ଗୁରୁ, ଶିକ୍ଷକ ଓ ଗୁରୁତୁଲ୍ୟ ଶିକ୍ଷକ

ଛାୟାକାନ୍ତ ଷଡ଼ଙ୍ଗୀ

ଶିକ୍ଷକମାନେ ଯେତେବେଳେ ରାଜରାସ୍ତାରେ ନିଜର କିଛି ଦାବି ନେଇ ଆନ୍ଦୋଳନ କରନ୍ତି, ସମ୍ବାଦପତ୍ରଗୁଡ଼ିକରେ ମୁଖ୍ୟ ସମ୍ବାଦ ଭାବରେ ସ୍ଥାନ ପାଏ ‘ଗୁରୁ ପାଳିଲେ କଳା ଦିବସ’, ‘ଗୁରୁ ଆଜି ରାଜରାସ୍ତାରେ’ ଇତ୍ୟାଦି। ସେପ୍ଟେମ୍ବର ୫ ତାରିଖ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିବସକୁ କେହି ‘ଶିକ୍ଷକ ଦିବସ’ କହନ୍ତି ନାହିଁ। ଏହି ଦିନ ବିଭିନ୍ନ ସଭାରେ ବକ୍ତାମାନେ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ “ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବୋ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍‍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ!” ମନ୍ତ୍ର ଉଚ୍ଚାରଣ କରନ୍ତି। ଏହିଭଳି ଭାବରେ ଗୁରୁ, ଶିକ୍ଷକ ଓ ଈଶ୍ୱରଙ୍କୁ ଏକାତ୍ମ କରି ଦିଆଯାଏ। ଗୁରୁ ଶବ୍ଦ ଅପବ୍ୟବହୃତ ହୋଇ ଅନେକ ସମୟରେ ତାର ମର୍ଯ୍ୟାଦା ହରାଏ।

ଗୁରୁ ଶବ୍ଦ ମୂଳତଃ ଏକ ସଂସ୍କୃତ ଶବ୍ଦ। ଏହା କେବଳ ଆଧ୍ୟାତ୍ମିକ ଜ୍ଞାନର ମାର୍ଗଦର୍ଶକ ଅର୍ଥରେ ବ୍ୟବହୃତ ହେଉଥିଲା। ଅଦ୍ୱୟତାରକ ଉପନିଷଦରେ କୁହାଯାଇଛି ‘ଗୁଶବ୍ଦସ୍ତନ୍ଧକାରଃ ସ୍ୟାତ୍‍ ରୁଶବ୍ଦସ୍ତନିରୋଧକଃ/ ଅନ୍ଧକାରନିରୋଧିତ୍ୱାତ୍‍ ଗୁରୁରିତ୍ୟଭିଧୀୟତେ।’ ‘ଗୁ’ ର ଅର୍ଥ ଅନ୍ଧକାର ଓ ‘ରୁ’ ର ଅର୍ଥ ନିରୋଧକ। ଯିଏ ଅନ୍ଧକାର ଦୂର କରିପାରନ୍ତି ସେ ଗୁରୁ ପଦବାଚ୍ୟ। ଉପନିଷଦରେ ଅନ୍ଧକାର ହେଉଛି ଅଜ୍ଞାନର ପ୍ରତୀକ। ଏଠାରେ ଗଣିତ, ସାହିତ୍ୟ, ବିଜ୍ଞାନ ଭଳି ବିବିଧ ବିଷୟରେ ଥିବା ଅଜ୍ଞାନ କଥା କୁହାଯାଇନାହିଁ। ଉପନିଷଦୀୟ ଭାଷାରେ ବ୍ରହ୍ମଜ୍ଞାନାଲୋକ ପ୍ରାପ୍ତି ପାଇଁ ପ୍ରତିବନ୍ଧକ ସାଜୁଥିବା ଅଜ୍ଞାନ ଅନ୍ଧକାରକୁ ଯିଏ ଦୂର କରନ୍ତି ସେ ‘ଗୁରୁ’। ଶ୍ରୀମଦ୍ଭାଗବତ ଗ୍ରନ୍ଥରେ ମଧ୍ୟ କୁହାଯାଇଛି:

ଯେ ଗୁରୁ ଜାଣେ ବେଦତତ୍ତ୍ବ। ନିର୍ଗୁଣ ଆତ୍ମଜ୍ଞାନେ ରତ।।
ସମଦରଶୀ ନିଷ୍ଠାପର। ତପ କଷଣ ସହେ ଧୀର।।
ନିରତେ ଥାଇ ପର ହିତେ। ଈଶ୍ୱର ମାୟା ଜାଣି ଚିତ୍ତେ।।
ଏମନ୍ତ ଗୁରୁ ପାଦେ ଭଜି। ହିଂସା କପଟ ଦୂରେ ତେଜି।।
(ଚତୁର୍ଥ ଅଧ୍ୟାୟ, ଏକାଦଶ ସ୍କନ୍ଦ)

ଉପନିଷଦରେ ଯାଜ୍ଞବଳ୍‍କ୍ୟ, ଗୌତମ, ଯମ, ପ୍ରଜାପତି ଆଦି ସମସ୍ତେ ବ୍ରହ୍ମଜ୍ଞାନ ପ୍ରଦାନ କରିଛନ୍ତି। ଏଣୁ ଏମାନେ ଗୁରୁ ପଦବାଚ୍ୟ ମାତ୍ର କାଳକ୍ରମେ ‘ଗୁରୁ’ ଶବ୍ଦଟି ସଂପ୍ରସାରିତ ହୋଇ ଗଣିତ, ଭୂଗୋଳ, ସାହିତ୍ୟ ଭଳି ବିଭିନ୍ନ ବିଷୟକ ଜ୍ଞାନ ଦାନ କରୁଥିବା ଶିକ୍ଷକମାନଙ୍କ ପାଇଁ ବ୍ୟବହାର ହେଲାଣି। ଆମେ ଯାହାଙ୍କ ପାଖରୁ କୌଣସି ବିଷୟରେ ଶିକ୍ଷା ପାଉଁ ତାଙ୍କୁ ଶିକ୍ଷକ କହୁ। ଗୁରୁ ଯେଭଳି ଆଧ୍ୟାତ୍ମିକ ଜ୍ଞାନର ମାର୍ଗଦର୍ଶକ, ଶିକ୍ଷକ ମଧ୍ୟ ପାର୍ଥିକ ଜ୍ଞାନର ମାର୍ଗଦର୍ଶକ ଓ ଉପଦେଷ୍ଟା। ପ୍ରତ୍ୟେକ ଗୁରୁ ଶିକ୍ଷକ ଅଟନ୍ତି। ମାତ୍ର ସମସ୍ତ ଶିକ୍ଷକ ଗୁରୁ ନୁହନ୍ତି। ଅବଶ୍ୟ ଜଣେ ଶିକ୍ଷକ ‘ଗୁରୁତୁଲ୍ୟ’ ହୋଇପାରନ୍ତି ଯଦି ସେ ଆଧ୍ୟାତ୍ମିକ ଗୁରୁଙ୍କ ଭଳି ଆଚରଣସିଦ୍ଧ ହୁଅନ୍ତି। ଯେଉଁ ଶିକ୍ଷକମାନେ ସମଦର୍ଶୀ, ନିଷ୍ଠାପର, ସତ୍ୟନିଷ୍ଠ, ପ୍ରତ୍ୟକ୍ଷାନୁଭୂତିସିଦ୍ଧ, ତପକଷଣ ସହିଷ୍ଣୁ ଓ ଆଦର୍ଶ ସଂପନ୍ନ ସେମାନେ “ଗୁରୁତୁଲ୍ୟ”।

ଏହିଭଳି ଜଣେ ଗୁରୁତୁଲ୍ୟ ଶିକ୍ଷକଙ୍କ କଥା। ତାଙ୍କ ଆଶ୍ରମରେ ଶିକ୍ଷାଗ୍ରହଣ କରୁଥାନ୍ତି ଚାଳିଶ ଜଣ ଛାତ୍ର। ଖେଳ କସରତଠୁ ଆରମ୍ଭ କରି ସାହିତ୍ୟ, ଦର୍ଶନ, ବିଜ୍ଞାନ ବିଭିନ୍ନ ବିଷୟରେ ସେ ଶିକ୍ଷାଦାନ କରୁଥାନ୍ତି। ଶିଷ୍ୟମାନଙ୍କ ମଧ୍ୟରେ ଥାଏ ‘ନୀଳେଶ’ ନାମକ ଜଣେ ଛାତ୍ର। ବେଳେବେଳେ ସେ ସାଙ୍ଗମାନଙ୍କଠାରୁ କଲମ, ପେନ୍‍ସିଲ, ଖାଦ୍ୟ, ଫଳ ଆଦି ଚୋରି କରେ, ମାତ୍ର ଧରାପଡ଼େ। ଏହା ଏକ ଦୈନନ୍ଦିନ ବ୍ୟାପାର ହୁଅନ୍ତେ ଅନ୍ୟ ସମସ୍ତ ଛାତ୍ର ନୀଳେଶକୁ ଦଣ୍ଡ ଦେବାପାଇଁ ଶିକ୍ଷକଙ୍କ ପାଖରେ ଦାବି କରନ୍ତି। ମାତ୍ର ଶିକ୍ଷକ ନିରବ ରହି କୌଣସି ଦଣ୍ଡ ଘୋଷଣା କରନ୍ତି ନାହିଁ। ଦିନେ ଜଣେ ଅଭିଭାବକ ଚାଳିଶ ଜଣ ଛାତ୍ରଙ୍କ ପାଇଁ ଜଣକୁ ଦୁଇଟି ହିସାବରେ ୮୦ ଖଣ୍ଡ ପିଠା ଆଶ୍ରମକୁ ଦେଇଥାନ୍ତି। ଅନ୍ୟ ଛାତ୍ରମାନେ ଅନୁପସ୍ଥିତ ଥିବାବେଳେ ନୀଳେଶ ସ୍ୱଭାଗଗତ ଭାବରେ କିଛି ପିଠା ଚୋରି କରି ଖାଉଥିବା ବେଳେ ଧରାପଡ଼ିଲା। ସମସ୍ତ ଛାତ୍ର ଏକତ୍ର ଶିକ୍ଷକଙ୍କୁ ହାତଯୋଡ଼ି ଅନୁରୋଧ କଲେ, “ମହାଶୟ! ଆପଣ ଯଦି ନୀଳେଶକୁ ବହିଷ୍କୃତ ନ କରନ୍ତି, ଆମେ ନିଜେ ଆଶ୍ରମ ଛାଡ଼ି ଚାଲିଯିବୁ।” ମାତ୍ର ଶିକ୍ଷକ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଛାତ୍ରମାନେ ବିନୟ ସହକାରେ ବାରମ୍ବାର ସେହି ଅନୁରୋଧ କରନ୍ତେ ଶିକ୍ଷକ କହିଲେ, “ଛାତ୍ରମାନେ !ତୁମେମାନେ ଆଶ୍ରମ ଛାଡ଼ି ଚାଲିଯାଇପାର, କାରଣ ତୁମେ ସମସ୍ତେ ଶିକ୍ଷିତ ହୋଇସାରିଛ। ତୁମେ ଉପଲବ୍ଧି କରିସାରିଛ ଯେ ଲୋଭ କରିବା, ମିଛ କହିବା ଭଳି ଚୋରି କରିବା ମଧ୍ୟ ଏକ ପାପ। ମାତ୍ର ନୀଳେଶ ଏ ପର୍ଯ୍ୟନ୍ତ ତାହା ବୁଝିନାହିଁ। ତେଣୁ ସେ ଚୋରି କରିବା ଅବ୍ୟାହତ ରଖିଛି। ତାର ଆହୁରି ଶିକ୍ଷା ପ୍ରୟୋଜନ। ତୁମେ ଶିକ୍ଷାପ୍ରାପ୍ତ, ଏଣୁ ସ୍ୱଗୃହ ଯାଇପାର, ମାତ୍ର ନୀଳେଶ ସତ୍ୟ ଉପଲବ୍ଧି ନ କଲା ପର୍ଯ୍ୟନ୍ତ ମୋ ପାଖରେ ରହିବ ଓ ମୁଁ ତାକୁ ଶିକ୍ଷା ଦେବି।” (କାହାଣୀଟି ପରିବେଷଣ କରିଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ।) ସମାଜ ଏହିଭଳି ସତ୍ୟନିଷ୍ଠ, ସମଦର୍ଶୀ, ଧୈର୍ଯ୍ୟବାନ, ଆଦର୍ଶ ଶିକ୍ଷକ ଆବଶ୍ୟକ କରେ। ଏହିଭଳି ଶିକ୍ଷକ ଆଧ୍ୟାତ୍ମିକ ଅର୍ଥରେ “ଗୁରୁ” ନ ହେଲେ ମଧ୍ୟ “ଗୁରୁତୁଲ୍ୟ”।

