ଆଧୁନିକତାର ମାୟାଜାଲରେ ଆମ ଗାଁ

ସ୍ମୃତିରଞ୍ଜନ ଲେଙ୍କା

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଭାରତବର୍ଷର ଆତ୍ମା ଗାଁରେ ହିଁ ବସବାସ କରେ। ଅର୍ଥାତ୍‌ ଦେଶର ବାସ୍ତବ ଆର୍ଥିକ ପ୍ରଗତି ଗ୍ରାମୀଣ ଭାରତର ପ୍ରଗତି ଉପରେ ସମ୍ପୂର୍ଣ୍ଣଭାବେ ନିର୍ଭରଶୀଳ। ପରାଧୀନ ଭାରତରେ ଇଂରେଜମାନେ ଆମମାନଙ୍କୁ ଶୋଷଣ କରି ଦେଶକୁ ଲୁଣ୍ଠନ କଲେ। ଗ୍ରାମୀଣ ଭାରତର ବିକାଶ ପରିବର୍ତ୍ତେ ବିନାଶ ରଚିଲେ; କିନ୍ତୁ ପରିଶେଷରେ ଦେଶବାସୀଙ୍କ ନିରବଚ୍ଛିନ୍ନ ଅହିଂସା ଆନ୍ଦୋଳନ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଲା। ପରେ ଦେଶର ସମ୍ବିଧାନ ପଣୟନ ହୋଇ ବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ନିଆରା ପରିଚୟ ପାଇଲା ସମଗ୍ର ବିଶ୍ୱରେ। ଦେଶର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷାନୀତିକ ବହୁ ପରିବର୍ତ୍ତନ ପୂର୍ବକ ଅର୍ଥଯୁକ୍ତ ନୀତି ପ୍ରଣୟନ କରାଗଲା। ଖାଦ୍ୟ, ବସ୍ତ୍ର ଓ ବାସଗୃହ ସାଙ୍ଗକୁ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗମନାଗମନର ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରାଗଲା। ଏଇ ତ ଥିଲା ସ୍ୱାଧୀନ ଭାରତର ସ୍ୱାଧୀନ ଚିନ୍ତାଧାରା; କିନ୍ତୁ ପରାଧିନ ଭାରତରେ ମଧ୍ୟ ବ୍ରିଟିଶମାନଙ୍କ ଶୋଷଣକୁ ଭ୍ରୂକ୍ଷେପ ନକରି ମହାତ୍ମା ଗାନ୍ଧୀ ସଦାସର୍ବଦା ଗ୍ରାମୀଣ ଭାରତର ବିକାଶର ନକ୍ସା ଆଙ୍କି ‘ଗ୍ରାମ ସ୍ୱରାଜ’ର ପରିକଳ୍ପନା କରିଥିଲେ। ତାଙ୍କ ମତରେ ‘ଗ୍ରାମ ସ୍ୱରାଜ’ ହେଉଛି ଗ୍ରାମୀଣ ଭାରତର ସ୍ୱାଧୀନତା ଓ ସ୍ୱତନ୍ତ୍ରତା। ଅର୍ଥାତ୍‌ ପ୍ରତ୍ୟେକ ଗ୍ରାମ ନିଜର ସମସ୍ତ ଚାହିଦାକୁ ନିଜେ ମେ​‌େ​‌ଣ୍ଟଇ ପାରିବ। ଗ୍ରାମୀଣ ଭାରତର ଅର୍ଥନୀତି କୃଷି ଅର୍ଥନୀତି ଉପରେ ଯେ ନିର୍ଭରଶୀଳ ଏହା ସହଜରେ ଅନୁମେୟ। କିନ୍ତୁ ଦେଶ ଓ ଜାତିକୁ ବିକଶିତ କରିବା ପାଇଁ କୃଷି ସାଙ୍ଗକୁ ଶିଳ୍ପର ବିକାଶ ମଧ୍ୟ ଅପରିହାର୍ଯ୍ୟ। ଏ କଥାକୁ ମଧ୍ୟ ସେ ସମୟରେ ନିଜେ ଗାନ୍ଧିଜୀ ଉପଲବ୍ଧ କରିଥିଲେ। ସେଥିପାଇଁ ତ ଗ୍ରାମୀଣ ଭାରତରେ କୃଷି ସାଙ୍ଗକୁ କୁଟୀର ଶିଳ୍ପର ବିକାଶ କଥା ସେ ଚିନ୍ତା କରୁଥିଲେ। ଯାହାର ଫଳସ୍ୱରୂପ ‘ଖଦି ଓ ଗ୍ରାମ୍ୟ ଉଦ୍ୟୋଗ’ର ଉତ୍ପତି।

ଏବେ ସମୟ ବଦଳିଛି। ଆଧୁନିକତାର ମାୟାଜାଲ ଭିତରେ ଛନ୍ଦି ହୋଇଯାଇଛି ଗାଁ’ର ମିଠା ଓ ମଧୁରତା। ପଶ୍ଚିମ ସଭ୍ୟତାର ନିଶା ଆଜିର ପିଢ଼ିକୁ ଏପରିଭାବେ ଘାରିଛି ଯେ ରୀତିମତ ଗୋଟିଏ ପ୍ରତିଯୋଗିତା ଚାଲିଛି କିଏ ଗାଁ ଛାଡି ସହରରେ ରହିବ। ଗାଁ’ର ଚାଷ ଜମି ପଛେ ପଡିଆ ପଡୁ କିନ୍ତୁ ସହରକୁ ଯାଇ ପରଅଧୀନରେ ଦାଦନ ଖଟିବାକୁ ପସନ୍ଦ କରୁଛନ୍ତି ଯୁବପିଢି। ହଁ, ଏହା ବି ସତ୍ୟ ଯେ, ସ୍ୱାଧୀନତା ପରେ ଗୋରା ସାହେବମାନେ ସିନା ଦେଶ ଛାଡି ଚାଲିଗଲେ କିନ୍ତୁ କଳା ସାହେବ ଆଜି ଗାଁରେ ସାଜିଛନ୍ତି ସାହୁକାର। ଗାଁ’ର ଉର୍ବର ଚାଷଜମିଗୁଡିକୁ ସହରୀ ବାବୁମାନଙ୍କୁ ବିକି ନିଜେ ତ ଗୋଲାମ ସାଜିଲେ ଅନ୍ୟପଟେ ଗାଁର ପରିବେଶକୁ ଏମିତି ବନେଇ ଦେଲେ ଯେ, ଚାଷଜମିଗୁଡିକ ସବୁଦିନ ପାଇଁ କଳକାରଖାନାର ବିଷାକ୍ତ ବଳୟ ଭିତରେ ନିଶ୍ଚିହ୍ନ ହୋଇଗଲା। ଯଦିଓ ସରକାରୀ ଓ ପ୍ରଶାସନିକ ସ୍ତରରେ ବହୁ ଯୋଜନା ଗ୍ରାମ୍ୟ ଉଦ୍ୟୋଗ ପାଇଁ ପ୍ରସ୍ତୁତ ହୋଇଛି; କିନ୍ତୁ ଆଜିର ପିଢ଼ି ଗାଁ ପ୍ରତି ଏତେ ବିତୃଷ୍ଣ ହୋଇଯାଇଛି ଯେ, ଦାସତ୍ୱ ମନୋବୃତ୍ତିରେ ସହର ଆଡେ ମନ ବଳାଇଛି। ଦେଖାଶିଖା ଓଡ଼ିଶା ପରି ପଡିଶା ଘରକୁ ଦେଖି ସେ ବି ସହର ଆଡକୁ ମୁହାଁଇଲାଣି। ଗାନ୍ଧୀଙ୍କର ସ୍ୱପ୍ନଥିଲା ଗାଁ’ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଦାସତ୍ୱରୁ କିଭଳି ମୁକ୍ତି ପାଇବ। ଏହି ଲକ୍ଷ୍ୟ ହାସଲ ପାଇଁ ସେ ବିକେନ୍ଦ୍ରୀକରଣ, ଆତ୍ମସମ୍ମାନ ଜନକ କାର୍ଯ୍ୟ ଜରିଆରେ ସ୍ୱାବଲମ୍ବନ, ସରଳତା ଓ ସରଳତା ସଂହତି ଏବଂ ସମାଜର ଅବହେଳିତ, ଉପେକ୍ଷିତ ଲୋକଙ୍କ ସେବା ଇତ୍ୟାଦି ନୀତି ଉପରେ ଆଧାରିତ ଏକ ଅହିଂସ ସମାଜର ପରିକଳ୍ପନା କରିଥିଲେ। ନିଶାମୁକ୍ତ ସମାଜ ଗଠନରେ ଗ୍ରାମୀଣ ପରିବେଶ ଏତେ ପଛରେ ପଡିଯାଇଛି ଯେ, ସେଥିରୁ ମୁକୁଳିବା ଏତେ ସହଜ ମନେ ହେଉନାହିଁ।

ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ଗ୍ରାମୀଣ ଭାରତରେ ନିଶା ଓ ମାଦକ ଦ୍ରବ୍ୟ କାୟା ବିସ୍ତାର କରି ସାମାଜିକ ସଂସ୍କାରକୁ ବିଗାଡି ଚାଲିଛି। ଆଜି ଗାଁର ପିଲାମାନଙ୍କ ପାଇଁ ପାଠାଗାରଟିଏ ନାହିଁ ଏବଂ ପାଠାଗାରରେ ସମୟ ବିତାଇବା ପାଇଁ ସେମାନଙ୍କ ପାଖରେ ସମୟ ବି ନାହିଁ। ଗାଁର ସାଂସ୍କୃତିକ ଲୋକକଳା, ଭାଗବତ ଟୁଙ୍ଗି, କୀର୍ତ୍ତନ, ରାମଲୀଳା, ପାଲା, ଦାସକାଠିଆ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ସେଇ ଗାଁ ଅଛି ସତ କିନ୍ତୁ ସବୁକିଛି ବଦଳିଯାଇଛି। ଗାଁ ଯୌଥ ପରିବାରର ଏକତାର ଶିକୁଳି ଆଜି ମୁକୁଳା ହୋଇପଡିିଛି। ଗାଁର ବିଭିନ୍ନ ପର୍ବପର୍ବାଣିର ମଉଜ ବି ମଉଳି ଗଲାଣି। ଜନମ ମାଟିର ସେ ସୁଆଦ ସାତ ସପନ ପାଲଟିଛି ଆଜିର ଇ-ଦୁନିଆର ଆଧୁନିକିଆ ପିଲାମାନଙ୍କ ପାଇଁ। ଗାଁ ଛାଡି ସ୍ଥାନାନ୍ତର ହେବାର ଦୁଃଖ ନା ସେମାନଙ୍କର ମନରେ ଅଛି କି ଜନ୍ମମାଟି ପ୍ରତି ସେ ଆବିଳତା। ବୃଦ୍ଧ ବାପ ମା’ଙ୍କୁ ଗାଁର ଭଙ୍ଗା କୁଡିଆ ଘରେ ଏକାକୀ ଛାଡିଦେଇ ପୁଅ ନିଜ ପରିବାର ସହ ସହରରେ ଦାଦନ ଖଟିବାର କୃତ୍ରିମ ଆନନ୍ଦ ନେଉଛି। କରୋନା ଭଳି ମହାମାରୀ ଏତେ ବଡ ଶିକ୍ଷା ଦେଇଗଲା ପରେ ମଧ୍ୟ କିଛି ଶିକ୍ଷା ଲାଭ କରିପାରିଲା ନାହିଁ ଆଧୁନିକ ମାନବ ସମାଜ। ଆଜିର ରାଜନୈତିକ ଆକ୍ରୋଶ ଧୀରେଧୀରେ ଗାଁ’ର