍ତ୍ୟ ବୈକୁଣ୍ଠ କୁହାଯାଉଥିବା ଶ୍ରୀମନ୍ଦିରର ବାଇଶି ପାହାଚରେ ପୁରୋହିତଙ୍କ ଉପସ୍ଥିତିରେ ପିଣ୍ଡଦାନ କରି ଦିବଂଗତଠାରୁ ଆଶୀର୍ବାଦ ଭିକ୍ଷା କରୁଥିଲେ, ବର୍ତ୍ତମାନ ବାଇଶି ପାହାଚ ପରିବର୍ତ୍ତେ ଏବେ ପୁରୀରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଏହା ସମ୍ପନ୍ନ କରାଯାଉଛି। ପୁରାଣ ଶାସ୍ତ୍ର ଅନୁସାରେ ପିତୃପୁରୁଷମାନେ ଶ୍ରଦ୍ଧାରେ ସନ୍ତୁଷ୍ଟ ହୋଇ ସେମାନଙ୍କ ଉତ୍ତରପିଢିଙ୍କୁ ସ୍ୱାସ୍ଥ୍ୟ, ଧନ, ଜ୍ଞାନ ଓ ଦୀର୍ଘାୟୁ ଭଳି ଅଖଣ୍ଡ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ବିଶ୍ୱାସ କରାଯାଏ। ବର୍ତ୍ତମାନର ବସ୍ତୁବାଦୀ ଦୁନିଆ ଓ ସଙ୍କୁଚିତ ପରମ୍ପରାରେ ବିସ୍ତାରିତ ଶ୍ରଦ୍ଧା ହିଁ ହେବ ପ୍ରକୃତ ମହାଳୟା ପର୍ବର ଆଭିମୁଖ୍ୟ।
Comments are closed.