ଏହି ଗୁରୁତୁଲ୍ୟ ଶିକ୍ଷକମାନଙ୍କ ପ୍ରତି ଅତୀତରେ ରାଜା ମହାରାଜାମାନଙ୍କ ଗଭୀର ଭକ୍ତି ଥିଲା। ନିଜର ସନ୍ତାନମାନଙ୍କ ଉପଯୁକ୍ତ ଶିକ୍ଷା ପାଇଁ ସେମାନେ ଗୁରୁତୁଲ୍ୟ ଶିକ୍ଷକମାନଙ୍କ ସନ୍ଧାନ କରୁଥିଲେ ଓ ସେମାନଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖି ରାଜ୍ୟରେ ଶିକ୍ଷାର ବିକାଶ କରୁଥିଲେ। ଏହିଭଳି ଜଣେ ରାଜା ଥିଲେ ବାମଣ୍ଡାର ବାସୁଦେବ ସୁଢ଼ଳ ଦେବ (୧୮୫୦-୧୯୦୩)। ତାଙ୍କ ଜୀବନୀ ଲେଖକ ଶ୍ରୀ ଚଣ୍ଡୀଚରଣ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଉଲ୍ଲିଖିତ ଏକ ବିଶିଷ୍ଟ ଘଟଣା ପାଠକମାନଙ୍କୁ ଅଭିଭୂତ କରେ। ସେତେବେଳେ ଭାରତ ବ୍ରିଟିଶ ଶାସନାଧୀନ ଥିଲା। ଗଜଜାତ ରାଜାମାନେ ବିଳାସବ୍ୟସନରେ ବୁଡ଼ି ରହୁଥିଲେ। କିଛି ବର୍ଷ ଅନ୍ତରରେ ସେମାନେ କଲିକତା ଭ୍ରମଣରେ ଯାଇ ବାଇଜୀମାନଙ୍କ ଗହଣରେ ସୁରାପାନ କରି ସମୟ ଅତିବାହିତ କରୁଥିଲେ। ମାତ୍ର ରାଜା ସୁଢ଼ଳଦେବ ଥିଲେ ଜଣେ ବ୍ୟତିକ୍ରମ। ସେ କଲିକତା ଗଲେ ସେଠାକାର ବିଜ୍ଞ ତଥା ଶିକ୍ଷିତ ବ୍ୟକ୍ତିମାନଙ୍କୁ ଭେଟୁଥିଲେ। ଏହି କ୍ରମରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସହ ତାଙ୍କ ସାକ୍ଷାତ ହେଲା ଓ ପରେ ତାହା ବନ୍ଧୁତାରେ ପରିଣତ ହେଲା। ଥରେ ସେ ଫୋର୍ଟ ଉଇଲିଅମ୍‍ କଲେଜ ଦେଖି ଅଭିଭୂତ ହେଲେ ଓ ଯେତେବେଳେ ଭାବିଲେ ଯେ ତାଙ୍କ ରାଜ୍ୟରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହିଁ ସେ ଲଜ୍ଜା ଅନୁଭବ କଲେ। ସେ ବାମଣ୍ଡା ଫେରିଆସି