ଏକତାକୁ ବି ଭାଙ୍ଗି ସାରିଲାଣି। ବର୍ତ୍ତମାନ ଯୁଗ ହେଉଛି ବିଜ୍ଞାନ ଓ କାରିଗରୀ କୌଶଳର ଯୁଗ। ଆଧୁନିକ ସଭ୍ୟତା ସମୃଦ୍ଧ ଓ ଅଗ୍ରଶୀଳ ହେଉଥିବାରୁ ମାନବ ସମାଜର ସୁଖର ଚାହିଦା ନିଶ୍ଚିତ ଭାବେ ବଢ଼ିଛି। ଅନ୍ୟପଟେ ଜନ ସଂଖ୍ୟା ଦ୍ରୁତଗତିରେ ବି ବଢ଼ିଚାଲିଛି। ଫଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ସୁବ୍ୟବସ୍ଥାର କରାଇବା ମଧ୍ୟ ଜରୁରୀ ହୋଇପଡୁଛି।

ସେଥିପାଇଁ କୃଷି, ଶିଳ୍ପ ଓ ଗମନାଗମନର ସୁବ୍ୟବସ୍ଥା ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ଏହାର ଅର୍ଥ ନୁହେଁ ଗାଁ’ର ଉର୍ବର ଚାଷଜମିଗୁଡିକ ଶିଳ୍ପାୟନ ଆଳରେ ଧୀରେଧୀରେ ବିଲୁପ୍ତ ହୋଇଯିବ। ଫଳରେ କେବଳ ଗାଁ’ର ଖାଦ୍ୟ ଚାହିଦା ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ଖାଦ୍ୟର ଘୋର ଅଭାବ ଦେଖାଦେବ। ଗାଁର ଭାଇଚାରା ଆଜି ହୀନ ରାଜନୈତିକ ପଶାପାଲିରେ ବଳି ପଡିଯାଇଛି। ଗାଁ ଗାଁ ଭିତରେ ରାଜନୈତିକ, ଧାର୍ମିକ ହିଂସା ଓ ପ୍ରତିହିଂସା ପ୍ରତ୍ୟେକ ଦିନ ଖବର କାଗଜର ମୁଖ୍ୟଖବର ପାଲଟିଛି। ସତରେ କ’ଣ ଗାଁ’ର ସେ ବାସ୍ତବ ଚିତ୍ର ଆଉ ଫେରିବନି?? ଗାଁ’ର ଯୁବପିଢ଼ି ପରଅଧୀନରେ ଦାଦନ ଖଟିବା ପରିବର୍ତ୍ତେ ନିଜ ଗାଁରେ ଭଲ ଦୁଇପଇସା ରୋଜଗାର କରିବାର କ୍ଷମତା ଆପଣେଇ ପାରିବେନି ?? ଗାନ୍ଧୀଙ୍କର ସେଇ ଗ୍ରାମ ସ୍ୱରାଜ ମନ୍ତ୍ରକୁ ବ୍ରତ ଭାବେ ଗ୍ରହଣକରି ଗ୍ରାମ୍ୟ ଉଦ୍ୟୋଗର ଉତ୍‌ଥାନ କରିପାରିବେନି?? ବାସ୍ତବରେ ନେଡିଗୁଡ କହୁଣିକୁ ବୋହିଯିବା ପୂର୍ବରୁ ଯଦି କିଛି ଦୃଢ଼ମନା ମୁଷ୍ଟିମେୟ ଯୁବପିଢ଼ି ଆଧୁନିକତାର ମାୟାଜାଲରୁ ଗାଁକୁ ମୁକ୍ତ କରିବାର ସଂକଳ୍ପ ନେଇପାରିବେ, ତେବେ ହଜିଯାଇଥିବା ସେହି ଗ୍ରାମୀଣ ଭାରତର ବାସ୍ତବଚିତ୍ର ନିଶ୍ଚିତ ଭାବେ ଫେରିଆସିବ।

Comments are closed.