ଏକ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସଂକଳ୍ପ କଲେ। ବିଦ୍ୟାଳୟ ସ୍ଥାପିତ ହେଲା, ମାତ୍ର ଶିକ୍ଷକ ମିଳିଲେ ନାହିଁ। ସେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କୁ ଚିଠି ଲେଖି ଜଣେ ଶିକ୍ଷକଙ୍କୁ ବାମଣ୍ଡା ପଠାଇବା ପାଇଁ ଅନୁରୋଧ କଲେ।

ବିଦ୍ୟାସାଗର ବିଜୟ ଚନ୍ଦ୍ର ମଜୁମଦାର ନାମକ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଶିକ୍ଷକ ଭାବରେ ବାମଣ୍ଡା ପଠାଇଲେ। ତାଙ୍କ ପାଇଁ ରାଜପ୍ରାସାଦ ନିକଟରେ ଏକ କୋଠା ଦିଆଗଲା। ବିଦ୍ୟାଳୟରେ ପାଠପଢ଼ା ଚାଲିଲା। ଦିନେ ରାଜା ଗ୍ରୀଷ୍ମ ସନ୍ଧ୍ୟାରେ ବିଜୟବାବୁଙ୍କୁ କଥା ପ୍ରସଙ୍ଗରେ ପଚାରିଲେ, ‘ମହାଶୟ, ରାଜଧାନୀ ବାମଣ୍ଡାରେ ଆପଣଙ୍କ ଅସୁବିଧା ହେଉନାହିଁ ତ?’ ବିଜୟ ବାବୁ ଉତ୍ତର ଦେଲେ, ‘ଆପଣଙ୍କ ଆଶ୍ରୟରେ ମୁଁ ଖୁସିରେ ଅଛି। ମାତ୍ର କୋଠାରେ ଥିବା କୂଅରେ ପାଣି ନଥିବାରୁ କିଛି ପରିମାଣରେ ଜଳକଷ୍ଟ ଅନୁଭବ କରୁଛି।’ ରାଜା ବିବ୍ରତ ହେଲେ। ପରଦିନ ସକାଳେ ଦ୍ୱାରରେ କରାଘାତ ଶୁଣି ବିଜୟବାବୁ ଦ୍ୱାରଖୋଲି ଯାହା ଦେଖିଲେ ସେଥିରେ ସେ ସ୍ତମ୍ଭୀଭୂତ ହୋଇଗଲେ। ଜଳପୂର୍ଣ୍ଣ ମାଠିଆ ସହ ପାଞ୍ଚଜଣ ଭାରୁଆଙ୍କ ସହ ଛିଡ଼ା ହୋଇଥାନ୍ତି ସ୍ୱୟଂ ରାଜା ସୁଢ଼ଳ ଦେବ। ବିଜୟ ବାବୁ ରାଜାଙ୍କ ସମ୍ମୁଖରେ ବିନମ୍ର ଭାବରେ କହିଲେ, “ମହାରାଜ, ଆପଣ ଆଦେଶ ଦେବା ମାତ୍ରେ ପାଞ୍ଚଜଣ ଭାରୁଆ କାହିଁକି, ଦଶ କୋଡ଼ିଏ ଜଣ ଭାରୁଆ ଆସି ଜଳ ଯୋଗାଇ ଦେଇଯିବେ। କିନ୍ତୁ ମୋର ଜଳକଷ୍ଟ ପାଇଁ ବିବ୍ରତ ହୋଇ ପ୍ରାତଃକାଳରେ ଭାରୁଆମାନଙ୍କ ସହ ଆପଣ ସ୍ୱୟଂ ଆସି ମୋର ଜଳକଷ୍ଟ ନିବାରଣ ପାଇଁ ଯତ୍ନବାନ ହେବା, ମୋତେ କେବଳ ଚକିତ କରୁନାହିଁ, ଆପଣଙ୍କ ଏତାଦୃଶ ଭଲପାଇବାର ଅତ୍ୟାଚାର ସହିବା ପାଇଁ ମୁଁ ସମର୍ଥ କି ନୁହେଁ ଜାଣି ପାରୁ ନାହିଁ।” ସୁଢ଼ଳଦେବ କହିଲେ, ‘ଗୁରୁ ଯଦି ଅଭାବ, ଅସୁବିଧା ଏବଂ ଯାତନାର ଜୀବନ ଅତିବାହିତ କରିବେ, ତେବେ କଣ ସେ ଠିକ୍‍ ଭାବରେ ଶିକ୍ଷାଦାନ କରିପାରିବେ? ତେଣୁ ଆପଣଙ୍କ ଜଳକଷ୍ଟ ସହ ରହିବା ମୋତେ ବ୍ୟଥିତ କରିଥିଲା। ମୁଁ ସେହି କଷ୍ଟ ଦୂର କରିବା ମୋର କର୍ତ୍ତବ୍ୟ ବୋଲି ମନେ କରୁଅଛି।’ (ଭାଷାନ୍ତର ପ୍ରଦୀପ କୁମାର ରାୟ) ଏହିଭଳି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ରାଜା ସୁଢ଼ଳ ଦେବ।

ଆଜି ଶିକ୍ଷକମାନଙ୍କ ଅଭାବ ଅସୁବିଧା ଦୁଃଖ ସୁଖ ବୁଝିବା ପାଇଁ ମନ୍ତ୍ରୀ ଓ ପ୍ରଶାସକ ଶିକ୍ଷକମାନଙ୍କ ଦୁଆରକୁ ଯାଉନାହାନ୍ତି। ନିଜର ପ୍ରାପ୍ୟ ନ ପାଇ ନିଜର ଅଭାବ ଅସୁବିଧା ଦୂର କରିବା ପାଇଁ ସେମାନଙ୍କୁ ଶାସକମାନଙ୍କ ପାଖକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ଓ ମାସ ମାସ ଧରି ରାଜରାସ୍ତାରେ କେତେବେଳେ ଅନଶନ କରିବାକୁ ପଡ଼ୁଛି ତ ଆଉ କେତେବେଳେ ଆନ୍ଦୋଳନ କରିବାକୁ ପଡ଼ୁଛି। ଅବଶ୍ୟ ଏବେ ଅତୀତର ସେହି ଗୁରୁ ନାହାନ୍ତି କି ଗୁରୁତୁଲ୍ୟ ଶିକ୍ଷକ ନାହାନ୍ତି। ଅଧିକାଂଶ ଶିକ୍ଷକମାନଙ୍କ ପାଖରେ କର୍ତ୍ତବ୍ୟନିଷ୍ଠା, ମୂଲ୍ୟବୋଧ, ଚରିତ୍ରବତ୍ତା ଭଳି ଗୁଣ ପରିଲକ୍ଷିତ ହେଉନାହିଁ। ଏଣୁ ସେମାନେ ‘ଗୁରୁତୁଲ୍ୟ ଶିକ୍ଷକ’ ହୋଇପାରୁ ନାହାନ୍ତି। ଅପରପକ୍ଷରେ ପ୍ରଶାସନ ଓ ସମାଜ ମଧ୍ୟ ଗୁରୁପରାୟଣ ହେଉନାହିଁ। ରାଜା ସୁଢ଼ଳ ଦେବଙ୍କ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନ ଆଜିର ଶାସକମାନଙ୍କ ପାଖରେ କଳ୍ପନା କରିହେଉ ନାହିଁ। ସମସ୍ତେ ଯୁଗ ଯନ୍ତ୍ରଣା କବଳିତ। ସର୍ବତ୍ର ପରିଲକ୍ଷିତ ହେଉଛି ଅବକ୍ଷୟର ଚିତ୍ର।

Comments are closed.